ସରଳା ଦେଵୀଙ୍କ ୧୧୭ତମ ଜୟନ୍ତୀ ଅବସରରେ ପ୍ରଫେସର ସୁଲୋଚନା ଦାସଙ୍କୁ ସରଳା ଦେଵୀ ସ୍ମୃତି ସମ୍ମାନ

କଟକ : ୨୦/୮(ପ୍ରବାହ ନିଉଜ୍) ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସରଳା ଦେଵୀ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଵିଶିଷ୍ଟ ସାହିତ୍ୟିକା ସରଳାଦେଵୀଙ୍କ ୧୧୭ତମ ଜୟନ୍ତୀ ସ୍ଥାନୀୟ ସାରଳା ଭଵନରେ ପାଳିତ ହୋଇଯାଇଛି। ଇଂ.ଡକ୍ଟର ପ୍ରଭାକର ସ୍ବାଇଁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ହାଇକୋର୍ଟର ପ୍ରାକ୍ତନ ବିଚାରପତି ତଥା ରାଜ୍ୟ ଉପଭୋକ୍ତା ଆୟୋଗ ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଡକ୍ଟର ଦୁର୍ଗାପ୍ରସାଦ ଚୌଧୁରୀ ଉଦ୍ଘାଟକ ଭାବେ ଯୋଗଦେଇ ସରଳା ଦେଵୀଙ୍କ ତ୍ୟାଗପୂତ ଜୀଵନ, ଦେଶପ୍ରୀତି ଓ ସାହିତ୍ୟାନୁରାଗର ପଟାନ୍ତର ନାହିଁ ଵୋଲି କହିଥିବା ବେଳେ ସେ ଏକାଧାରରେ  ଲୌହମାନଵୀ, ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଶାର ପ୍ରଥମ ବିଧାୟିକା, ଗାନ୍ଧୀ ଅନୁଗାମିନୀ, ଦେଶର ପ୍ରଥମ ଶିକ୍ଷା କମିଶନ ସଦସ୍ୟା ତଥା ବିଶିଷ୍ଟ ସାହିତ୍ୟିକ ଭାବେ ରାଜ୍ୟ ଏବଂ ରାଜ୍ୟ ବାହାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ, ସେହିପରି ମୁଖ୍ୟ ଅତିଥି ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ନିରଞ୍ଜନ ରଥ, ସରଳା ଦେଵୀ କେବଳ ଲୌହମାନଵୀ ନଥିଲେ, ଵରଂ ସେ ସ୍ଵର୍ଗର ପାରିଜାତ ଥିଲେ ଵୋଲି ବର୍ଣ୍ଣନା କରିଥିଲେ। ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି ସୁରେଶଚନ୍ଦ୍ର ନାୟକ ବିଶିଷ୍ଟ ଅତିଥି ଭାଵେ ଯୋଗଦାନ କରି ସରଳା ଦେଵୀଙ୍କ ବହୁମୁଖୀ ପ୍ରତିଭା ଓ ସାହିତ୍ୟ କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସରଳାଦେଵୀଙ୍କ ଜୀବନ ଦେଶ ଓ ସମାଜପ୍ରତି ସମର୍ପିତ ଥିଲା ଵୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଏହି ଅଵସରରେ ସାରସ୍ୱତ ସାଧିକା ପ୍ରଫେସର ଡକ୍ଟର ସୁଲୋଚନା ଦାସଙ୍କୁ ୧୫ ହଜାର ଅର୍ଥରାଶି ସହ ‘ସରଳା ଦେଵୀ ସ୍ମୃତି ସମ୍ମାନ’ ଏଵଂ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡକ୍ଟର ମିନତୀ ବେହେରା ଓ ରାଉରକେଲାର ଜଣାଶୁଣା ସମାଜସେଵିକା ମିନତୀ ଦେବତାଙ୍କୁ ‘ସରଳା ଦେଵୀ ସେବା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସ୍ମୃତି ସଂସଦର ସମ୍ପାଦକ ଲକ୍ଷ୍ମୀପ୍ରକାଶ ମହାପାତ୍ର ସ୍ବାଗତ ଵକ୍ତବ୍ୟ ଓ ଜ୍ଞାନରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଦେଵୀପ୍ରସନ୍ନ ମହାପାତ୍ର, କଵିତା ମହାପାତ୍ର, ଦେବାଁଶୁ ମହାପାତ୍ର ଓ ବିଜୟ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *