ଅସଚେତନ ପିତାମାତା :ନିରଵଦ୍ରଷ୍ଟା ସାଜିଛି ପ୍ରଶାସନ

ଖୋର୍ଦ୍ଧା : ୦୨/୦୪/୨୦୨୧ : ସକାଳୁ ନେଇ ରାତି ପର୍ଯ୍ୟନ୍ତ ସହର ର ମୁଖ୍ୟ ରାସ୍ତାରେ ଧନୀକ ଗୋଷ୍ଠିର ପିତାମାତାଙ୍କ ପଥଭ୍ରଷ୍ଟ ଉନ୍ମାଦ ନାବାଳକ ଓ ନାବାଳିକା ଙ୍କ ବେପରୁଆ ଗାଡ଼ି ଚାଳନାରେ ଆତଙ୍କିତ ଏବେ ରାସ୍ତାରେ ଯାତାୟାତ କରୁଥିବା ଅନ୍ୟ ଯାତ୍ରୀ । ରାଜରାସ୍ତାରେ ସୃଷ୍ଟି ହେଉଛି ଭୟର ବାତାବରଣ । ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ନୂତନ ଟ୍ରାଫିକ ନିୟମ ବିଷୟରେ ସବୁ ଜାଣି ନ ଜାଣିବାର ଅଭିନୟ ହେଉ ଅଥବା ପାଶ୍ଚାତ୍ୟ ସଭ୍ୟତା କୁ ଆପଣାଇଥିବା ନିଜ ପିଲାର ଜିଦ ଆଗରେ ହାର ମାନି ସ୍କୁଲ, କଲେଜ୍‌କୁ ଯିବା ପାଇଁ ଅଭିଭାବକ ମାନେ ସେମାନଙ୍କ ପିଲାଙ୍କୁ ଷ୍ଟାଇଲିସ୍ ବାଇକ୍ କିଣି ଦେଉଛନ୍ତି, ମାତ୍ର ପିଲାମାନଙ୍କୁ ଗାଡ଼ି ଚାଳନା ଓ ଟ୍ରାଫିକ ନିୟମ ବିଷୟରେ ସଚେତନ କରାଉ ନଥିବା ବେଳେ ପ୍ରକାରନ୍ତରେ ସରକାରଙ୍କ ନିୟମକୁ ଉଲଂଘନ୍ନ କରୁଥିବାର ଦେଖିବାକୁ ମିଳୁଛି। ଏହାର ଫଳ ସ୍ୱରୂପ ନିଜ ପିଲାର ଭୁଲ ହେତୁ ମୋଟା ଅଙ୍କର ଜୋରିମାନା ମଧ୍ୟ ଗଣୁଥିବାର ଘଟଣା ଦେଖିବାକୁ ମିଳୁଛି ।

ସରକାରଙ୍କ ପକ୍ଷରୁ ନୂତନ ଟ୍ରାଫିକ ନିୟମ ଲାଗୁ ହେବା ପରେ ସ୍ଥାନୀୟ ପ୍ରଶାସନର କିଛିଦିନ ଧରି ଲୋକ ଦେଖାଣିଆ ଧରପଗଡ, ଜୋରିମାନା । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ସେପରି କିଛି ପଦକ୍ଷେପ ନିଆଯାଉ ନଥିବାରୁ ସ୍କୁଲ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ସହ କିଛି ଉଦ୍‌ବୁଦ୍ଧ ଯୁବଗୋଷ୍ଠୀ ଧରାକୁ ସରା ମଣି ଗାଡ଼ି ଚଲାଉଛନ୍ତି । ଯାହା ଫଳରେ ଅନ୍ୟ ଯାତ୍ରୀ ଓ  ସାଧାରଣ ପଥଚାରୀଟିଏ ବିନା କାରଣରେ ଆଘାତପ୍ରାପ୍ତ ହୋଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛି । ଏପରି କିଛି ଘଟଣା ବିଗତ ଦିନରେ ସ୍ଥାନୀୟ ପଶୁ ଡାକ୍ତରଖାନା ଛକ ନିକଟରେ ଘଟିଥିଲା, ଯେଉଁଥିରେ ଖୋର୍ଦ୍ଧାର ଜନୈକ ବ୍ୟବସାୟୀଙ୍କ ନାବାଳକ ପୁତ୍ରର ଘଟଣା ସ୍ଥଳରେ ମୃତ୍ୟୁ ହେବା ସହ ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ସେହିପରି କିଛିବର୍ଷ ପୂର୍ବେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ରେ ଜନୈକ ପୋଲିସ କର୍ମଚାରୀଙ୍କ ପୁଅ ନିଜର ବେପରୁଆ ଗାଡ଼ି ଚାଳନା ହେତୁ ଦୁର୍ଘଟଣା ର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ଜାତୀୟ ରାଜପଥ ସମେତ ପୁରୁଣା ବସଷ୍ଟାଣ୍ଡ ନିକଟ ଟ୍ରାଫିକ ଛକରୁ ଜଟଣୀ ବାଇପାସ ଛକ, ପଲ୍ଲା ନୂଆ ବସଷ୍ଟାଣ୍ଡ ଠାରୁ ଚଣ୍ଡୀଚୁଆ ପର୍ଯ୍ୟନ୍ତ ଯାଇଥିବା ରାସ୍ତା, ସେହିପରି ବ୍ୟାଙ୍କଛକ ରୁ ନେଇ ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟ ଛକ ପର୍ଯ୍ୟନ୍ତ  ବିନା ହେଲମେଟ୍ ସାଙ୍ଗକୁ ବିନା ଡ୍ରାଇଭିଂ ଲାଇସେନ୍ସରେ ଏଭଳି ଦୁଃସାହସିକ ଓ ବେପରୁଆ ବାଇକ୍ ଚାଳନା ହେଉଥିବାର ଦେଖୁବାକୁ ମିଳୁଛି । ଏପରିକି ରାତି ବଢ଼ିବା ସହିତ ରାସ୍ତାରୁ ଭିଡ଼ କମିଲେ ଏହି ରାସ୍ତା ଗୁଡ଼ିକ ସେମାନଙ୍କ କବ୍‌ଜାକୁ ଚାଲିଯାଏ।

ଏହି ଦୁଃସାହିକ ବାଇକ୍ ଚାଳନା ଯୋଗୁଁ ଅତୀତରେ ଅନେକଙ୍କର ପ୍ରାଣହାନୀ ଘଟିଥିବା ବେଳେ ସ୍ଥାନୀୟ ପ୍ରଶାସନ ର ନୀରବତା ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏ ଦିଗରେ ଛାତ୍ର, ଯୁବଗୋଷ୍ଠୀ ଓ ଅଭିଭାବକମାନେ ସଚେତନ ହେବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *