ଏସ୍‌ବିଆଇ ରିପୋର୍ଟ: ୨୦୨୯ରେ ଭାରତ ତୃତୀୟ ବୃହତ୍ ଅର୍ଥନୀତି

ନୂଆଦିଲ୍ଲୀ: ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତିରେ ପରିଣତ ହୋଇଥିବା ରିପୋର୍ଟ ଗତକାଲି ଆସିଥିଲା। ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଖୁସି ଦେଖାଦେଇଥିବାବେଳେ ଆଜି ପୁଣି ଆଉ ଏକ ଆଶାଜନକ ଖବର ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଗବେଷଣା ରିପୋର୍ଟରୁ ଜଣାଯାଇଛି। ରିପୋର୍ଟ ଅନୁସା‌ରେ ୨୦୨୭ ମସିହା ସୁଦ୍ଧା ଭାରତ ବିଶ୍ବର ଚତୁର୍ଥ ବୃହତ୍ ଏବଂ ୨୦୨୯ ସୁଦ୍ଧା ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ। ଅର୍ଥାତ୍ ୩ ବର୍ଷ ମଧ୍ୟରେ ଭାରତ ଜର୍ମାନୀକୁ ଏବଂ ୫ ବର୍ଷ ମଧ୍ୟରେ ଜାପାନକୁ ପଛକୁ ଠେଲି ଭାରତ ଏହି ସ୍ଥାନ ଦଖଲ କରିବ। ବର୍ତ୍ତମାନର ଅଭିବୃଦ୍ଧି ହାରରେ ଭାରତ ଏହି ସଫଳତା ପାଇବ।

୨୦୧୪ ମସିହାରୁ ଭାରତ ଯେଉଁ ପଥ ଅନୁସରଣ କରିଛି ତାହାଦ୍ବାରା ୨୦୨୯ ସୁଦ୍ଧା ଭାରତ ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ। ଅର୍ଥାତ୍ ୨୦୧୪ରୁ ୨୦୧୯ ମଧ୍ୟରେ ଭାରତ ୭ଟି ସ୍ଥାନ ଉପରକୁ ଉଠିବ। ୨୦୧୪ରେ ଭାରତ ବିଶ୍ବର ଦଶମ ବୃହତ୍ ଅର୍ଥନୀତି ଥିବାବେଳେ ବର୍ତ୍ତମାନ ସୁଦ୍ଧା ପଞ୍ଚମ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି। ୨୦୨୯ ସୁଦ୍ଧା ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବା ଏକ ଉଲ୍ଲେଖନୀୟ ସଫଳତା ବୋଲି ଏସ୍‌ବିଆଇ ଗ୍ରୁପ୍‌ର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ସୌମ୍ୟ କାନ୍ତି ଘୋଷ କହିଛନ୍ତି।

ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ଭାରତର ଜିଡିପି ଅଭିବୃଦ୍ଧି ୧୩.୫ ପ୍ରତିଶତ ରହିଛି। ଏହି ହାରରେ ଭାରତ ଚଳିତ ଆର୍ଥିକ ବର୍ଷରେ ବିଶ୍ବର ସର୍ବାଧିକ ଅଭିବୃଦ୍ଧି ହାସଲକାରୀ ଦେଶରେ ପରିଣତ ହେବ। ଯଦିଓ ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ହାର ୭.୭ ପ୍ରତିଶତରୁ ୬.୭ ପ୍ରତିଶତକୁ କମିଯିବ ବୋଲି ଆକଳନ କରାଯାଇଛି ତାହାର କିଛି ପ୍ରଭାବ ପଡ଼ିବନି ବୋଲି ରିପୋର୍ଟରେ କୁହାଯାଇଛି। ସମଗ୍ର ବିଶ୍ବ ଏବେ ବିଭିନ୍ନ ପ୍ରକାର ଅନିଶ୍ଚିତତା ଦେଇ ଗତି କରୁଛି। ତେଣୁ ୬ରୁ ୬.୫ ପ୍ରତିଶତ ଅଭିବୃଦ୍ଧି ନୂଆ ସ୍ବାଭାବିକ ବୋଲି ରିପୋର୍ଟରେ କୁହାଯାଇଛି। ବିଶ୍ବ ଜିଡିପିରେ ଭାରତର ଅଂଶ ୨୦୧୪ରେ ୨.୬ ପ୍ରତିଶତ ଥିଲା। ବର୍ତ୍ତମାନ ଏହା ୩.୫ ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ୨୦୨୭ରେ ଏହା ୪ ପ୍ରତିଶତ ଅତିକ୍ରମ କରିବା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *