ଓଡ଼ିଶାରେ ଜାରିହେଲା ନାଇଟ କର୍ଫ୍ୟୁ

ଭୁବନେଶ୍ବର: ୧୫/୦୪/୨୦୨୧: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯିବ। ଛତିଶଗଡ ରାଜ୍ୟ ସୀମାକୁ ଲାଗିଥିବା ସମସ୍ତ ୧୦ ଟି ଜିଲ୍ଲାରେ ସନ୍ଧ୍ୟା ୬ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ରହିବା ସହିତଏହି ସବୁ ଜିଲ୍ଲାର ସହରାଞ୍ଚଳରେ ହେବ ସପ୍ତାହନ୍ତ ସଟଡାଉନ ।
ସେହିଭଳି ବାକି ୨୦ ଟି ଜିଲ୍ଲାରେ ରାତ୍ରି ୯ ଟାରୁ ସକାଳ ୫ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ଏହିସବୁ କଟକଣା ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ପୂର୍ବବତ୍ତ ଚାଲୁ ରହିବ । ପରିଚୟ ପତ୍ର ଆଧାରରେ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା କର୍ମଚାରୀ ଙ୍କୁ ଅନୁମତି ମିଳିପାରିବ ।
ଜିନିଷ କିଣିଲା ବେଳେ ଗ୍ରାହକ କିମ୍ବା ଦୋକାନୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ନଚେତ ଦୋକାନ ସିଲ୍ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଆନ୍ତରାଜ୍ୟ ବସ ସେବାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। କେବଳ ରାଜ୍ୟ ଭିତରେ ବସ ସେବା ଜାରି ରହିବ। ବସରେ କେବଳ ସିଟିଂ ରେ ଯାଇପାରିବେ । ସେହିପରି ଅଟୋ ଏବଂ ଟ୍ୟାକ୍ସିରେ କେବଳ ୨ ଜଣ ଯାତ୍ରୀ ଯାତ୍ରା କରିପାରିବେ।
ଧାର୍ମିକ କାର୍ଯ୍ୟକ୍ରମ ଏବଂ ରାଜନୈତିକ ସମାବେଶ ଉପରେ କଟକଣା ଲାଗିଛି। ସିନେମା ହଲରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ। ସରକାରୀ ଅଫିସ ପାଇଁ ମଧ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ଅନୁମତି ମିଳିଥିବା ବେଳେ ଘରୋଇ ଅଫିସରେ କର୍ମଚାରୀଙ୍କୁ ହ୍ରାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସମସ୍ତ କର୍ମଚାରୀଙ୍କୁ ମାସ୍କ ଏବଂ ସାନିଟାଇଜର ବ୍ୟବହାର ଲାଗି ବାଧ୍ୟତାମୂଳକ କରାଯାଇଛି। ଯାତ୍ରା ପାଇଁ ଦର୍ଶକଙ୍କ ସଂଖ୍ୟା ୨୦୦୦ ରୁ ୧୦୦୦ କୁ ହ୍ରାସ କରାଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।