କେନ୍ଦ୍ରକୁ ରିଜର୍ଭ ବ୍ୟାଙ୍କ ଦେବ ୩୦,୩୦୭ କୋଟି

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ‌କେନ୍ଦ୍ର ସରକାରଙ୍କୁ ୩୦, ୩୦୭ କୋଟି ଟଙ୍କା ଦେବ। ‌ଆକସ୍ମିକ ବିପଦର ମୁକାବିଲା କରିବା ଲାଗି ରହିଥିବା ପାଣ୍ଠିକୁ ୫.୫%ରେ ରଖିବାକୁ ନିର୍ଦେଶକମାନଙ୍କ କେନ୍ଦ୍ରୀୟ ବୋର୍ଡ ନିଷ୍ପତ୍ତି ନେଇଛି। ଏହା ବାଦ ଯେଉଁ ବଳକା ରାଶି ରହିଥିଲା ତାହା କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରାଯିବ। ବୋର୍ଡର ବୈଠକରେ ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତି, ବିଶ୍ବ ଓ ଆଞ୍ଚଳିକ ଆହ୍ବାନ ଏବଂ ଭୌଗୋଳିକ ଓ ରାଜନୈତିକ ଘଟଣାବଳୀଗୁଡ଼ିକର ପ୍ରଭାବର ସମୀକ୍ଷା କରାଯାଇଛି।

ଏହା ପୂର୍ବରୁ ୨୦୨୦ ଜୁଲାଇରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ୯ ମାସ ସମୟ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ୯୯,୧୨୨ କୋଟି ଟଙ୍କାର ଲାଭାଂଶ ଘୋଷଣା କରିଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବରୁ ଜୁଲାଇ-ଜୁନ୍‌କୁ ବର୍ଷ ଭାବେ ଗ୍ରହଣ କରି କାର୍ଯ୍ୟ କରୁଥିଲା। ଏବେ ଆର୍ଥିକ ବର୍ଷ ଅନୁସାରେ ଏପ୍ରିଲ୍‌-ମାର୍ଚ୍ଚ ପର୍ଯ୍ୟନ୍ତ ସମୟକୁ ଏହା ବର୍ଷକ ଭାବେ ଗ୍ରହଣ କରିଛି। ସେହି ଅନୁସାରେ ୨୦୨୧-୨୨ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଓ ହିସାବ ଖାତାକୁ ଅନୁମୋଦନ କରାଯାଇଛି। ଏହି ବର୍ଷ କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟ କିଭଳି ରହିଥିବା ତାହାର ମଧ୍ୟ ବୈଠକରେ ସମୀକ୍ଷା କରାଯାଇଛି।

୨୦୨୧-୨୨ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ଠାରୁ ଲାଭାଂଶ ଓ ବଳକା ରାଶି ହସ୍ତାନ୍ତର ଭାବେ ସରକାର ୧.୦୪ ଲକ୍ଷ କୋଟି ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଥିଲେ। ତାହାର ୯୫% ରାଶି ପାଇବାରେ ସଫଳ ହୋଇଛନ୍ତି। ଗତବର୍ଷ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ୫୭,୧୩୦ କୋଟି ଟଙ୍କା ହସ୍ତାନ୍ତର କରିଥିଲା। ଆଲୋଚ୍ୟ ବର୍ଷରେ ଯେହେତୁ ରିଜର୍ଭ ବ୍ୟାଙ୍କ ପାଇଁ କାର୍ଯ୍ୟ କରିବାର ବର୍ଷକୁ ବଦଳାଇ ଦିଆଯାଇଛି ତେଣୁ ତାହାକୁ ଗତବର୍ଷର ହସ୍ତାନ୍ତର ରାଶି ସହ ତୁଳନା କରାଯାଇପାରିବ ନାହିଁ।

ରିଜର୍ଭ ବ୍ୟାଙ୍କ ପ୍ରତିବର୍ଷ ବଜାର ପରିଚାଳନା, ନିବେଶ ଓ ମୁଦ୍ରା ଛପାଇବାରୁ ଯେଉଁ ଆୟ କରିଥାଏ ତାହା ଉପରେ କେନ୍ଦ୍ର ସରକାରଙ୍କୁ ଲାଭାଂଶ ଦେଇଥାଏ। ସରକାରୀ ପ୍ରତିଭୂତିର ଖୋଲା ବଜାର ପରିଚାଳନା ଓ ରାଜ୍ୟ ସରକାରଙ୍କ ଋଣ କିଣିବା ଓ ଡଲାର କିଣାରୁ ଏହା ବିପୁଳ ଆୟ କରିଥାଏ। ୨୦୨୧-୨୨ ଆର୍ଥିକ ବର୍ଷରେ ମହାମାରୀର ଦ୍ବିତୀୟ ଲହର ପ୍ରଭାବ ରହିବାରୁ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିଲା ଓ ସେହି ଅନୁସାରେ ଟିକସ ଆୟ ମଧ୍ୟ କମିଛି। ପୁଞ୍ଜି ପ୍ରତ୍ୟାହାରରୁ ୧.୭୫ ଲକ୍ଷ କୋଟି ଟଙ୍କା ଓ ଅନ୍ୟାନ୍ୟ ଉତ୍ସରୁ ଆୟ ଜରିଆରେ ସରକାର ବିତ୍ତୀୟ ନିଅଣ୍ଟକୁ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୬.୮%ରେ ରଖିବାକୁ ଲକ୍ଷ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *