ଶୀତ ପରେ ଗ୍ରୀଷ୍ମ
ଶୀତ ଋତୁ ପରେ ଗ୍ରୀଷ୍ମ ଋତୁ ଏବେ
ଧରାପୃଷ୍ଠେ ବିଚରଣ
ଉତ୍ତାପ ବୃଦ୍ଧିରେ ବୃକ୍ଷ ଲତା ପଶୁ
ଅତିଷ୍ଠ ହୋଇବେ ଜାଣ ।୧।
ଗୁଳୁଗୁଳି ସଙ୍ଗେ ବର୍ଷା ଓ ପବନ
କୁଆ ପଥରର ମାଡ
ଖରାଦିନ ଚାଷ ନଷ୍ଟ ହେବ ପୁଣି
ଚାଷୀଭାଇ କଥା ଛାଡ ।୨।
ନିମ୍ନଗାମୀ ହେବ ଜଳସ୍ତର ଜାଣ
ଶୁଖିବ ପୋଖରୀ ପାଣି
ଜଳ ବିହୁନେ ଯେ ଡହଳ ବିକଳ
ଜଗତ ଯାକର ପ୍ରାଣୀ ।୩।
ରାସ୍ତାଘାଟ ସବୁ ହୋଇବ ଉତ୍ତପ୍ତ
ସଅଳେ ଲୋଡିବେ ବାସ
କାଳ ବୈଶାଖିରେ କେତେ ଲୋକଙ୍କର
ଉଡିଯିବ ଯେ ଉଆସ ।୪।
ଧରିତ୍ରୀ ମାତାର ବଢିବ ଦୁର୍ଦ୍ଦଶା
ପ୍ରଖର ଗ୍ରୀଷ୍ମ ପ୍ରବାହେ
ଆକୁଳ କଣ୍ଠରେ ଡାକିବେ ସମସ୍ତେ
ଜଗନ୍ନାଥ ରଖ ଆହେ ।୫।
ବିଚରା ମଣିଷ ନିରୁପାୟ ହୋଇ
ଦୁଇହାତ ଟେକି ଦେବ
ରଖ ଜଗନ୍ନାଥ ସୃଷ୍ଟିର ନିର୍ମାତା
କାହାକୁ କଷ୍ଟ ନଦେବ ।୬।
ଘନଘନ ଯିବ ବିଦ୍ଯୁତ ଆଲୋଅ
ଘୁରିବନି ଆଉ ପଙ୍ଖା
ଗୃହ ମଧ୍ଯେ ରହି ପରିବାର ଜନେ
ଲୋଡିବେ ଅନ୍ୟର ଶାଖା ।୭।
ଗ୍ରୀଷ୍ମ ଦିନ ଅଟେ କେତେ ଯେ ଦାରୁଣ
ଭୁଲି ପାରିବେନି କେହି
ମନେ ରଖିଥିବ କରୁଣ କାହାଣୀ
ଯାଉଅଛି ମୁହିଁ କହି ।୮।
ଶୀତଳ ପ୍ରକୋଷ୍ଠ ଶରୀର ପାଇଁ କି
ଆରାମ ଦାୟକ ଅଟେ
ରୋଗବ୍ଯାଧି ସୃଷ୍ଟି ମୂଳ କାରଣଟି
ଜୀବନ ବିତଇ କଷ୍ଟେ ।୯।
ସାବଧାନ ହୁଅ ପ୍ରିୟ ପରିଜନ
ବଢୁଛି ଗ୍ରୀଷ୍ମ ପ୍ରବାହ
ଅଯଥା ଭ୍ରମଣ ପ୍ରତି ଧ୍ଯାନ ଦେଲେ
ମନେ ନ ଆସିବ କୋହ ।୧୦।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, ମୋ – ୯୮୫୩୧୪୨୫୧୦