ଏଫ୍‍ଆଇଭିବି ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀକୁ ନାଗରିକ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୪ ।୮: ଅନ୍ତର୍ଜାତୀୟ ଭଲିବଲ୍‍ ସଂଘ (ଇଣ୍ଟରନ୍ୟାସ୍‍ନାଲ୍‍ ଭଲିବଲ୍‍ ଫେଡେରେସନ୍‍-ଏଫ୍‍ଆଇଭିବି)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ପ୍ରଥମ ଥର ଲାଗି କିଟ୍‍ ଓ କିସ୍‍ ଗସ୍ତ କରିଛି । ଭାରତୀୟ ଭଲିବଲ୍‍ ସଂଘର ସଭାପତି ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ ଏଫ୍‍ଆଇଭିବିର ମହାନିର୍ଦ୍ଦେଶକ ଫାବିଓ ଆଜେଭେଦୋଙ୍କ ସମେତ ସଂଘର ଅନ୍ୟ ସଦସ୍ୟଙ୍କୁ ନେଇ ଏହି ପ୍ରତିନିଧିମଣ୍ଡଳୀ ଓଡ଼ିଶାରେ ପହଞ୍ଚିବା ପରେ କିଟ୍‍ ଓ କିସ୍‍ ପରିଦର୍ଶନ କରିଥିଲେ । ଏହି ଅବସରରେ ପ୍ରତିନିଧିମଣ୍ଡଳୀକୁ ରବିବାର ଭୁବନେଶ୍ୱରରେ ଉଚ୍ଛ୍ୱସିତ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା, ଇଲେକ୍ଟ୍ରୋନିକ୍‍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା, ଓଡ଼ିଶା ଫୁଟବଲ୍‍ ସଂଘ ଓ ଓଡ଼ିଶା ଆଥଲେଟିକ୍‍ ସଂଘର ସଭାପତି ଆଶୀର୍ବାଦ ବେହେରା ଏବଂ ଓଡ଼ିଶାର ବିଭିନ୍ନ କ୍ରୀଡ଼ା ସଂଗଠନର ସଦସ୍ୟ, ଓଡ଼ିଶାର ଖ୍ୟାତି ସମ୍ପନ୍ନ କ୍ରୀଡ଼ାବିତ୍‍ମାନେ ଉପସ୍ଥିତ ରହି ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ବ୍ୟତୀତ ନିକଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍‍ ତଥା କିଟ୍‍ ଛାତ୍ରୀ ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ ଓ ସି ଏ ଭବାନୀ ଦେବୀ, କିଟ୍‍ ଛାତ୍ର ଭାରତୀୟ ହକି ଖେଳାଳି ଅମିତ ରୋହିଦାସ ଓ ପାରା ଆଥଲେଟ ରାଖାଲ ସେଠୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । 

ଏଫ୍‍ଆଇଭିବି ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ପ୍ରଥମ ଥର ଲାଗି ଭାରତ ଗସ୍ତ କରିଥିବା ବେଳେ ଭାରତରେ ତୃଣମୂଳସ୍ତରରେ ଭଲିବଲ୍‍ର ବିକାଶ ନେଇ ଶ୍ରୀ ସାମନ୍ତଙ୍କ ନେତୃତ୍ୱରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଯାଇଛି । ଫିଫା ଫୁଟବଲ୍‍ ଫର୍‍ ସ୍କୁଲ୍‍ ଭଳି ଭାରତରେ ସ୍କୁଲ୍‍ସ୍ତରରେ ଭଲିବଲ୍‍ର ପ୍ରଚଳନ ପାଇଁ ଶ୍ରୀ ସାମନ୍ତଙ୍କ ପ୍ରୟାସରେ ଏହି ଚୁକ୍ତି ସ୍ୱାକ୍ଷର କରାଯାଇଛି । ପ୍ରତିନିଧିମଣ୍ଡଳୀ ଅଗଷ୍ଟ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଥିବା ବେଳେ ସେମାନେ ନୂଆଦିଲ୍ଲୀଠାରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସମେତ ସାଇର ବରିଷ୍ଠ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ଓଡ଼ିଶାରେ ମଧ୍ୟ କ୍ରୀଡ଼ାମନ୍ତ୍ରୀ, କ୍ରୀଡ଼ା ସଚିବ ଓ ରାଜ୍ୟର ବିଭିନ୍ନ କ୍ରୀଡ଼ା ସଂଗଠନ କର୍ମକର୍ତ୍ତାଙ୍କ ସହ ମିଶି ଓଡ଼ିଶାରେ ଭଲିବଲର ପ୍ରସାର ନେଇ ଆଲୋଚନା କରିଥିଲେ ।  

ଭାରତରେ ତୃଣମୂଳସ୍ତରରେ ଭଲିବଲ୍‍ର ବିକାଶ ଲକ୍ଷ୍ୟ ନେଇ ଭାରତୀୟ ଭଲିବଲ୍‍ ସଂଘର ସଭାପତି ଅଚ୍ୟୁତ ସାମନ୍ତ ଗତ ଜୁନ୍‍ ମାସରେ ମାନିଲାଠାରେ ଅନୁଷ୍ଠିତ ଏଫ୍‍ଆଇଭିବିର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଯୋଗଦେବା ଅବସରରେ ଶ୍ରୀ ସାମନ୍ତ ଏଫ୍‍ଆଇଭିବିର ସଭାପତି ଆରି ଗ୍ରାକା ଓ ମହାନିର୍ଦ୍ଦେଶକ ଫାବିଓ ଆଜେଭେଦୋଙ୍କୁ ବ୍ୟକ୍ତିଗତ ଭାବେ ଭେଟିଥିଲେ । ଏହି ସାକ୍ଷାତ ସମୟରେ ଶ୍ରୀ ସାମନ୍ତ ଭାରତରେ ଭଲିବଲର ବିକାଶ ଓ ପ୍ରସାର ନେଇ ଆଲୋଚନା କରିଥିଲେ । ଏ ଦିଗରେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଆର ଗ୍ରାକା ଓ ଫାବିଓ ଶ୍ରୀ ସାମନ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ ଏହି ପ୍ରତିନିଧିମଣ୍ଡଳୀ ଅଗଷ୍ଟ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି ।

Leave a Reply

Your email address will not be published. Required fields are marked *