ରାହୁଳ ଗାନ୍ଧୀ ଦେଇଥିବା ବିବୃତ୍ତି ଉପରେ ଜାତୀୟ ପଛୁଆ ବର୍ଗ ଆୟୋଗଙ୍କ ସ୍ପଷ୍ଟୀକରଣ


ନୂଆଦିଲ୍ଲୀ, ୯/୨ : ଏକ ସାଧାରଣ ସଭାରେ କଂଗ୍ରେସ ନେତା ଶ୍ରୀ ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପଛୁଆ ବର୍ଗ ଜାତି ସମ୍ପର୍କରେ ପ୍ରଶ୍ନ କରିବା ସହିତ ପ୍ରକୃତରେ ସେ ଏହି ଅନଗ୍ରସର ବର୍ଗର କି ନୁହଁନ୍ତି, ତାହାର ବାସ୍ତବ ସ୍ଥିତି ଜାଣିବାକୁ ଚାହିଁଛନ୍ତି ।
ଏହା ଉପରେ ଜାତୀୟ ପଛୁଆ ବର୍ଗ ଆୟୋଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି । ଆୟୋଗ ପକ୍ଷରୁ କୁହାଯାଇଛି ଯେ “ମୋଧ ଘାଞ୍ଚି” ଜାତି ମଣ୍ଡଳ କମିଶନ ତାଲିକାରେ ୯୧(ଏ) କ୍ରମିକରେ ଉଲ୍ଲେଖ ଅଛି । ଗୁଜରାଟ ସରକାର “ମୋଧ ଘାଞ୍ଚି” ଜାତିକୁ ଅନଗ୍ରସର ଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ୧୯୯୪ ଜୁଲାଇ ୨୫ ତାରିଖରେ ବିଜ୍ଞପ୍ତି ଜାରି କରିଥିଲେ ।
ଜାତୀୟ ଅନଗ୍ରସର ଜାତି ଆୟୋଗ ୧୯୯୭ ନଭେମ୍ବର ୧୫ରେ “ମୋଧ ଘାଞ୍ଚି” ଜାତିକୁ ଗୁଜରାଟ ରାଜ୍ୟ ପାଇଁ କେନ୍ଦ୍ରୀୟ ଅନଗ୍ରସର ଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ସୁପାରିସ କରିଥିଲେ । ଏ ସଂକ୍ରାନ୍ତ ଗେଜେଟ ବିଜ୍ଞପ୍ତି ୧୯୯୯ ଅକ୍ଟୋବର ୨୭ରେ ପ୍ରକାଶ ପାଇଥିଲା । ଜାତୀୟ ଅନଗ୍ରସର ବର୍ଗ ଆଇନ ୧୯୯୩ ଅନୁସାରେ କୌଣସି ଜାତି ଓ ସମ୍ପ୍ରଦାୟକୁ ଜାତୀୟ ପଛୁଆ ବର୍ଗଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଜାତୀୟ ଅନଗ୍ରସର ଜାତି ଆୟୋଗ ଯଦି ସୁପାରିସ କରନ୍ତି ତା ହେଲେ ତାହାକୁ ଗ୍ରହଣ କରିବାକୁ କେନ୍ଦ୍ର ସରକାର ସାଧାରଣତଃ ବାଧ୍ୟ ହୋଇଥାନ୍ତି । କେନ୍ଦ୍ରର ଅନ୍ୟାନ୍ୟ ପଛୁଆ ଜାତି (ଓବିସି) ତାଲିକାରେ ଗୁଜରାଟର ୧୦୪ ପ୍ରକାର ଜାତି ଓ ସମ୍ପ୍ରଦାୟ ସ୍ଥାନ ପାଇଛନ୍ତି । ସେଥି ମଧ୍ୟରେ “ମୋଧ ଘାଞ୍ଚି” ଜାତି ତାଲିକାଭୁକ୍ତ ହୋଇଛି । ଏହି ତାଲିକା ପ୍ରସ୍ତୁତି ଓ ବିଜ୍ଞପ୍ତି ପ୍ରକାଶ ପାଇବା ବେଳେ ଶ୍ରୀ ନରେନ୍ଦ୍ର ମୋଦୀ କୌଣସି ବିଧି ପ୍ରସ୍ତୁତକାରୀ ଅଥବା କାର‌୍ୟ୍ୟନିର୍ବାହୀ ପଦରେ ନ ଥିଲେ ବୋଲି ଜାତୀୟ ଅନଗ୍ରସର ଜାତି ଆୟୋଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ।

Leave a Reply

Your email address will not be published. Required fields are marked *