ଅବ୍ୟବସ୍ଥା ଘେରରେ ସାନନଇରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର:ମିଳୁନି ଟିଟାନସ ଇଞ୍ଜେକସନ

ଚିଲିକା:୧୯/୯(ପ୍ରବାହ ନିଉଜ) ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସାନ ନଇରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ପାଇଁ ଟିଟାନସ ଇଞ୍ଜେକ୍ସନର ଅଭାବ ରହିଥିବା କଥା କୁହା ଯାଉଥିବା ବେଳେ ବାହାରେ ଚଢା ଦରରେ ବିକ୍ରି କରାଯାଉଛି ବୋଲି ଅଭିଯୋଗ ଆଣିଲେ ଚିକିତ୍ସା ପାଇଁ ଆସିଥିବା ସ୍ଥାନୀୟ ରୋଗୀ ।
ସୂଚନା ମୁତାବକ ସାନ ନଇରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଆଖପାଖରେ ଥିବା ତିନୋଟି ପଞ୍ଚାୟତର ଜନସାଧାରଣ ନିର୍ଭର କରୁଥିବାବେଳେ ସ୍ବାସ୍ଥ୍ୟ କେନ୍ଦ୍ରରେ କୌଣସି ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ମଧ୍ୟ ଉପଲବ୍ଧ ନାହିଁ। ଏପରିକି କୌଣସି ଦୁର୍ଘଟଣା ଜନିତ ସ୍ଥାନୀୟ ରୋଗୀ ଆଶୁ ଚିକିତ୍ସା ପାଇଁ ଆସୁଥିବାବେଳେ ସେମାନଙ୍କ ନିମନ୍ତେ ଆବଶ୍ୟକୀୟ ଟିଟାନସ ଇଞ୍ଜେକସନର ମଧ୍ୟ ଉପଲବ୍ଧ ହୋଇପାରୁ ନଥିବାରୁ ରୋଗୀଙ୍କୁ ବାହାର ଔଷଧ ଦୋକାନରୁ ଟିଟାନସ ଇଞ୍ଜେକସନ ଆଣିବାକୁ ପଡୁଛି। ଏପରି ସ୍ଥଳେ ଔଷଧ ଦୋକାନୀଙ୍କ ମନମାନି ସାଙ୍ଗକୁ ଚଢା ଦରରେ ଇଞ୍ଜେକସନ ବିକ୍ରି କରୁଥିବା ଘଟଣା ସାମ୍ନାକୁ ଆସିଛି।
ଅଭିଯୋଗ ଅନୁସାରେ ଚିଲିକା ବ୍ଲକ ସାନ ନଇରି ପଞ୍ଚାୟତ ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ଜୟ ବେହେରାଙ୍କ ପୁଅ ଅଜିତ ବେହେରା ସାଇକେଲରୁ ପଡ଼ି ଆଘାତପ୍ରାପ୍ତ ହେବାପରେ ପରିବାର ଲୋକ ତାଙ୍କୁ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମାତ୍ର କାର୍ଯ୍ୟରେ ଥିବା ଡାକ୍ତର ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ବାହାରୁ ଇଞ୍ଜେକସନ ଆଣିବା ପାଇଁ କହିଥିବା ବେଳେ ଔଷଧ ଦୋକାନୀ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଢେର ଅଧିକ ମୂଲ୍ୟ ଇଞ୍ଜେକସନ ବାବଦରେ ନେଇଥିଲେ ଏବଂ ପ୍ରତିବାଦ କରିବାରୁ ଫ୍ରିଜର ଚାର୍ଜ ଲାଗୁଛି, ତେଣୁ ଅଧିକା ଦାମରେ ବିକ୍ରୀ କରିବାକୁ ବାଧ୍ୟ ହେଉଛୁ କହି କଥାକୁ ଏଡାଇ ଦେଇଥିଲେ।
ଏ ସମ୍ବନ୍ଧରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ରୂପେଶ ବଳବନ୍ତରାୟଙ୍କୁ ଯୋଗାଯୋଗ କରିବାରେ ଆବଶ୍ୟକ ପରିମାଣର ଟିଟାନସ ଇଞ୍ଜେକସନ ଆସୁନଥିବାରୁ ଆମ ପାଖରେ ଗଛିତ ନାହି ବୋଲି କହିଛନ୍ତି । ତେବେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ନିରାମୟ ଯୋଜନାରେ ଔଷଧ ବିନା ମୂଲ୍ୟରେ ଯୋଗାଇ ଦେଉଥିବା ବେଳେ ବାସ୍ତବଚିତ୍ର ସମ୍ପୂର୍ଣ ଅଲଗା ବୋଲି ଏପରି ଘଟଣାରୁ ବାରି ହୋଇ ପଡ଼ୁଛି । ସେପଟେ ରୋଗୀ ଏସବୁରୁ ବାଦ ପଡିବା ସହ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି। ଏଦିଗରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।