୧୫ ଦିନ ପାଇଁ ସମଗ୍ର ଜିଲ୍ଲା କୁ ସଟ୍‌ଡାଉନ୍ କରିବାକୁ ଖୋର୍ଦ୍ଧା ନାଗରିକ ମଞ୍ଚର ଅନୁରୋଧ

ଖୋର୍ଦ୍ଧା : ୩୦/୦୪/୨୦୨୧ : ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାରର ସତର୍କତା ଅବଲମ୍ବନ କରାଯିବାପରେ ମଧ୍ୟ କେଉଁଠି ନା କେଉଁଠି ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ଜିଲ୍ଲାରେ ଦ୍ରୁତଗତିରେ ବଢି ଚାଲିଛି ସଂକ୍ରମଣ। ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତ ଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅହେତୁକ ସଂକ୍ରମଣ କୁ ନେଇ ଜିଲ୍ଲା ବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।  ତେଣୁ ସମଗ୍ର ଜିଲ୍ଲାକୁ ସମ୍ପୂର୍ଣ୍ଣ ରୂପେ ୧୫ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିବାକୁ ଖୋର୍ଦ୍ଧା ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି।

ରାଜ୍ୟ ରାଜଧାନୀ ଭୁବନେଶ୍ବର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଥିବାରୁ ଜିଲ୍ଲା ତଥା ରାଜଧାନୀକୁ ଅନ୍ୟ ଜିଲ୍ଲା ସହିତ ବାହାର ରାଜ୍ୟର ଜନସାଧାରଣ ଆସିବା ଫଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଉଛି ।

ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାରର ସଚେତନତା ସତ୍ତ୍ୱେ ସହରାଞ୍ଚଳରେ ଥିବା ସପିଂ ମଲ, ପାର୍କ, ସିନେମା ହଲ, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ହାଟ ବଜାର ଆଦି ସ୍ଥାନ ମାନଙ୍କରେ ଅହେତୁକ ଭିଡ ଜମିବା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢିଚାଲିଛି ଓ ଏହା ସହିତ ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ଗୁଡିକରେ ବାହାର ରାଜ୍ୟର ଶ୍ରମିକମାନେ କାମ କରିବାକୁ ଆସୁଥିବାରୁ କରୋନା ର ହଟସ୍ପଟ ହେବାର ଆଶଙ୍କା ରହିଛି ।

ସରକାରଙ୍କ କୋଭିଡ୍ ନିୟମକୁ ଜନସାଧାରଣ ନମାନିବା ଫଳରେ ସଂକ୍ରମିତଙ୍କ ହାର ଉପରକୁ ଉପରକୁ ଯାଉଛି।
ଜୀବନ ଥିଲେ ଜୀବିକାର ପନ୍ଥା ଖୋଜିହେବ, ତେଣୁ ଜୀବିକାକୁ ପଛରେ ରଖି କିପରି ଜୀବନକୁ ପ୍ରାଧାନ୍ୟ ଦିଆଯିବ ସହିତ ଜିଲ୍ଲାକୁ ସଂକ୍ରମଣ ମୁକ୍ତ କରିବା ପାଇଁ ସମଗ୍ର ଜିଲ୍ଲାକୁ ୧୫ଦିନ ପାଇଁ ସଟ୍‌ଡାଉନ୍ କରାଯିବା ପାଇଁ ନାଗରିକ ମଞ୍ଚର ସମ୍ପାଦକ ସଞ୍ଜୟ କୁମାର ପଟ୍ଟନାୟକ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ୟବସାୟୀ ସଙ୍ଗଠନ ଗୁଡିକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *