ଖୋର୍ଦ୍ଧା କୁ ଫେରିଛି ସପ୍ତାହନ୍ତ ସଟ୍‌-ଡାଉନ୍ : ଚାଲିଛି କଡ଼ାକଡ଼ି ଯାଞ୍ଚ

ଖୋର୍ଦ୍ଧା : ୨୪-୦୪-୨୦୨୧ : କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି । ରାଜ୍ୟର ସମସ୍ତ ସହରାଞ୍ଚଳ ସମେତ ଖୋର୍ଦ୍ଧା ସହରରେ ମଧ୍ୟ ଆଜିଠୁ ପ୍ରତ୍ୟେକ ଶନିବାର ସକାଳୁ ଠାରୁ ଆରମ୍ଭ କରି ରବିବାର ଦିନ ତମାମ ଓ ସୋମବାର ସକାଳ ପର୍ଯ୍ୟନ୍ତ ସଟ୍‌-ଡାଉନ୍‌ ଲାଗୁ କରାଯାଇଛି । ଏହି ସମୟରେ କେବଳ ଔଷଧ ଦୋକାନ କୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାର ଦେଖିବାକୁ ମିଳିଛି ।

ସେହିପରି ଜରୁରୀ କାଳୀନ ସେବା ଉପରେ ସଟ୍‌ ଡାଉନ୍‌ ସମୟରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ ।
ସପ୍ତାହନ୍ତ ସଟ୍‌ ଡାଉନ୍‌ର ପ୍ରଥମ ଦିନରେ ଖୋର୍ଦ୍ଧା ଏସ୍.ପି ଓ ତହସିଲଦାର ସହିତ ଟାଉନ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଯାତାୟାତ କରୁଥିବା ଲୋକମାନଙ୍କୁ ଯାଞ୍ଚ କରୁଥିବାର ଦେଖିବାକୁ ମିଳିଥିଲା ।

ସଟ୍‌-ଡାଉନ୍ ନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କହିଛନ୍ତି ଯେ, ସହରର ପ୍ରମୁଖ ସ୍ଥାନରେ ଚେକପୋଷ୍ଟ ମାନ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଚେକପୋଷ୍ଟରେ ୧ ପ୍ଲାଟୁନ ଫୋର୍ସ ସହିତ ୨ଜଣ ଅଫିସର ରହି ସ୍ଥିତି ଉପରେ ନଜର ରଖିଛନ୍ତି । ଅତ୍ୟାବଶ୍ୟକ ସେବା ପାଇଁ କଟକଣା ନଥିବା ବେଳେ ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ବାହାରିଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ ପ୍ରମାଣପତ୍ର ଦେଖାଇବା ପରେ ଯିବାକୁ ଦିଆଯାଉଛି ନଚେତ ଘରକୁ ଫେରାଇ ଦିଆଯାଉଛି ଓ ବିନା କାରଣରେ ବୁଲୁଥିବା ଅମାନିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆଦେଶ ଦିଆଯାଇଛି ।

କୌଣସି ସ୍ଥାନରେ ଯେପରି କଟକଣା ଉଲ୍ଲଂଘନ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଅଧିକାରୀମାନଙ୍କୁ କୁହାଯାଇଛି । ଅଧିକାରୀ ମାନଙ୍କୁ ଦିନରାତି ୨୪ ଘଣ୍ଟା ସଜାଗ ରହିବା ସହ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବାକୁ ପ୍ରଶାସନ ତରଫରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *