ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଚାପାରେ ଯୁବକ ମୃତ

ଖୋର୍ଦ୍ଧା: ୦୬/୦୪/୨୦୨୧ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ  ୧୬ ନମ୍ୱର ଜାତୀୟ ରାଜପଥରେ ସକାଳ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି ।

ଆଜି ସକାଳ ୮ଟା ସମୟରେ ଜଣେ ଯୁବକ ରାସ୍ତାରେ ଚାଲିକି ଯାଉଥିବା ବେଳେ ବ୍ରହ୍ମପୁର ଆଡୁ ଆସୁଥିବା AP 07 TC 7449 ନମ୍ବର ବିଶିଷ୍ଟ ଏକ ଦଶ ଚକିଆ ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ବୟସ ପାଖାପାଖି ୨୫ ରୁ ୩୦ ବର୍ଷ ହେବ ବୋଲି ଜଣାପଡୁଛି । 

ଦୁର୍ଘଟଣା ସମ୍ପର୍କରେ  ଖୋର୍ଦ୍ଧା ଅ।ଦର୍ଶ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଟ୍ରକ ଓ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଅ।ରମ୍ଭ କରିଛି । ଏ ପର୍ଯ୍ୟନ୍ତ ମୃତ ଯୁବକର ପରିଚୟ ମିଳି ପାରିନାହିଁ। ଦୁର୍ଘଟଣା ଘଟିଥିବା ସ୍ଥାନରେ ରାସ୍ତା ନିର୍ମାଣକାରୀ ସଂସ୍ଥା ପକ୍ଷରୁ ସୁରକ୍ଷାକୁ ନେଇ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ସେପଟେ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ସତ୍ତ୍ୱେ ଗାଡ଼ି ଚାଳକ ମାନେ  ବେପାରୁଆ ଭାବରେ ଗାଡି ଚଳାଚଳ କରୁଥିବାର ଅଭିଯୋଗ କରି ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ, ଫଳରେ ରାସ୍ତାରେ ଶହ ଶହ ଗାଡ଼ି ଅଟକିବା ଦ୍ୱାରା ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

ପରେ ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀ ଉମାଶଙ୍କର ସିଂ ଉପସ୍ଥିତ ଭିଡ଼ ନିୟନ୍ତ୍ରଣ କରିବା ସହିତ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା ଫଳରେ ଲୋକେ ରାସ୍ତା ରୋକରୁ ହଟିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା ।

Leave a Reply

Your email address will not be published. Required fields are marked *