ମାତୃତ୍ବ ଲାଭ କରିଥିବା ଅଜଗର ସାପକୁ ସୁରକ୍ଷା ଦେଲେ ସ୍ଥାନୀୟ ଗ୍ରାମବାସୀ

ଖୋର୍ଦ୍ଧା : ୦୫/୦୫/୨୦୨୧: ସାପ ଦେଖିଲେ ସାଧାରଣ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଥାଏ। ବିଶେଷ କରି ବିଶାଳକାୟ ଅଜଗର ସାପକୁ ଦେଖିଲେ ରୁମ ଟାଙ୍କୁରି ଉଠେ । କିନ୍ତୁ ଗ୍ରାମବାସୀ ଏକ ଅଜଗର ସାପ କୁ ବନ ବିଭାଗର ସହାୟତାରେ ବର୍ତ୍ତମାନ ସୁରକ୍ଷା ଦେଇଥିବାର ଦେଖିବାକୁ ମିଳିଛି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ନିକଟସ୍ଥ ଚନ୍ଦକା ବନଖଣ୍ଡ ଅଧିନସ୍ଥ ଗଡ଼ ନିଆଳ ଗ୍ରାମରେ। ଏହି ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଗୋଟେ ଅଜଗର ସାପ କୁ ଦେଖିବା ପରେ ସ୍ଥାନୀୟ ଗ୍ରାମବାସୀ ହଳଦିଆ ରେଞ୍ଜରଙ୍କୁ ସାପ ବିଷୟରେ ଖବର ଦେଇଥିଲେ।

ଘଟଣା ସମ୍ପର୍କରେ ହଳଦିଆ ରେଞ୍ଜର ଜୟକୃଷ୍ଣ ପଣ୍ଡା ଖବର ପାଇବା ପରେ ନିଜର ଟିମ ଧରି ଘଟଣା ସ୍ଥଳରେ ପହଞ୍ଚିବା ସହିତ ସ୍ନେକ ହେଲ୍ପ ଲାଇନ କୁ ଖବର ଦେବାପରେ ସ୍ନେକ ହେଲ୍ପଲାଇନ ର ଦୁଇ ଜଣିଆ ଟିମ ଶୁଭେନ୍ଦୁ ମଲ୍ଲିକ ଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପହଞ୍ଚି ତଦାରଖ କରିବା ପରେ ସାପ ପେଟ ତଳେ କିଛି ଅଣ୍ଡା ଦେଖିବାକୁ ପାଇବା ପରେ ତୁରନ୍ତ ଏ ସମ୍ପର୍କରେ ଚନ୍ଦକା ଡିଏଫଓ ଙ୍କୁ ଜଣେଇବା ସହିତ ସାପ କୁ ତା ବସା ରୁ ବାହାର ନକରି ସେହି ଜାଗାରେ ଅଣ୍ଡା ଫୁଟେଇବାକୁ ସୁଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ ।

ସୂଚନା ଦେଇଥିଲେ ଯେ ବର୍ତ୍ତମାନ ସାପ ଙ୍କ ଅଣ୍ଡା ଦେବା ସମୟ। ତେଣୁ ସାପର କୌଣସି ଅସୁବିଧା ନକରି ସାପ ଓ ଅଣ୍ଡା ଗୁଡିକର ସୁରକ୍ଷା ବ୍ୟବସ୍ଥା କରାଯାଉ। ଶୁଭେନ୍ଦୁଙ୍କ ପରାମର୍ଶ କ୍ରମେ ହଳଦିଆ ରେଞ୍ଜର ତୁରନ୍ତ ଗ୍ରାମବାସୀ ଙ୍କ ସହାୟତାରେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ଏକ ଅସ୍ଥାୟୀ କ୍ୟାମ୍ପ ପ୍ରସ୍ତୁତ କରିଥିବା ବେଳେ ଗ୍ରାମ କମିଟି ତରଫରୁ ସ୍ଥାନୀୟ ଯୁବକ ସଙ୍ଘ ମଧ୍ୟ ସାପ ଓ ତାର ଅଣ୍ଡା ଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଆଗେଇ ଆସି ସାପ ଅଣ୍ଡା ଦେଇଥିବା ସ୍ଥାନକୁ ଜଗିବାର ଦାୟିତ୍ୱ ନେଇଛନ୍ତି।

ଓଡିଶାରେ ଏହା ପ୍ରଥମ ଘଟଣା ହୋଇଥିବା ବେଳେ ଅଜଗର ଛୁଆ ଫୁଟିଲା ପର୍ଯ୍ୟନ୍ତ ଏହି ସୁରକ୍ଷା ବଳବତ୍ତର ରହିବ ବୋଲି ହଳଦିଆ ରେଞ୍ଜର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *