ସାଲେପୁରରେ ରାହୁଲଙ୍କ ରଣହୁଙ୍କାର

ପ୍ରତିବେକାରୀଙ୍କୁ ମାସିକ ଭତ୍ତା ତିନି ହଜାର
ସାଲେପୁର(ପ୍ରବାହ ନ୍ୟୁଜ୍) : କଟକ ସତ୍ୟଭାମା ସାଲେପୁର ସଭାରେ ଉଭୟ ରାଜ୍ୟ ଏବଂ କେନ୍ଦ୍ରର ଶାସକ ଦଳ ବିରୋଧରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବେକାରୀ, ଚାଷୀଙ୍କ ସମସ୍ୟା ସହିତ ବିଭିନ୍ନ ଦୁର୍ନୀତି କଥା କହି ରାହୁଲ ଗାନ୍ଧୀ ଶାଣିତ ଆକ୍ରମଣ କରିଛନ୍ତି । ଏହା ସହ କଂଗ୍ରେସ ସରକାରକୁ ଆସିଲେ କୃଷତ, ଶ୍ରମିକ ଓ ମହିଳାଙ୍କୁ ଗୁରୁତ୍ୱ ଦିଆଯିବା କଥା କହିଛନ୍ତି ରାହୁଲ ଗାନ୍ଧୀ । ଦିଲ୍ଲୀରେ କଂଗ୍ରେସ ସରକାର ଗଢିଲେ ଦେଶର ପ୍ରତ୍ୟେକ ଗରିବ ମହିଳାଙ୍କୁ ଚିହ୍ନଟ କରାଯିବ । ଏବଂ ସେହି ମହିଳାଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରଯିବ । ଏଥିପାଇଁ ପ୍ରତିମାସରେ ୮ ହଜାର ୫ ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ । କମିଶନ ବସାଇ କଂଗ୍ରେସ ଚାଷୀଙ୍କ ଋଣ ଛାଡ କରିବ ବୋଲି ସାଲେପୁର ସଭାରୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ । ଏହା ବ୍ୟତିତ କଂଗ୍ରେସ ସରକାରକୁ ଆସିଲେ ଆଶା ଓ ଅଙ୍ଗନୱାଡିଙ୍କ ପାରିଶ୍ରମିକ ୨ ଗୁଣା, ମନେରଗା ଶ୍ରମିକଙ୍କ ପାରିଶ୍ରମିକ ଦୈନିକ ୪୦୦ ଟଙ୍କା ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।

ସାଲେପୁର କୁଳିଆରେ ନ୍ୟାୟ ସମାବେଶରେ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହାସହ କଂଗ୍ରେସ ସରକାରକୁ ଆସିଲେ କଣ କରିବ ସେନେଇ ପୁଳାପୁଳା ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଓଡ଼ିଶାରେ ସରକାର ହେଲେ ମହିଳାଙ୍କ ଆକାଉଣ୍ଟକୁ ୨ ହଜାର ଏବଂ କେନ୍ଦ୍ରରେ ସରକାର ହେଲେ ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ରାହୁଲ । ଏହାସହ ବେରୋଜଗାର ଯୁବବର୍ଗଙ୍କୁ ନେଇ ବଡ ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ ।
ରାହୁଲ କହିଛନ୍ତି, ଗତ ୧୦ ବର୍ଷ ହେବ ଚାକିରି ପାଇଁ ଯୁବବର୍ଗ ସମସ୍ତଙ୍କ ଆଗରେ ହାତ ପତାଇଲେଣି । କିନ୍ତୁ କଂଗ୍ରେସ ସରକାର ଆସିଲେ ସେ ସ୍ଥିତି ରହିବନି । କାରଣ କଂଗ୍ରେସ ପେହେଲି ନୌକରି ପକ୍କି ଯୋଜନା ଆଣିବ । ଯେଉଁ ଯୋଜନା ଜରିଆରେ ବେରୋଜଗାର ଯୁବକଙ୍କୁ ଚାକିରି ଗ୍ୟାରେଣ୍ଟି ଦିଆଯିବ । ସରକାରୀ, ପିଏସୟୁ, ପ୍ରାଇଭେଟ ସଂସ୍ଥାରେ ୧ ବର୍ଷ ପର୍ଯ୍ୟନ୍ତ ଚାକିରି ମିଳିବ । ସରକାରଙ୍କ ପାଖରେ ଚାକିରି ଆବେଦନ କରିବା ମାତ୍ରେ ୧ ବର୍ଷର ଆପ୍ରେଣ୍ଟିସିପ୍ ମିଳିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଏହାସହ ଉଭୟ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ଗଢିଲେ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ୨୪ ହଜାର ଟଙ୍କା ମିଳିବ । ଆଉ ତାହା ବି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଜରିଆରେ । ମୋଦୀ ଓ ନବୀନ ୨୨ ଜଣଙ୍କୁ କୋଟିପତି କରିଛନ୍ତି, କଂଗ୍ରେସ ଆସିଲେ କୋଟି କୋଟି ଲୋକଙ୍କୁ ଲକ୍ଷପତି କରିବ ବୋଲି କହିଛନ୍ତି ରାହୁଲ । ସାଲେପୁର ସଭାରୁ ବିଜେଡି-ବିଜେପିକୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି ରାହୁଲ । ଉଭୟ ଦଳ ମଧ୍ୟରେ ବାହାଘର ହୋଇଯାଇଛି, ଉଭୟ ଦଳ ଓଡ଼ିଶାର ଜନତାଙ୍କୁ ପାନ୍ ଦେଇଛନ୍ତି ବୋଲି କହିଛନ୍ତି ରାହୁଲ ।