ବେଆଇନ ଗୋ ଚାଲାଣ କୁ ବିରୋଧ କରିବାରୁ ଗୋରୁମାଫିଆ ଙ୍କ ଆକ୍ରୋଶ ର ଶିକାର

ଖୋର୍ଦ୍ଧା: ୨୨/୦୩/୨୦୨୧ : ଦିନକୁ ଦିନ ଏବେ ଜିଲ୍ଲାରେ ବଢ଼ି ଚାଲିଛି ଅପରାଧ । ପୋଲିସ ହାତବାନ୍ଧି ବସି ରହିଛି । ବେ-ଲଗାମ ହୋଇ ବୁଲୁଛନ୍ତି ଅପରାଧିକ କାର୍ଯ୍ୟକଳାପ ରେ ଲିପ୍ତ ଥିବା ଅସାମାଜିକ ତତ୍ତ୍ୱମାନେ । କିଛିଦିନ ଧରି ବେଶ ଜୋରସୋରରେ ଜିଲ୍ଲାରେ ବଢ଼ି ଚାଲିଛି ବେଆଇନ ଗୋ ଚାଲାଣ । ଖୋର୍ଦ୍ଧା ଜିଲ୍ଲା ଏବେ ବେଆଇନ ଗୋରୁଚାଲାଣର ପେଣ୍ଠସ୍ଥଳୀ ପାଲଟିଛି । ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳରୁ ନିୟମିତ ଶହ ଶହ ସଂଖ୍ୟାରେ ଗୋରୁ ବେଆଇନ ଭାବେ ପଡୋଶୀ ରାଜ୍ୟମାନଙ୍କୁ ଚାଲାଣ ହେଉଥିବା କଥା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୋରୁମାଫିଆ ଓ କିଛି ଦୁର୍ନୀତି ଖୋର ପୋଲିସ ଅଧିକାରୀ ଙ୍କ ମଧୁଚନ୍ଦ୍ରିକାରେ ଏହି ଘୃଣ୍ୟ କାରବାର ବେଧଡକ ଭାବେ ଅହରହ ଚାଲୁଥିବା ବିଷୟରେ ସବୁ ଜାଣି ମଧ୍ୟ ଗୋଚାଲାଣ ରୋକିବାରେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଓ ବେଗୁନିଆ ପୋଲିସ ବିଫଳ ହୋଇଛି |

ଏକ ରକମ ପୋଲିସ ଏବେ ଗୋରୁମାଫିଆ ଙ୍କ ସଖୀ କଣ୍ଢେଇ ପାଲଟିଥିବା କୁହାଯାଉଛି । ଏଭଳି କିଛି ଅଭିଯୋଗ ଆଣି ଆଜି ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହେଲେ ଗୋ ଚାଲାଣ କୁ ବିରୋଧ କରୁଥିବା ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ର କର୍ମୀ ଦେବାଶିଷ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ବେଆଇନ ଗୋଚାଲାଣ ରୋକିବାକୁ ଏସ ପି ଙ୍କ ନିକଟରେ ଦାବି ରଖିଛନ୍ତି ।

ଦେବାଶିଷ ଙ୍କ କହିବା ଅନୁସାରେ ଜଙ୍କିଆ ଥାନାର ଓ ବେଗୁନିଆ ଥାନା ଅଞ୍ଚଳର ସିକୋ , ଜାମୁସାହି,କୁଶପଲ୍ଲା , ଏବଂ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳରେ ନିୟମିତ ଭାବେ ଗୋରୁ ଚାଲାଣ ପରି ଜଘନ୍ୟ ଅପରାଧ ମାନ ଘଟି ଚାଲିଛି । ସେହିପରି ଗତ ମଙ୍ଗଳବାର ରାତ୍ରୀ ସମୟରେ ବେଗୁନିଆ ଅଞ୍ଚଳର କୁଶପଲା ଗ୍ରାମରୁ ବେଆଇନ ଗୋ ଚାଲାଣ ହେଉଥିବା ଖବର ପାଇ ଏହାକୁ ରୋକିବା ଉଦେଶ୍ୟରେ ଉକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏ ସମ୍ପର୍କରେ ବେଗୁନିଆ ଥାନାକୁ ଅବଗତ କରାଇଥିଲା ଏବଂ ଏହାକୁ ରୋକିବାକୁ ଚେଷ୍ଟା କରିବା ବେଳେ ବେଆଇନ ଗୋ ଚାଲାଣ ରେ ସଂଶ୍ଲିଷ୍ଟ ଥିବା ବେଗୁନିଆ ଅଞ୍ଚଳର କିଛି ଅସାମାଜିକ ବ୍ୟକ୍ତି ୩ଟି ବୋଲେରୋ ଓ ପାଖାପାଖି ୩୦ ରୁ ୩୫ ଟି ମୋଟର ସାଇକେଲ୍ ରେ ଆସି ସ୍ବେଛାସେବୀ ଅନୁଷ୍ଠାନ ର ସଦସ୍ୟଙ୍କୁ ଘେରାବନ୍ଦୀ କରି ଢେଲା ପଥର ମାଡ଼ କରିବା ସହିତ ଜୀବନରେ ମାରିଦେବାକୁ ଚେଷ୍ଟା କରିଥିଲେ | ଯାହାଦ୍ୱାରା ସ୍ୱେଚ୍ଛାସେବୀ ସଙ୍ଗଠନ ର ସଦସ୍ୟ ମାନେ ନିଜ ଜୀବନ ବଞ୍ଚାଇବାକୁ ଯାଇ ଗୋରୁଚାଲାଣକୁ ରୋକିବାରେ ଅସମର୍ଥ ହୋଇଥିବା ପ୍ରକାଶ କରିଛନ୍ତି | ଏ ସମ୍ପର୍କରେ ବେଗୁନିଆ ପୁଲିସକୁ ଜଣାଇ ଥିଲେ ମଧ୍ୟ କୌଣସି ପୋଲିସ ପକ୍ଷରୁ କୌଣସି ପ୍ରକାର ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଶେଷରେ ବାଧ୍ୟ୍ୟ ହୋଇ ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟ ମାନେ ଜିଲ୍ଲାରୁ ଗୋଚାଲାଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆଜି ଖୋର୍ଦ୍ଧା ଏସ.ପି.ଙ୍କ ଦ୍ୱାରସ୍ତ ହୋଇ ଲିଖିତ ଅଭିଯୋଗ କରିଛନ୍ତି |

ପୂର୍ବ ସୂଚନା ଅନୁଯାୟୀ ବେଗୁନିଆ ପୋଲିସ ବିଗତ ତିନି ବର୍ଷ ମଧ୍ୟରେ ୧୫ ଟି ବେଆଇନ ଚାଲାଣ ହେଉଥିବା ଗୋରୁ ବୋଝେଇ ଗାଡି ଜବତ କରିଥିବା ବେଳେ ପ୍ରାୟ ୫୦୦ ରୁ ଉର୍ଦ୍ଧ ଗୋରୁଙ୍କୁ ଉଦ୍ଧାର କରିଛି | ପ୍ରତ୍ୟେକ ଟ୍ରକ ଗୁଡ଼ିକରେ ପ୍ରାୟ ୪୦ ରୁ ଉର୍ଦ୍ଧ ଗୋରୁଙ୍କୁ ଚାଲାଣ କରୁଥିବା ନେଇ ଗତ ବର୍ଷ ଖୋର୍ଦ୍ଧା ସଦର ଥାନା ଧରିଥିବା ଏକ ଗୋରୁ ବୋଝେଇ କଣ୍ଟେନର ଜବତରୁ ଜଣା ପଡିଥିଲା | ଏହି ଭଳି ବେଆଇନ ଭାବେ ଜିଲ୍ଲାରେ ଗୋରୁଚାଲାଣ ଚାଲୁଥିବା ବେଳେ ଜିଲ୍ଲା ପ୍ରଶାସନ ସ୍ଥାଣୁ ହୋଇ ପଡ଼ି ରହିଛି | ସେହିପରି ଭାବେ ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ ଏପରି ବେଆଇନଗୋ ଚାଲାଣ କୁ ରୋକିବା ପାଇଁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଗୋରୁ ମାଫିଆଙ୍କ ଦୌରାତ୍ମ୍ୟ କମିବାର ନାମ ଧରୁନାହିଁ |
