ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି
ବ୍ରହ୍ମପୁର (ପ୍ରବାହ ନ୍ୟୁଜ୍) :୦୧.୦୩.୨୦୨୪ : ଓଡ଼ିଶାର ଗଞ୍ଜାମ ଜିଲ୍ଲା ଭଞ୍ଜ ବିହାରଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଉଦବୋଧନ ଦେଇଛନ୍ତି ।
ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ କେବଳ ଓଡ଼ିଶାର ଇତିହାସରେ ନୁହେଁ ବରଂ ଭାରତର ଇତିହାସରେ ମଧ୍ୟ ଓଡ଼ିଶାର ଦକ୍ଷିଣାଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଏହି ଭୂମି ଶିକ୍ଷା, ସାହିତ୍ୟ, କଳା ଓ ହସ୍ତଶିଳ୍ପରେ ସମୃଦ୍ଧ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ଏହି ଅଞ୍ଚଳର ପୁତ୍ର କବିସୂର୍ୟ୍ୟ ବଳଦେବ ରଥ ନିଜ ଲେଖା ମାଧ୍ୟମରେ ଓଡ଼ିଆ ତଥା ଭାରତୀୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଏହି ଭୂମି ଅନେକ ସ୍ୱାଧୀନତା ସଂଗ୍ରାମୀ, ସହିଦ ଏବଂ ସରକାରୀ କର୍ମଚାରୀଙ୍କ ଜନ୍ମସ୍ଥାନ ଏବଂ କର୍ମକ୍ଷେତ୍ର ମଧ୍ୟ ଅଟେ ।
୧୯୬୭ ମସିହାରେ ସ୍ଥାପିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଶାର ଦକ୍ଷିଣ ଭାଗର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ବୋଲି ରାଷ୍ଟ୍ରପତି କହିଥିଲେ। ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶିକ୍ଷା ଓ ବିକାଶରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭୂମିକାକୁ ସେ ପ୍ରଶଂସା କରିଥିଲେ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭାଗ ଓ ଏହାର ଅନୁବନ୍ଧିତ କଲେଜଗୁଡ଼ିକରେ ପାଖାପାଖି ୪୫ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ। ୫୫ ପ୍ରତିଶତରୁ ଅଧିକ ଛାତ୍ରୀ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। କେବଳ ଏତିକି ନୁହେଁ, ସ୍ୱର୍ଣ୍ଣ ପଦକ ବିଜେତାଙ୍କ ମଧ୍ୟରୁ ୬୦ ପ୍ରତିଶତ ହେଉଛନ୍ତି ଝିଅ ଏବଂ ଆଜି ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିବା ଗବେଷକଙ୍କ ମଧ୍ୟରୁ ଅଧା ହେଉଛନ୍ତି ଝିଅ । ଲିଙ୍ଗଗତ ସମାନତାର ଏହା ଏକ ଉତ୍କୃଷ୍ଟ ଉଦାହରଣ ବୋଲି ସେ କହିଛନ୍ତି ।
ରାଷ୍ଟ୍ରପତି କହିଛନ୍ତି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଝିଅମାନଙ୍କୁ ସମାନ ସୁଯୋଗ ଦିଆଗଲେ ସେମାନେ ପୁଅମାନଙ୍କୁ ପଛରେ ପକାଇବାର ସମ୍ଭାବନା ରହିଛି । ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଉଲ୍ଲେଖନୀୟ । କିନ୍ତୁ ଏବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାଠାରୁ ଆରମ୍ଭ କରି ପୁଲିସ ଓ ସେନା ପର୍ୟ୍ୟନ୍ତ ସବୁ କ୍ଷେତ୍ରରେ ଆମ ଝିଅମାନଙ୍କର ସାମର୍ଥ୍ୟ ଦୃଶ୍ୟମାନ ହେଉଛି। ଏବେ ଆମେ ମହିଳାଙ୍କ ବିକାଶର ପର୍ୟ୍ୟାୟରୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଆଡକୁ ଗତି କରୁଛୁ ।
ସମାବର୍ତ୍ତନ କେବଳ ଡିଗ୍ରୀ ପ୍ରାପ୍ତିର ଉତ୍ସବ ନୁହେଁ ବୋଲି ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ଏହା ସେମାନଙ୍କ କଠିନ ପରିଶ୍ରମ ଏବଂ ସଫଳତାକୁ ସ୍ୱୀକୃତି ଦେବା ପାଇଁ ଏକ ଉତ୍ସବ ମଧ୍ୟ ଅଟେ। ଏହା ଦ୍ୱାରା ନୂଆ ସ୍ୱପ୍ନ ଓ ସମ୍ଭାବନାର ଦ୍ୱାର ଖୋଲିଥାଏ । ଡିଗ୍ରୀ ହାସଲ କରିବା ଶିକ୍ଷାର ଅନ୍ତ ନୁହେଁ ବୋଲି ସେ କହିଛନ୍ତି। ସାରା ଜୀବନ ଶିଖିବା ପାଇଁ ସେମାନଙ୍କର ଉତ୍ସାହ ରହିବା ଉଚିତ୍ । ନିଜର ଜ୍ଞାନ ଓ ବୁଦ୍ଧିକୁ କେବଳ ନିଜ ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ବ୍ୟବହାର କରିବାକୁ ସେ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ସେମାନେ ରାଷ୍ଟ୍ର ନିର୍ମାଣ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍ ।