ପୋଲାଣ୍ଡ୍‌ର କେରୋଲିନା ବାଏଲସ୍କା ମିସ୍‌ ୱାଲ୍‌ର୍ଡ ୨୦୨୧; ପ୍ରଥମ ରନର୍‌ ଅପ୍‌ ହେଲେ ଭାରତୀୟ-ଆମେରିକୀୟ ଶ୍ରୀ ସାୟିନୀ

ସାଏନ୍‌ ୱାନ୍‌: ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତା ‘ମିସ୍‌ ୱାଲ୍‌ର୍ଡ ୨୦୨୧’ ପୋଲାଣ୍ଡ୍‌ର କେରୋଲିନା ବାଏଲସ୍କା ବିଜୟୀ ହୋଇଥିବା ବେଳେ ଆମେରିକାର ପ୍ରତିନିଧିତ୍ବ କରିଥିବା ଭାରତୀୟ-ଆମେରିକୀୟ ଶ୍ରୀ ସାୟିନୀ ପ୍ରଥମ ଏବଂ କୋଟ୍‌ ଡିଲ୍‌ଭାୟର୍‌ର ଅଲିଭିଆ ୟେସ୍‌ ଦ୍ବିତୀୟ ରନର୍ସ ଅପ୍‌ ହୋଇଛନ୍ତି।

କୋଭିଡ୍‌-୧୯ଜନିତ ମହାମାରୀ ହେତୁ ୨୦୨୦ରେ ଏହି ସୁନ୍ଦରୀ ପ୍ରତିଯୋଗିତାରେ ବିଳମ୍ବ ଘଟି ଚଳିତ ମାର୍ଚ ୧୬ରେ ପୁଏଟୋରିକୋର ସାଏନ୍‌ ୱାନ୍‌ରେ ଆୟୋଜିତ ହୋଇଥିଲା।

ଭାରତ ତରଫରୁ ଏଥିରେ ଅଂଶ ଗ୍ରହଣ କରିଥିଲେ ‘ଫେମିନା ମିସ୍‌ ଇଣ୍ଡିଆ ୱାଲ୍‌ର୍ଡ ୨୦୨୦’ ମାନସା ବାରାଣସୀ। ଶ୍ରେଷ୍ଠ ୧୩ ଅଂଶ ଗ୍ରହଣକାରୀଙ୍କ ମଧ୍ୟରେ ରହିଥିଲେ ବି ମାନସା ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିବା ୬ଜଣ ଶ୍ରେଷ୍ଠ ଅଂଶ ଗ୍ରହଣକାରୀଙ୍କ ମଧ୍ୟରେ ରହି ପାରି ନ ଥିଲେ।

କୋକା-କୋଲା ମ୍ୟୁଜିକ୍‌ ହଲ୍‌ରେ ଜାମାଇକାର ମିସ୍‌ ୱାର୍ଲଡ୍‌ ୨୦୧୯ ଟୋନି-ଆନ୍‌ ସିଂହ ନୂତନ ମିସ୍‌ ୱାର୍ଲଡ୍‌ଙ୍କୁ ମୁକୁଟ ପିନ୍ଧାଇ ଥିଲେ।

ସୂଚନାଯୋଗ୍ୟ, ଶେଷ ଥର ପାଇଁ ୨୦୧୭ରେ ଭାରତର ପକ୍ଷରୁ ମଡେଲ୍‌ ତଥା ଅଭିନେତ୍ରୀ ମାନୁଷୀ ଛିଲ୍ଲାର ମିସ୍‌ ୱାଲ୍‌ର୍ଡ ବିଜୟିନୀ ହୋଇଥିଲେ।

Leave a Reply

Your email address will not be published. Required fields are marked *