ପ୍ରେମ ହେଲା କାଳ : ନବବଧୂକୁ ହତ୍ୟା ଅଭିଯୋଗ ରେ ସ୍ୱାମୀ ଅଟକ

ଖୋର୍ଦ୍ଧା : ୦୧/୦୪/୨୦୨୧ : ଗତ ମାସରେ ଘଟିଥିବା ବଧୂହତ୍ୟା ଘଟଣା ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣି ଆଉ ଏକ ନବବଧୂର ହତ୍ୟା ଘଟଣା ଆଜି ସମଗ୍ର ଖୋର୍ଦ୍ଧା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପଲ୍ଲା ନୂଆ ବସଷ୍ଟାଣ୍ଡ ନିକଟ ଗାନ୍ଧିନଗର ଅଞ୍ଚଳରୁ ୨୨ ବର୍ଷୀୟ ବିବାହିତା ମହିଳା ଙ୍କ ଶବ ଉଦ୍ଧାର । ମୃତକା ହେଲେ ବେଗୁନିଆ ଥାନା ଅନ୍ତର୍ଗତ ସୀମାପଲ୍ଲୀ ଗ୍ରାମର ହୃଷିକେଶ ପାତ୍ରଙ୍କ ଝିଅ ଶୋଭା ପାତ୍ର ।

ସୂଚନା ଅନୁସାରେ ମୃତକା ଶୋଭା କଟକ ର ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିବା ସମୟରେ ସେଠାରେ କାର୍ଯ୍ୟ କରୁଥିବା ସୁକାନ୍ତ ରାଉତଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟଙ୍କ ସମ୍ପର୍କ ବିଷୟରେ ଶୋଭାଙ୍କ ପରିବାର ଲୋକେ ଜାଣିବା ପରେ ଉଭୟ ପରିବାରର ସହମତିରେ ଗତ ଜାନୁୟାରୀ ମାସ ଚବିଶି ତାରିଖରେ ହୃଷିକେଶ ତାଙ୍କ ଝିଅ ଶୋଭାର ବୋଲଗଡ ନିକଟସ୍ଥ ଆରିକମା ର କୋଶଳାଶୁଣି ପୀଠରେ ବୈଦିକ ରୀତିରେ ଯାଜପୁର ଜିଲ୍ଲାର କୁରିକଣା ଗ୍ରାମର ରବୀନ୍ଦ୍ର କୁମାର ରାଉତଙ୍କ ପୁଅ ସୁକାନ୍ତ ରାଉତଙ୍କ ସହିତ ବିବାହ କରିଥିଲେ ।

ବିଭାଘର ସମୟରେ ନଗଦ ଏକ ଲକ୍ଷ ଟଙ୍କା ସହିତ ପାଞ୍ଚ ଭରିରୁ ଉର୍ଦ୍ଧ ସୁନା ରୁପା ଗହଣା ଓ ଅନେକ ଘରକରଣା ସରଞ୍ଜାମ ଝିଅକୁ ଯୌତୁକ ଆକାରରେ ଦେଇଥିଲେ । ସୁକାନ୍ତ ଭୁବନେଶ୍ୱର ର କୌଣସି ଏକ ପ୍ରାଇଭେଟ କମ୍ପାନୀ ରେ କାମ କରୁଥିବା ବେଳେ ଏବେ କିଛିଦିନ ତଳେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟ ଗାନ୍ଧିନଗର ର କୈଳାସ ଚନ୍ଦ୍ର ବଳିଆରସିଂହ ଘରକୁ ଭଡ଼ା ସୂତ୍ରରେ ନେଇ ରହୁଥିଲେ । ବିଭିନ୍ନ ସମୟରେ ଶୋଭାଙ୍କ ନଣଦ ଜ୍ବାଇଁ ସୁକାନ୍ତ କୁ ମତାଇ ବାପ ଘରୁ ଅର୍ଥ ଆଣିବା ଲାଗି ଦାବି କରିବା ସହିତ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ମୃତକାଙ୍କ ବାପା ଅଭିଯୋଗ କରିଛନ୍ତି ।

ହୃଷିକେଶଙ୍କ ଅଭିଯୋଗ ଅନୁସାରେ ଗତକାଲି ବୁଧବାର ରାତି ୮ଟା ସମୟରେ ଜ୍ୱାଇଁ ସୁକାନ୍ତ ଘରକୁ ଆସି ତୁମ ଝିଅର ଦେହ ଖରାପ ଅଛି ତାର ଚିକିତ୍ସା ପାଇଁ ଯାହା ଟଙ୍କା ଦରକାର ମୁଁ ଦେବି କିନ୍ତୁ ତା ଗର୍ଭ ନଷ୍ଟ କରିବା କଥା କାହା ଆଗରେ କୁହ ନାହିଁ । ଏକଥା ଶୁଣି ମନରେ ସନ୍ଦେହ ହେବାରେ ମୃତକା ଶୋଭାର ବାପା ଘର ମାଲିକଙ୍କ ସହ ଯୋଗାଯୋଗ କରିବାରେ ତାଙ୍କ ଝିଅକୁ ଜ୍ବାଇଁ ଗାଳି ଗୁଲଜ କରିବା ସହିତ ମାଡ଼ ମଧ୍ୟ ମାରିଥିବା କଥା ଜାଣିବାକୁ ପାଇଥିଲେ । ଏ କଥାରେ ବାପା ହୃଷିକେଶ ସକାଳେ ଯାଇ ଝିଅ ସହିତ ଦେଖା କରିବାକୁ ମନସ୍ଥ କରିଥିବା ବେଳେ ଆଜି ଗୁରୁବାର ସକାଳ ୬ଟା ସମୟରେ ଝିଅର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ । ମୃତକା ଶୋଭାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ତା ସ୍ୱାମୀ ସୁକାନ୍ତ ଓ ତାର ବଡ଼ ନଣଦ ଦୁହେଁ ମିଶି ମାରି ଦେଇଛନ୍ତି ।

ଘଟଣା ସମ୍ପର୍କରେ ଟାଉନ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ଯବଚ୍ଛେଦ ଲାଗି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏପଟେ ମୃତକାଙ୍କ ନଣଦ ଫେରାର ଥିବାବେଳେ ପୋଲିସ ସ୍ୱାମୀ ସୁକାନ୍ତଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ବୋଲି ଖୋର୍ଦ୍ଧା ଟାଉନ ଥାନା ଅଧିକାରୀ ଶ୍ରୀ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି ।
