‘ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ’ର ସମାପନ ଉତ୍ସବ

ସମସ୍ତେ ସଚେତନ ହେଲେ ଆମେ ବହୁମୂଲ୍ୟ ଜୀବନ ରକ୍ଷା କରିପାରିବା: ମନ୍ତ୍ରୀ ଶ୍ରୀମତୀ ସାହୁ

ଭୁବନେଶ୍ୱର, ତା.୨୦/୦୧/୨୦୨୩ :ସଡ଼କ ପରିବହନ କ୍ଷେତ୍ରରେ ପରିବହନ ବିଭାଗ ସର୍ବଦା ଜନସାଧାରଣଙ୍କ ସୁରକ୍ଷା ଚାହେଁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୀତିରେ ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ । ସେଥିପାଇଁ ଆମେ ସମସ୍ତେ ଅହରହ ଉଦ୍ୟମ କରୁଛୁ ବୋଲି ରାଜ୍ୟ ବାଣିଜ୍ୟ ଓ ପରିବହନ ଏବଂ ଜଳସଂପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଛନ୍ତି ।


ଆଜି ଭୁବନେଶ୍ୱରସ୍ଥିତ ପୋଲିସ୍‌ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ସମାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ ଆମେ ପଞ୍ଚାୟତ ଏବଂ ୱାର୍ଡ ସ୍ତରରୁ ଆରମ୍ଭ କରି ସବୁସ୍ତରରେ ସଡ଼କ ସୁରକ୍ଷା ବାବଦରେ ସଚେତନତା ଜାରି ରଖିଛୁ । ସମସ୍ତେ ସଚେତନ ହେଲେ ଆମେ ବହୁମୂଲ୍ୟ ଜୀବନ ରକ୍ଷା କରିପାରିବା । ଗ୍ରାମରାସ୍ତାଠାରୁ ଆରମ୍ଭ କରି ଜାତୀୟ ରାଜପଥ ପର୍ଯ୍ୟନ୍ତ ସବୁ ସ୍ଥାନରେ ଦୁର୍ଘଟଣା ହୋଇଥାଏ । । ତେଣୁ ଆମେ ବ୍ୟାପକ ପ୍ରଚାରପ୍ରସାର ଜରିଆରେ ଏ ବାବଦରେ ସଚେତନତା ସୃଷ୍ଟି କରିବା । ୫-‘ଟି’ ଆଧାରରେ ଆମେ ସମସ୍ତେ ମିଳିମିଶି ଏ ଦିଗରେ କାର୍ଯ୍ୟକଲେ ଆମେ ଓଡ଼ିଶାରେ ବଢ଼ି ଚାଲିଥିବା ଦୁର୍ଘଟଣା ମାମଲାକୁ ହ୍ରାସ କରିପାରିବା । ଗାଡ଼ିଚାଳକମାନଙ୍କର ଦକ୍ଷତା ବିକାଶ ସହିତ ସେମାନଙ୍କୁ ସଡ଼କ ସୁରକ୍ଷା ବାବଦରେ ସଚେତନ କଲେ ମଧ୍ୟ ଆମେ ଏ କ୍ଷେତ୍ରରେ ଅଧିକ ସଫଳତା ପାଇବା ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ।


କାର୍ଯ୍ୟକ୍ରମରେ ସମ୍ମନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ପ୍ରଥମେ ସଡ଼କ ସୁରକ୍ଷା ସପ୍ତାହ ପାଳନର ସଫଳତା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେଇ କହିଲେ ଯେ ବିଶ୍ୱସ୍ତରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଦକ୍ଷତା ରହିଛି । ତେଣୁ ଆମ ଉଦ୍ୟମରେ ସଡ଼କ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଆମେ ସେହିଭଳି ଦକ୍ଷତା ଦେଖାଇପାରିବା । ଆମକୁ ମାନସିକସ୍ତରରେ ସଜାଗ ହୋଇ ସଡ଼କ ସୁରକ୍ଷା ଅଭିଯାନକୁ ଆମ ସଂସ୍କୃତିରେ ପରିଣତ କରିବାକୁ ପଡ଼ିବ । ବିଭିନ୍ନ ସ୍ତରରେ ବ୍ୟାପକ ସଚେତନତା ଏବଂ ଗାଡ଼ିଚାଳକମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ଅଧିକ ଦକ୍ଷ କରାଇପାରିଲେ ଆମେ ନିଶ୍ଚୟ ସଫଳତା ହାସଲ କରିପାରିବା ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀ କହିଥିଲେ ।


କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଜ୍ୟ ପରିବହନ ଆୟୁକ୍ତ ଶ୍ରୀ ଅରୁଣ ବୋଥ୍ରା ସ୍ୱାଗତ ଭାଷଣ ଅବସରରେ ଚଳିତ ବର୍ଷ ସଡ଼କ ସୁରକ୍ଷା ପାଳନର ଶୀର୍ଷକ ‘ଦୁର୍ଘଟଣାମୁକ୍ତ ଓଡ଼ିଶା ହିଁ ସୁରକ୍ଷିତ ଓଡ଼ିଶା’ ନେଇ ରାଜ୍ୟବ୍ୟାପି ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିବା ସହ ସଡ଼କ ସୁରକ୍ଷା ଆମ ଦୈନନ୍ଦିନ ବ୍ୟବହାର ଓ ମାନସିକତା ଭିତରେ ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ‘ରକ୍ଷକ’ ଯୋଜନାରେ ସାରାରାଜ୍ୟରେ ଆମେ ଦୁର୍ଘଟଣାସ୍ଥଳରେ ପ୍ରଥମ ପ୍ରତିକି୍ରୟାକାରୀ ଭାବେ କାର୍ଯ୍ୟ କରୁଥିବା ପ୍ରାୟ ୧୨ ହଜାର ଲୋକଙ୍କୁ ଦୁର୍ଘଟଣାଗ୍ରସ୍ତଙ୍କ ଆଶୁ ଚିକିତ୍ସା ପାଇଁ ତାଲିମ ପ୍ରଦାନ କରିଛୁ ବୋଲି କହିଥିଲେ ।


ଆଜିର ଏହି ସମାପନ କାର୍ଯ୍ୟକ୍ରମରେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବାରୁ ଅନୁଗୋଳ ଜିଲ୍ଲାର ବାପି ମହାନ୍ତି, ବାଲେଶ୍ୱର ଜିଲ୍ଲାର ବରୁଣ ମହାଳିକ, ବ୍ରହ୍ମପୁରର ଅବିନାଶ ପାଣିଗ୍ରାହୀ, କନ୍ଧମାଳ ଜିଲ୍ଲାର ହରି ନାୟକ ଏବଂ ଏନ୍‌. ନୀଳମାଧବ ପାତ୍ର ଏବଂ କଟକ ଜିଲ୍ଲାର ରଞ୍ଜିତ କୁମାର ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ସଡ଼କ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସରକାରୀ ପଦାଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସମାପନ ଉତ୍ସବରେ ବିଭାଗୀୟ ଅଧିକାରୀ, ଟ୍ରକ ଓ ବସ ମାଲିକ ସଂଘର ସଦସ୍ୟ, ସେ୍ୱଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଛାତ୍ରଛାତ୍ରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଏବଂ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ପରିବହନ ଆୟୁକ୍ତ ଶ୍ରୀ ଲାଲମୋହନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *