ଏସ୍ବିଆଇ ପକ୍ଷରୁ ପ୍ରତିରକ୍ଷା ବେତନ ପ୍ୟାକେଜ୍ ପାଇଁ ଭାରତୀୟ ବାୟୁସେନା ସହ ଏମ୍ଓୟୁ ସ୍ୱାକ୍ଷର

ଭୁବନେଶ୍ୱର: ସ୍ୱତନ୍ତ୍ର ପ୍ରତିରକ୍ଷା ବେତନ ପ୍ୟାକେଜ୍ ସ୍କିମ୍ ମାଧ୍ୟମରେ ଭାରତୀୟ ବାୟୁସେନା ପାଇଁ କାମ କରୁଥିବା ସମସ୍ତ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ସୁବିଧା ଓ ସୁଯୋଗ ପ୍ରଦାନ କରିବା ଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍ବିଆଇ) ପକ୍ଷରୁ ଭାରତୀୟ ବାୟୁ ସେନା ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରାଯାଇଛି ।
ନୂଆଦିଲ୍ଲୀରେ ଏୟାର ଚିଫ୍ ମାର୍ଶଲ ଭି ଆର୍ ଚୌଧୁରୀ, ଏୟାର ମାର୍ଶଲ କେ ଅନନ୍ତରମଣ, ଏୟାର ଅଫିସର ଇନଚାର୍ଜ ଓ ଏୟାର ଭାଇସ୍ ମାର୍ଶଲ ଅଶୋକ ସଇନି, ଆସିଷ୍ଟାଂଟ୍ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ସ୍ୱାମିନାଥନ୍ ଜେ, ଏସ୍ବିଆଇର ଏମ୍ଡି ପି ସି କାଣ୍ଡପାଲ୍, ଏସ୍ବିଆଇର ଉପ ପରିଚାଳନା ନିର୍ଦେଶକ ଦେବେନ୍ଦ୍ର କୁମାର ଓ ଏୟାର ଭାଇସ୍ ମାର୍ଶଲ ଏ କେ ସିଂହଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ମାଗଣା ଦୁର୍ଘଟଣା ବୀମା, ବାୟୁ ଦୁର୍ଘଟଣା ବୀମା ଏବଂ କର୍ତବ୍ୟ ପାଳନ ସମୟରେ ମୃତ୍ୟୁ ପାଇଁ ଅତିରିକ୍ତ ସୁରକ୍ଷା, ସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ/ ଆଂଶିକ ଦିବ୍ୟାଙ୍ଗ ପାଇଁ ମଧ୍ୟ ବୀମା ସୁବିଧା ଭଳି ବହୁ ପ୍ରକାର ଲାଭ ଏସ୍ବିଆଇ ପ୍ରଦାନ କରୁଛି । ବାୟୁ ସେନା କର୍ମଚାରୀଙ୍କ ମୃତ୍ୟୁ ଭଳି ମାମଲାରେ ତାଙ୍କ ପିଲାଙ୍କ ଶିକ୍ଷା ଓ ବାଳିକା ଶିଶୁର ବିବାହ ପାଇଁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉଛି । ଏହି ପ୍ୟାକେଜ୍ରେ ଅବସରପ୍ରାପ୍ତ ବାୟୁ ସେନା କର୍ମଚାରୀଙ୍କୁ ତାଙ୍କ ବୟସ ଯାହା ହୋଇଥାଉ ନା କାହିଁକି ମାଗଣା ବ୍ୟକ୍ତିଗତ ଦୁର୍ଘଟଣା ବୀମା ସୁବିଧା ପ୍ରଦାନ କରାଯାଉଛି ।
ପେନ୍ସନ୍ଭୋଗୀଙ୍କ ପରିବାରକୁ ମଧ୍ୟ ବହୁ ସୁବିଧା ପ୍ରଦାନ କରାଯାଉଛି ।
ଦେଶ ଗଠନ ପାଇଁ ବାୟୁ ସେନା କର୍ମଚାରୀମାନେ ପ୍ରଦାନ କରୁଥିବା ନିଃସ୍ୱାର୍ଥପର ସେବା ପାଇଁ ସେମାନଙ୍କ ପ୍ରତି କୃତଜ୍ଞତା ସ୍ୱରୂପ ଏସ୍ବିଆଇ ପକ୍ଷରୁ ଏହି ସହଯୋଗିତା ହେଉଛି ଏକ ଛୋଟ ପଦକ୍ଷେପ ।
ଏସ୍ବିଆଇର ଅଧ୍ୟକ୍ଷ ଦୀନେଶ୍ ଖାରା କହିଛନ୍ତି ଯେ, “ଆମର ପ୍ରତିରକ୍ଷା ବେତନ ପ୍ୟାକେଜ୍ ଜରିଆରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ସୁବିଧା ପ୍ରଦାନ କରିବା ଲାଗି ଭାରତୀୟ ବାୟୁ ସେନା ସହିତ ସହଯୋଗିତା ସ୍ଥାପନ କରିବା ଆମ ପାଇଁ ସମ୍ମାନ ଓ ଗର୍ବର ବିଷୟ । ଆମ ଦେଶ ଓ ଏହାର ନାଗରିକମାନଙ୍କ ସୁରକ୍ଷା ପାଇଁ ଭାରତୀୟ ବାୟୁ ସେନାର ଅଦମ୍ୟ ଉଦ୍ୟମକୁ ଆମେ ଏସ୍ବିଆଇରେ ସମର୍ଥନ କରୁଛୁ । ଆମର ପ୍ରମୁଖ ପ୍ରତିରକ୍ଷା ବେତନ ପ୍ୟାକେଜ୍ ଅଧୀନରେ ଆମେ ପ୍ରତିରକ୍ଷା କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ସମାଧାନ ପ୍ରଦାନ କରିବା ଜାରି ରଖିବୁ ।’’
ବ୍ୟାଙ୍କ୍ର ପ୍ରତିରକ୍ଷା ବେତନ ପ୍ୟାକେଜ୍ ଅଧୀନରେ ରହିଥିବା ସମସ୍ତ ବାୟୁ ସେନା ଅଧିକାରୀଙ୍କୁ ଏହି ଏମ୍ଓୟୁରେ ଥିବା ସୁବିଧା ସ୍ୱୟଂକ୍ରିୟ ଭାବେ ଉପଲବ୍ଧ ହେବ ।