ବୈଜ୍ଞାନିକ ଜ୍ଞାନ କୌଶଳ ଭିତ୍ତିକ ସହରୀ ବଗିଚାର ସମ୍ମିଳନୀ

ଭୁବନେଶ୍ଵର : ପ୍ରବାହ ନ୍ୟୁଜ୍‌ : ସହରାଞ୍ଚଳ ଏବଂ ଉପ-ସହରାଞ୍ଚଳର ସୌନ୍ଦର୍ଯ୍ୟତା ବୃଦ୍ଧି, ପୁଷ୍ଟିକର ଉତ୍ପାଦ ଓ ସୁସ୍ଥ ପରିବେଶ ପାଇଁ ଉଭୟ ସହରୀ ଘର ଓ ଛାତ ବଗିଚାର ବିଶେଷ ମହତ୍ତ୍ଵ ରହିଛି । ସହରାଞ୍ଚଳର କଂକ୍ରିଟ ମୟ ଛାତର ଅବ୍ୟବହୃତ ସ୍ଥାନର ସଦୁପଯୋଗ, ସବୁଜ ସୁନ୍ଦର ପରିବେଶ ସହ ସଠିକ ପୋଷଣ ଓ ପୁଷ୍ଟି ନିରାପତ୍ତାକୁ ଦୃଷ୍ଟିରେ ରଖି ICAR-IIHR କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର(ସି.ଏଚ.ଇ.ଏସ), ଭୁବନେଶ୍ବର ଦ୍ୱାରା ପ୍ରସ୍ତାବିତ ଓଡିଶା ରାଜ୍ୟ ସରକାରଙ୍କ ବିତ୍ତ ପୋଷିତ ନାଵୋନ୍ମେଷୀ ପରିଯୋଜନାରେ ସହରାଞ୍ଚଳ ବାସୀଙ୍କ ପାଇଁ ବୈଜ୍ଞାନିକ ପଦ୍ଧତିରେ ଛାତ ବଗିଚା ଓ ଘର ବଗିଚାକୁ ପ୍ରୋସ୍ଛାହନ ଦିଆଯାଉଛି I ଏହି ପରିପ୍ରେକ୍ଷୀରେ ବଗିଚାକାରୀଙ୍କୁ ବୈଜ୍ଞାନିକ ଜ୍ଞାନ କୌଶଳ ଓ ନବୋନ୍ମେଷୀ ପ୍ରଯୁକ୍ତି ବିଦ୍ୟାର ସଠିକ ଜ୍ଞାନ ପ୍ରଦାନ ପାଇଁ ଓଡିଶାର ପାଞ୍ଚଟି ସହର ଯେପରିକି ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ଜୟପୁରରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ମାଧ୍ୟମରେ କେନ୍ଦ୍ରର ପ୍ରଧାନ ବୈଜ୍ଞାନିକ ତଥା ପ୍ରକଳ୍ପ ପ୍ରମୁଖ ଅନ୍ଵେଷକ ଡଃ. ପୀ. ଶ୍ରୀନିବାସଙ୍କ ମାର୍ଗଦର୍ଶନରେ ସି.ଏଚ.ଇ.ଏସ ଠାରେ ଦୁଇ ଦିନିଆ (23 ଓ 24 ଫେବ୍ରୁଆରି) “ଛାତ ବଗିଚା ଓ ସହରୀ ଉଦ୍ୟାନ କୃଷି ସମ୍ମିଳନୀ” ଆୟୋଜିତ କରାଯାଇଛି ।
ସମ୍ମିଳନୀର ପ୍ରଥମ ଦିନରେ ଦୁଇଟି ଗୁରୁତ୍ବପୂର୍ଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଓ ୟୁ ଏ ଟି ର ବରିଷ୍ଠ ଉଦ୍ୟାନ ବିତ ଡଃ ପି.ସି ଲେଙ୍କା ଓ ଚେସ ର ବୈଜ୍ଞାନିକ ଡଃ ଏ ଭି ଭି କଉଣ୍ଡନେୟ ଏହି ଅଧିବେଶନ ପରିଚାଳନା କରିବା ସହ ଅର୍ବାନ ଫାର୍ମିଙ୍ଗ ଓ ଋତୁ ଭିତ୍ତିରେ ଫଳ, ପନିପରିବା, ଫୁଲ, ସୌଖୀନ ଜାତୀୟ ଚାରା ସମ୍ବନ୍ଧରେ ବିଶେଷ ଜ୍ଞାନ ପ୍ରଦାନ କରିଥିଲେ। iihr ର ବରିଷ୍ଠ ବୈଜ୍ଞାନିକ ଡି. କଲାଇବାନନ ସହରାଞ୍ଚଳରେ ଛାତ ବଗିଚାର ବିଭିନ୍ନ ପଦ୍ଧତି, ଆବଶ୍ୟକ ମୃତ୍ତିକା ମିଶ୍ରଣ, ମୃତ୍ତିକା ବିହୀନ ଚାଷର ସବିଶେଷ ପର୍ଯ୍ୟାୟ, ନଡିଆ କତା ଓ କୋକୋପିଟ ମାଧ୍ୟମରେ ଚାଷର ସଠିକ ପ୍ରଣାଳୀ ସମ୍ବନ୍ଧରେ ଅବଗତ କରାଇଥିଲେ। ଅର୍ତିଆ ବିଶ୍ୱବିଦ୍ୟାଳୟ ବାଙ୍ଗାଲୋରର ସହ- ପ୍ରାଧ୍ୟାପକ ରାଧା ଶିବ ରମେୟା ମାଇକ୍ରୋ ଗ୍ରୀନ, ମାଇକ୍ରୋଗ୍ରୀନର ଉତ୍ପାଦନ ପ୍ରଣାଳୀର ସବିଶେଷ ପ୍ରଦର୍ଶନ କରାଇ ସଭିଙ୍କୁ ଜ୍ଞାନ ପ୍ରଦାନ କରିଥିଲେ।
ପରବର୍ତ୍ତୀ ଅଧିବେଶନରେ ବରିଷ୍ଠ ନେତା ତଥା ଉଦ୍ୟାନ ପ୍ରେମୀ ଶ୍ରୀ ପଞ୍ଚାନନ କାନୁନଗୋ ଓ କ୍ମହେଶ୍ଵର ଖିଲାର ଅଧିବେଶନ ପରିଚାଳନା କରିବା ସହ ଛାତ ବଗିଚା କରି ସଫଳତା ପାଇଥିବା ହିତାଧିକାରୀ ମାନେ ସେମାନଙ୍କ ନିଜସ୍ଵ ଉପଲବ୍ଧି ସଭିଙ୍କୁ ବାଣ୍ଟିଥିଲେ। ବୈଜ୍ଞାନିକ ଡି. କଲାଇବାନନଙ୍କ ଦ୍ଵାରା ଅର୍କା ଫର୍ମେଣ୍ଟେଡ କୋକୋପିଟ ର ପ୍ରସ୍ତୁତି ପ୍ରଣାଳୀ ପ୍ରଦର୍ଶିତ କରଯାଇଥିଲା। ଉପସ୍ଥିତ ହିତାଧିକାରୀ ମାନେ ଏହାର ପ୍ରସ୍ତୁତି ପ୍ରଣାଳୀ ଜାଣିବା ସହ ଅନେକ ପ୍ରଶ୍ନର ସରଳ ସମାଧାନ ଜାଣିପାରିଥିଲେ।
ସମ୍ମିଳନୀର ଦ୍ଵିତୀୟ ଦିନରେ ମଧ୍ୟ ଦୁଇଟି ଗୁରୁତ୍ବପୂର୍ଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଡଃ ଜେ. ଏନ ଦାସ ଓ ଡଃ.ଲକ୍ଷ୍ମଣ ପାଲଟା ସିଂ ଅଧିବେଶନ ପରିଚାଳନା କରିଥିଲେ । ନର୍ସରୀ ଓ ନର୍ସରୀ ଉପକରଣର କର୍ମକର୍ତ୍ତା ତଥା ଉଦ୍ଯୋଗୀ ମାନେ ସେମାନଙ୍କ ନର୍ସରୀ ସମ୍ବନ୍ଧୀୟ ଉପଲବ୍ଧି ବାଣ୍ଟିବା ସହ ସହରାଞ୍ଚଳରେ ଆନୁଷଙ୍ଗିକ ସରଞ୍ଜାମ, ଚାରା, ମଞ୍ଜି ର ସହଜ ଉପଲବ୍ଧତା ସମ୍ବନ୍ଧରେ ପ୍ରତିଶୃତି ଦେବା ସହ ଆଗାମୀ ଦିନରେ ଏହାର ସର୍ଭିସ କିପରି ଅଧିକ ସହଜ ଲଭ୍ୟ ହୋଇପାରିବ ସେ ସମ୍ବନ୍ଧରେ ଅବଗତ କରାଇଥିଲେ। ଯୋଗଦେଇଥିବା ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ଛାତ୍ରୀ ଅର୍ବାନ ଗାର୍ଡେନ ସମ୍ବନ୍ଧରେ ପାଠ୍ୟକ୍ରମ ସମ୍ବନ୍ଧିତ ଅନେକ ତଥ୍ୟ ପ୍ରଦାନ କରିଥିଲେ। ପରେପରେ ସହ- ପ୍ରାଧ୍ୟାପକ ରାଧା ଶିବ ରମେୟା ମାଇକ୍ରୋ ଗ୍ରୀନ, ମାଇକ୍ରୋଗ୍ରୀନର ଉତ୍ପାଦନ, ବ୍ୟବହୃତ ଜୈବିକ ସରଞ୍ଜାମ, ଏହାର ପୌଷ୍ଟିକ ତତ୍ତ୍ଵ ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରିଥିଲେ। ପରେ ପରେ ହିତାଧିକାରୀ ମାନଙ୍କ ସୁଫଳ ପାଇଁ ଏକ ଉଦ୍ୟାନ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ଗୁଡିକୁ ବିଶେଷଙ୍ଗ୍ୟ ମାନେ ସମାଧାନ କରିଥିଲେ।
ଏହି ସମ୍ମିଳନୀରେ ଅନ୍ୟ ବିଶେଷଜ୍ଞ୍ନ ମାନେ ବିଭିନ୍ନ ଅଧିବେଶନରେ ସହରୀ ବଗିଚାର ଉପାଦେୟ ତଥ୍ୟ ସମ୍ବନ୍ଧରେ ସଭିଙ୍କୁ ଜ୍ଞାନ ପ୍ରଦାନ କରିବା ସହ ସହରୀ ମହିଳାମାନଙ୍କ ବଗିଚା କର୍ମରେ ଭାଗୀଦାରୀତା ସମ୍ବନ୍ଧରେ ମଧ୍ୟ ଆଲୋକପାତ କରିଥିଲେ । ଏହା ସହ ବିଶେଷ କରି ସହରାଞ୍ଚଳ ଲୋକେ କିପରି ବଗିଚା କର୍ମ ପ୍ରତି ଆକୃଷ୍ଟ ହେବେ ଓ ଆଗାମୀ ଦିନରେ ପ୍ରତ୍ଯେକଟି ଘରେ ସବୁଜ ସୁନ୍ଦର ଫୁଲ, ପରିବା, ଫଳ ଭରା ବଗିଚା ହୋଇପାରିବ, ଏ ସବୁକୁ ଏହି ପ୍ରଦର୍ଶନୀ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ହିଁ ପ୍ରମୁଖ ଉଦ୍ଦେଶ୍ୟ । କେନ୍ଦ୍ରରେ ବିଗତ ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ସହରରୁ ଆସିଥିବା ସହରୀ ଘର ଓ ଛାତ ବଗିଚା ପ୍ରେମୀମାନେ ନିଜ ଘରର ପାର୍ଶ୍ଵବର୍ତ୍ତୀ ସ୍ଥାନ, ଛାତ ଉପର ସ୍ଥାନ ବାଲକୋନୀ ଥିବା ଉପଭୋକ୍ତା ମାନେ ସ୍ଥାନର ସଠିକ ବିନିଯୋଗ ପୂର୍ବକ ଉକ୍ତ ସ୍ଥାନରେ ବୈଜ୍ଞାନିକ ତଥା ବିଭିନ୍ନ ଅତ୍ୟାଧୁନିକ ପଦ୍ଧତି ମାଧ୍ୟମରେ ଋତୁ ଅନୁଯାୟୀ ଚାଷର କୌଶଳ ଆଦି ଏହି କର୍ମଶାଳା ମାଧ୍ୟମରେ ଜାଣିବାକୁ ପାଇଥିଲେ।
ବିଶେଷଜ୍ଞ ମାନେ ବିଭିନ୍ନ ପରଜ୍ଯୟରେ ବିଭିନ୍ନ ଉପାଦେୟ ପୂର୍ଣ ତଥ୍ୟ ସମ୍ବନ୍ଧରେ ଆଲୋଚ କରିଥିଲେ, ଯେପରିକି ଛାତ ଉପର ବଗିଚା ପାଇଁ ବିଭିନ୍ନ ନିୟମାବଳୀ ତଥା ବିଭିନ୍ନ କୌଶଳ ଯେପରିକି ଅର୍କାର ଉନ୍ନତ କିସମ ବିହନ ଚୟନ, କଂକ୍ରିଟ କୁଣ୍ଡ ବଦଳରେ ଗ୍ରୋ-ବ୍ଯାଗର ଉପଯୋଗ, କେବଳ ମାଟି ବଦଳରେ ଅନ୍ଯାନ୍ଯ ପୋଷକ ଯୁକ୍ତ ମିଡିଆ ଯେପରିକି ଜିଆଖତ, ଗୋବର ଖତ, କୋକୋପିଟ, ଚଷୁ ମିଶ୍ରଣର ବ୍ୟବହାର, ରୋଗପୋକ ନଲାଗିବା ପାଇଁ ନିମ୍ବ, କରଞ୍ଜ ତେଲର ବ୍ୟବହାର, ଚାରା ଗଛର ସଠିକ ବୃଦ୍ଧି ନିମିତ୍ତ ଅର୍କା ମାଇକ୍ରୋବିୟଲ କନସୋର୍ଟିୟମ ଓ ଅର୍କା ଶସ୍ଯ ପୋଷକ ରସର ଉପଯୋଗ, ଜୈବିକ ଖାଦ ପ୍ରସ୍ତୁତି ପାଇଁ ଅର୍କା ଡିକମ୍ପୋଜରର ବ୍ୟବହାର, ଅର୍କା ଫର୍ମେଣ୍ଟେଡ କୋକୋପିଟ ମାଧ୍ୟମରେ ଉନ୍ନତ ଚାରା ବୃଦ୍ଧି, ପ୍ରୋ-ଟ୍ରେ ମାଧ୍ୟମରେ ଉତ୍ତମ ମାନର ଚାରା ଉତ୍ପାଦନ ପ୍ରଣାଳୀ ଓ ବୁନ୍ଦା ଜଳସେଚନ ପଦ୍ଧତି ସହ ସ୍ୱଳ୍ପ ସ୍ଥାନରେ ଅର୍କା ଭର୍ଟିକାଲ ମଡେଲ ମାଧ୍ୟମରେ ବିଭିନ୍ନ ପ୍ରକାର ଫୁଲ, ଫଳ, ରଙ୍ଗୀନ ଚାରା ପରିବା ଆଦି ବୃଦ୍ଧି କୌଶଳର ଜ୍ଞାନ ଦିଆଯାଉଛି ।
ମୃତ୍ତିକା ବିହୀନ ହାଇଡ୍ରୋପନିକ ପଦ୍ଧତି ମାଧ୍ୟମରେ କିପରି ବିଭିନ୍ନ କିସମର ଫୁଲ, ଫଳ, ରଙ୍ଗୀନ ଚାରା, ପରିବା ଆଦି ଚାଷ କରାଯାଇପାରୁଛି ସେ ସମ୍ବନ୍ଧରେ ସଭିଙ୍କୁ ଅବଗତ କରାଯାଉଛି । ଛାତ ଉପରେ ପାଣି ନଜମିବା ପାଇଁ ଅତ୍ୟାଧୁନିକ ଡ୍ରେନେଜ ସେଲର ବ୍ୟବହାର, ଟାୱାର ମଡେଲ ମାଧ୍ୟମରେ ବିଭିନ୍ନ ଶାଗ ଜାତୀୟ ଫସଲ, ଫୁଲ, ପରିବା ଆଦି ଚାଷ ପ୍ରଣାଳୀ, ପ୍ଲାଷ୍ଟିକ ଟ୍ରେରେ ଲତାଜାତୀୟ ପନିପରିବା ପାଇଁ ବାଉଁଶ ବତାରେ ପ୍ରସ୍ତୁତ ରଞ୍ଜା ପଦ୍ଧତି, ଟମାଟୋ, ବାଇଗଣ, ଲଙ୍କା ପ୍ରଭୃତି ନରମ କାଣ୍ଡ ଯୁକ୍ତ ଚାରା ପାଇଁ ଢିରା ପଦ୍ଧତି ଇତ୍ୟାଦି। ଆକର୍ଷଣୀୟ ସୁନ୍ଦରତା ପାଇଁ ହ୍ୟାଗିଂ କୁଣ୍ଡ ବ୍ୟବହାର, ଛାତ ବଗିଚାରେ ଚାରା ମଧ୍ୟରେ ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ, ଛୋଟ ଫଉଣ୍ଟେନ ଭଳି ଦୃଶ୍ୟପଟ୍ଟର ଅନନ୍ୟ କୌଶଳ ସମ୍ବନ୍ଧରେ ସଭିଙ୍କୁ ଅବଗତ କରାଯାଉଛି । ବଗିଚାରେ ବିଭିନ୍ନ ପ୍ରକାର ଫୁଲ, ଫଳ, ରଙ୍ଗୀନ ଚାରା, ପରିବା ସହ ଆନୁଷଙ୍ଗିକ ଭାବେ ଜିଆ ଖତ ପ୍ରସ୍ତୁତି, ଛତୁ ବେଡ ପ୍ରସ୍ତୁତି, ମହୁମାଛି ପାଳନ ପ୍ରଭୃତି ଉପୋଭୋକ୍ତାଙ୍କୁ ଅଧିକ ଲାଭ ପ୍ରଦାନ କରିଥାଏ। ଏହା ସହ ସହରୀ ଚାଷୀଙ୍କୁ ପ୍ରୋତ୍ଶାହିତ କରିବା ପାଇଁ ବିଭିନ୍ନ ବିହନ କିସମ, ଚାରା, ଅର୍କା ଉତ୍ପାଦ ଗୁଡିକୁ ସବସିଡି ମାଧ୍ୟମରେ ବିତରଣ କରଯାଇଥିଲା । ସହରୀ ବଗିଚା ହିତାଧିକାରୀଙ୍କ ବଗିଚା ସମ୍ବନ୍ଧୀୟ ଜ୍ଞାନ କୌଶଳ ବୃଦ୍ଧି ଓ ଉତ୍ତମ ମାନର ନର୍ସରୀ ସରଞ୍ଜାମ ଉପଲବ୍ଧତାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ଓ ବେସରକାରୀ ନର୍ସରୀ ତରଫରୁ ପ୍ରଦର୍ଶନୀ ସହ ଉତ୍ତମ ମାନର ମଞ୍ଜି, ଚାରା ଓ ଅନ୍ୟାନ୍ୟ ନର୍ସରୀ ଆନୁଷଙ୍ଗିକ ସରଞ୍ଜାମର ବିକ୍ରୀ ବ୍ୟବସ୍ଥା ବିଭିନ୍ନ ଷ୍ଟଲ ମାଧ୍ୟମରେ ଉପଲବ୍ଧ କରଯାଇଥିଲା ।
ଅନ୍ତିମ ଅଧିବେଶନରେ, ଆଗାମୀ ଦିନରେ କେନ୍ଦ୍ରର ଏହି ପ୍ରୟାସକୁ ପ୍ରତିଟି କଲୋନୀ, ପ୍ରତିଟି ଘରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି ବୋଲି ଡଃ ଶ୍ରୀନିବାସ ମତ ପୋଷଣ କରିଛନ୍ତି ଏବଂ ଯାହାଦ୍ୱାରା ସହରାଞ୍ଚଳ ପରିବେଶ ସୁସ୍ଥ ହେବା ସହ ସହର ବାସୀ ପୁଷ୍ଟି ନିରାପତ୍ତା ଓ ସଠିକ ପୋଷଣ ପାଇବାର ଆଶା କରାଯାଉଛି । ପ୍ରଦର୍ଶନୀର ଏକ ସ୍ଵତନ୍ତ୍ର ପର୍ଯ୍ୟାୟରେ ସହରାଞ୍ଚଳରେ ଛାତ ବଗିଚା କରି ସୁଫଳ ପାଇଥିବା ହିତାଧିକାରୀ ସେମାନଙ୍କର ସଫଳତା ସମ୍ବନ୍ଧରେ ସଭିଙ୍କୁ ନିଜ ନିଜର ଉପଲବ୍ଧି ଜଣାଇଥିଲେ। ସହରାଞ୍ଚଳରେ ଛାତ ବଗିଚା କରି ଅନନ୍ୟ ସଫଳତା ପାଇଥିବା ତଥା ଅନ୍ୟମାନଙ୍କ ପାଇଁ ଦିଗଦର୍ଶକ ସାଜିଥିବା ସଫଳ ସହରୀ ଉଦ୍ୟାନ ପ୍ରେମୀମାନଙ୍କୁ ଏହି ଆୟୋଜିତ ସମ୍ମିଳନୀରେ ପୁରସ୍କୃତ କରଯାଇଥିଲା । ଏହି ଦୁଇ ଦିନିଆ ପ୍ରଦର୍ଶନୀରେ ସହରାଞ୍ଚଳ ବଗିଚା ପାଇଁ 250ରୁ ଊର୍ଦ୍ଧ୍ଵ ବଗିଚା ହିତାଧିକାରୀ ଓ ଆଗ୍ରହୀ ଉପଭୋକ୍ତା ପଞ୍ଜୀକରଣ କରି ବଗିଚା ସମ୍ବନ୍ଧୀୟ ଜ୍ଞାନ/ତଥ୍ୟ ପାଇବାର ସୁଯୋଗ ପାଇଥିଲେ।

Leave a Reply

Your email address will not be published. Required fields are marked *