ବିଚିତ୍ର ଜୀବ କଙ୍କଡ଼ା ବିଛା

କଙ୍କଡ଼ା ବିଛା ଗୋଟିଏ ମାତ୍ର ଦଂଶନରେ ମନୁଷ୍ୟକୁ ମୃତ୍ୟୁମୁଖରେ ପକାଇଦେଇପାରେ। ଏହି ବିଷାକ୍ତ କ୍ଷୁଦ୍ର ଜୀବଟି ସମ୍ପର୍କରେ ଅନେକ ରୋଚକ ତଥ୍ୟ ରହିଛି ଯାହା ଅନେକଙ୍କୁ ଅଜଣା। ସାଢ଼େ ୪୩ କୋଟି ବର୍ଷ ତଳେ ଭୂପୃଷ୍ଠରେ ସୃଷ୍ଟି ହୋଇଥିବା ଏହି ଅମେରୁଦଣ୍ଡୀ ପ୍ରାଣୀଟିର ଅଦ୍ୟାବଧି ୨,୫୦୦ ପ୍ରଜାତି ଦେଖିବାକୁ ମିଳିଥାଏ। ସ୍ଥଳଭାଗରେ ଦେଖାଯାଉଥିବା ପ୍ରାଣୀମାନଙ୍କ ମଧ୍ୟରେ ଏହା ସବୁଠୁ ପ୍ରାଚୀନତମ।

ମୁଖ୍ୟତଃ ମରୁଭୂମି ଅଞ୍ଚଳରେ ବସବାସ କରିବାକୁ ପସନ୍ଦ କରୁଥିବା ଏହି କଙ୍କଡ଼ା ବିଛା ଭିନ୍ନ ଭିନ୍ନ ପରିବେଶରେ ନିଜକୁ ଖାପ ଖୁଆଇ ଏବେ ଆଣ୍ଟାର୍କଟିକା ବ୍ୟତୀତ ଆଉ ସମସ୍ତ ମହାଦେଶରେ ଉପଲବ୍‌ଧ। ଇତର ପ୍ରାଣୀଙ୍କ ପରି ଏହା ଅଣ୍ଡା ନଦେଇ ସ୍ତନ୍ୟପାୟୀଙ୍କ ପରି ଛୁଆ ଜନ୍ମ କରିଥାଏ। ଦୀର୍ଘ ୬ ଦିନ ଯାଏ ଶ୍ବାସକ୍ରିୟା ବନ୍ଦ କରି ବଞ୍ଚିପାରୁଥିବା ଏହି ଜୀବ ଦୀର୍ଘ ବର୍ଷେ ଯାଏ ମଧ୍ୟ ଖାଦ୍ୟ ବିନା ରହିପାରିଥାଏ।

ବିଶେଷ କରି ରାତି ବା ଅନ୍ଧାରରେ ସକ୍ରିୟ ରହୁଥିବା କଙ୍କଡ଼ାବିଛା ଖଦଡ଼ା ହେଉ କି ମସୃଣ, କାନ୍ଥବାଡ଼ ଚଟାଣ ଯେ କୌଣସି ପୃଷ୍ଠତଳରେ ଅନାୟାସରେ ଚଢ଼ିପାରେ। ଏହାର କୌଣସି ଅସ୍ଥି ନଥାଇ ମଧ୍ୟ ଏହା କୌଣସି କୀଟ କି ପତଙ୍ଗ ଶ୍ରେଣୀଭୁକ୍ତ ନୁହେଁ। ସାଥୀ କଙ୍କଡ଼ାବିଛା ସହ ଏହା ସଂଗମ କଲା ବେଳେ ନୃତ୍ୟ କଲା ପରି ଜଣାପଡ଼େ। ଏହାର ତୀକ୍ଷ୍‌ଣ ଲାଙ୍ଗୁଡ଼ଟି ବିଷରେ ପୂର୍ଣ୍ଣ ହୋଇଥିବା ବେଳେ ଅନେକ ପ୍ରଜାତିର କଙ୍କଡ଼ାବିଛାର ବିଷ ବିଭିନ୍ନ ରୋଗ ପାଇଁ ମଧ୍ୟ ଉପଶମକାରୀ ସାବ୍ୟସ୍ତ ହୋଇଛି। ଏହାର ଖୋଳପାରେ ରହିଥିବା ଏକପ୍ରକାର ଉଜ୍ଜ୍ବଳକାରୀ ଯୌଗିକ ସକାଶେ ଅତିବାଇଗଣୀ ରଶ୍ମିରେ ଏହା ଜାଜ୍ବଲ୍ୟମାନ ଦିଶିଥାଏ।

Leave a Reply

Your email address will not be published. Required fields are marked *