ଇସ୍ତଫା ଦାବିରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନକୁ କବଜା କଲେ ବିକ୍ଷୋଭକାରୀ, ଜୁଲାଇ ୧୫ପର୍ଯ୍ୟନ୍ତ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଶ୍ରୀଲଙ୍କାର ସ୍ଥିତି। ଦେଶର ଆର୍ଥିକ ସ୍ଥିତି ବିଗିଡ଼ିବା ପରେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ଏବେ ଶ୍ରୀଲଙ୍କାରେ ବିକ୍ଷୋଭକାରୀଙ୍କ ହିଂସାକୁ ନେଇ ଆଶ୍ଚର୍ଯ୍ୟଜନକ ଫଟୋ ସାମ୍ନାକୁ ଆସିଛି। ଲକ୍ଷଲକ୍ଷ ସଂଖ୍ୟକ ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ ଘେରାଉ କରିବା ସହ ଭିତରକୁ ପଶିବା ଉଦ୍ୟମ କରିବାରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ଭବନ ଛାଡି ପଳାଇଛନ୍ତି। ଏହାପରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ କବଜା କରିନେଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ ମଧ୍ୟରେ ପ୍ରବେଶ କରି ଭଙ୍ଗାରୁଜା କରିବା ସହ ‘ଗୋଟା ଗୋ ହୋମ’ର ସ୍ଲୋଗାନ ଦେଉଥିବା ସାମ୍ନାକୁ ଆସିଛି।
ଏମିତି କି କିଛି ବିକ୍ଷୋଭବାରୀ ରାଷ୍ଟ୍ରପତି ଭବନ ଭିତରେ ପଶି ଭିତରେ ଥିବା ସୁଇମିଂ ପୁଲରେ ପହଁରୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏଥସହ ରୋଷେଇ ଘରେ ପ୍ରବେଶ କରି ବିକ୍ଷୋଭକାରୀମାନେ ସାଇତା ହୋଇଥିବା ଖାଦ୍ୟସାମଗ୍ରୀ ଖାଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ସେଠାକାର ବିଭିନ୍ନ ଲୋକ ଏସବୁ ଘଟଣାର ଭିଡିଓ ଟୁଇଟ୍ କରିଛନ୍ତି। କେବଳ ସେତିକି ନୁହେଁ, ରାଷ୍ଟ୍ରପତି ଭବନର ଶୟନକକ୍ଷରେ ପଶି ଲୋକେ ଖଟରେ ବସି ମଜା କରୁଥିବା ମଧ୍ୟ ଦେଖିବାକୁ ମିଳିଛି।
ବିକ୍ଷୋଭ ପ୍ରଦର୍ଶନ ବେଳେ ଶ୍ରୀଲଙ୍କା ପୁଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହେବାରୁ ଏଥିରେ ପ୍ରାୟ ୧୦୦ଜଣ ଲୋକ ଆହତ ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ ସ୍ଥିତି ଖରାପ ହେଉଥିବାରୁ ଜୁଲାଇ ୧୫ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ କରାଯାଇଥିବା ବେଳେ ଅର୍ଥନୈତିକ ଅବସ୍ଥା ଖରାପ ହେତୁ ଶ୍ରୀଲଙ୍କା ଅତି କମରେ ଚାରିଟି ରାଜ୍ୟ ବିଶ୍ୱବିଦ୍ୟାଳୟକୁ ସାମୟିକ ଭାବେ ବନ୍ଦ କରିଛି। ଏହି ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଶ୍ରୀଲଙ୍କାର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ଦଳର ନେତାଙ୍କ ଜରୁରୀ ବୈଠକ ଡାକିଛନ୍ତି। ଏହା ସହ ସଂସଦ ଅଧିବେଶନ ଡକାଇବାକୁ ସେ ବାଚସ୍ପତିଙ୍କୁ ମଧ୍ୟ ନିବେଦନ କରିଛନ୍ତି। ଏହି ସମୟରେ ଶ୍ରୀଲଙ୍କା ପୋଦୁଜାନା ପେରାମୁନାର ୧୬ସାଂସଦ ଏକ ଚିଠି ଲେଖି ରାଷ୍ଟ୍ରପତି ଗୋଟାବାୟାଙ୍କୁ ତୁରନ୍ତ ଇସ୍ତଫା ଦେବାକୁ ଅନୁରୋଧ କରିଛନ୍ତି
ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଆର୍ଥିକ ପରିସ୍ଥିତ ଉତ୍କଟ ହେବାରୁ ମାର୍ଚ ମାସରୁ ଅଗଣିତ ପ୍ରତିବାଦକାରୀ ରାଷ୍ଟ୍ରପତି ରାଜପକ୍ଷେଙ୍କ ଇସ୍ତଫା ଦାବି କରି ଆସୁଥିଲେ। ହେଲେ ଏଭଳି ନହେବାରୁ ଏବେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି।