ବାରମ୍ବାର ବରୁଣେଇ ଜଙ୍ଗଲ ରେ ଲାଗୁଛି ନିଆଁ : କାରଣ ଅସ୍ପଷ୍ଟ : ପ୍ରଶାସନ ନିରୁପାୟ

ଖୋର୍ଦ୍ଧା : ୨୩/୦୩/୨୦୨୧: ସ୍ଥାନୀୟ ବରୁଣେଇ ଜଙ୍ଗଲରେ ମଙ୍ଗଳବାର ମଧ୍ୟାହ୍ନରେ ପୁଣି ନିଆଁ ଲାଗିଥିବାର ଦେଖିବାକୁ ମିଳିଛି । ଦ୍ୱିପ୍ରହର ସମୟରେ ଦକ୍ଷିଣା ପବନ ବହୁଥିବାରୁ ନିଆଁ ବରୁଣେଇ ପାଦଦେଶ ପର୍ଯ୍ୟନ୍ତ ବ୍ୟାପିବା ଦ୍ୱାରା ତରାବୋଇ ପଞ୍ଚାୟତ ହରିଡାମଡା ଜଙ୍ଗଲର ୨ ଏକରରୁ ଉର୍ଦ୍ଧ୍ବ ଜମିରେ ଥିବା ଅନେକ କାଜୁ ଗଛ ପୋଡିପାଉଁଶ ହୋଇଯାଇଛି ।


ଜଙ୍ଗଲରେ କେହି ନିଆଁ ଲଗାଇ ଦେଇଥିବା ନେଇ ତରାବୋଇ ଗ୍ରାମବାସୀଙ୍କ ଠାରୁ ଖବର ପାଇ ରେଞ୍ଜର ଅସିତ ମିଶ୍ର କର୍ମଚାରୀଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚି  ଜଟଣୀ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଉଭୟ ବିଭାଗର କର୍ମଚାରୀ ନିଆଁକୁ ଆୟତ କରିଥିଲେ ।

ମଧ୍ୟାହ୍ନ ପ୍ରାୟ ଗୋଟାଏରୁ ପ୍ରାୟ ତିନି ଘଣ୍ଟା ଧରି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ପାହାଡର ମଧ୍ୟ ଭାଗରେ ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବାରୁ ପାଣି ଟାଙ୍କି ଗାଡି ଉପଯୁକ୍ତ ସ୍ଥାନକୁ ଯାଇପାରି ନ ଥିଲା । ଏହାଫଳରେ ବନ ଓ ଅଗ୍ନିଶମ କର୍ମଚାରୀ ଗଛପତ୍ର ଡାଳ, ଟିଣ ତିଆରି ପାତ ଧରି ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା ସହିତ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ।

ଜଙ୍ଗଲ ପାଦଦେଶରେ ଅନ୍ୟ କର୍ମଚାରୀ ସାଙ୍ଗରେ ନେଇଥିବା ପାଣି ପାଉଚ ରୁ ପାଣି ସ୍ପ୍ରେ କରିଥିଲେ । ତଥାପି ପାହାଡ଼ର କିଛି ଅଂଶରୁ ଧୂଆଁ ବାହାରୁଛି। ତେବେ ପ୍ରାୟ ୨ହେକ୍ଟର ଜଙ୍ଗଲ ପୋଡିବା ଜଣା ପଡ଼ିଛି। କେହି ଦୁର୍ବୃତ୍ତ ନିଆଁ ଲଗାଇଥିବାର ଅନୁମାନ କରାଯାଉଛି। ଖରାଦିନ ହୋଇଥିବାରୁ ଶୁଖୁଲା ପତ୍ରରେ ନିଆଁ ଲାଗି ଏହା ଜଙ୍ଗଲକୁ ବ୍ୟାପିଥିଲା ।

ବାରମ୍ବାର ଗତ ୧୪ ତାରିଖ ଠାରୁ କ୍ରମାଗତ ଭାବେ ବରୁଣେଇ ସଂରକ୍ଷିତ ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଲାଗି ହେକ୍ଟର ହେକ୍ଟର ଜଙ୍ଗଲ ପୋଡିବା ଦ୍ୱାରା ଜଙ୍ଗଲ ଜମି ପୋଡ଼ିବା ସହିତ ମୂଲ୍ୟବାନ ଗଛ ଓ ବସବାସ କରୁଥିବା ଜୀବଜନ୍ତୁଙ୍କ ଅମୂଲ୍ୟ ଜୀବନ ନଷ୍ଟ ହେବାର ସମ୍ଭାବନା କୁ ଏଡ଼ାଇ ଦିଆ ନ ଯାଇପାରେ ବୋଲି ସ୍ଥାନୀୟ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *