ସୋନିଆ ଗାନ୍ଧୀଙ୍କୁ ଡାକ୍ତରଖାନାରେ ଭେଟିବା ପରେ ଏବେ ପୁଣି ଇଡି କାର୍ଯ୍ୟାଳୟକୁ ଫେରିଲେ ରାହୁଲ

ନୂଆଦିଲ୍ଲୀ: ଦୀର୍ଘ ୩ ଘଣ୍ଟାର ଜେରା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଅଫିସ୍ରୁ ବାହାରକୁ ବାହାରିଥିଲେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ। ଶହ ଶହ କଂଗ୍ରେସ କର୍ମୀମାନଙ୍କ ‘ଜିନ୍ଦାବାଦ୍’ ଧ୍ବନିରେ ମୁଖରିତ ବାତାବରଣରେ ଆଜି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ‘ନ୍ୟାସ୍ନାଲ୍ ହେରାଲଡ୍’ ଖବରକାଗଜ ସଂକ୍ରାନ୍ତ ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଜେରା ନିମନ୍ତେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଥିଲେ। ସେଠାରେ ପଚରାଉଚରା ସରିବା ପରେ ରାହୁଲ ଅଫିସ୍ରୁ ବାହାରି ସିଧା ନିଜ ମା’ ତଥା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଡାକ୍ତରଖାନାରେ ପହଞ୍ଚିଥିଲେ ରାହୁଲ।
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଜୁନ୍ ୨ ତାରିଖରେ କରୋନା ପିଜିଟିଭ୍ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ ନୂଆଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ତାଙ୍କ ସ୍ବାସ୍ଥାବସ୍ଥାର ନୀରିକ୍ଷଣ ପାଇଁ ତାଙ୍କୁ ଆଉ କିଛି ଦିନ ହସ୍ପିଟାଲ୍ରେ ରଖାଯିବ ବୋଲି ସୂଚନା ମିଳିଛି। ତେବେ ଆଜି ୩ଘଣ୍ଟା କାଳ ଇଡି ଅଧିକାରୀଙ୍କ ପ୍ରଶ୍ନର ଜବାବ ଦେବା ପରେ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ଡାକ୍ତରଖାନାରେ ପହଞ୍ଚିଥିଲେ ରାହୁଲ। ଏବେ ସେ ଗଙ୍ଗାରାମ ହସ୍ପିଟାଲ୍ରୁ ବାହାରି ପୁଣି ଥରେ ଇଡି ଅଫିସ ଅଭିମୁଖେ ଯାଇଛନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ନିକଟକୁ ଇଡି ନୋଟିସ ପଠାଇବାରୁ ବିରୋଧ ପ୍ରଦର୍ଶନ କରୁଥିବା ୨୫୦ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ହେପାଜତକୁ ନେଇଛି ପୁଲିସ।
ଏହା ପୂର୍ବର ପ୍ରବର୍ତ୍ତନ ନିର୍ଦେଶାଳୟର ୨ଜଣ ଶୀର୍ଷସ୍ତରୀୟ ଅଧିକାରୀ ରାହୁଲ୍ଙ୍କ ବୟାନ ରେକର୍ଡ କରିଛନ୍ତି। ‘ପିଏମ୍ଏଲ୍ଏ’ ଆକ୍ଟ ଧାରା ୫୦ ଅନୁସାରେ ତାଙ୍କ ବୟାନ ରେକର୍ଡ କରିଥିଲେ। ଜଣେ ସହକାରୀ ନିର୍ଦେଶକ ତାଙ୍କୁ ପ୍ରଶ୍ନ ପଚାରିଥିବା ବେଳେ ଜଣେ ଉପ ନିର୍ଦେଶକ ପଚରାଉଚରାର ତତ୍ତ୍ବାବଧାନ କରିଥିଲେ ଓ ଅଉ ଜଣେ ଅଧିକାରୀ ତାଙ୍କ ବୟାନକୁ ଟାଇପ୍ କରିଥିଲେ ବୋଲି ସୂଚନା ମିଳିିଥିଲା।