ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନୂତନ ଜାମ୍ମୁ ରେଳ ଡିଭିଜନର ଉଦଘାଟନ କରିଥିଲେ। ସେ ପୂର୍ବତଟ ରେଳବାଇର ରାୟଗଡ଼ା ରେଳ ଡିଭିଜନ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ତେଲଙ୍ଗାନାରେ ଚାରଲାପଲ୍ଲୀ ନୂତନ ଟର୍ମିନାଲ ଷ୍ଟେସନର ଉଦଘାଟନ କରିଥିଲେ।
ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ତାଙ୍କ ଶିକ୍ଷା ଓ ଜୀବନ ଏକ ଶକ୍ତିଶାଳୀ ଓ ସମୃଦ୍ଧ ରାଷ୍ଟ୍ରର ପରିକଳ୍ପନାକୁ ଅନୁପ୍ରାଣିତ କରିଥାଏ। ସଂଯୋଗୀକରଣ କ୍ଷେତ୍ରରେ ଭାରତର ଦ୍ରୁତଗତିର ଅଗ୍ରଗତିକୁ ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ ଯେ ୨୦୨୫ ମସିହା ଆରମ୍ଭରୁ ଭାରତ ଏହାର ମେଟ୍ରୋ ରେଳ ନେଟୱର୍କକୁ ୧୦୦୦ କିଲୋମିଟରରୁ ଅଧିକ ବିସ୍ତାର କରିବା ସହିତ ଏହାର ପଦକ୍ଷେପକୁ ତ୍ୱରାନ୍ୱିତ କରୁଛି। ଗତକାଲି ଦିଲ୍ଲୀ ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ ସହିତ ଦିଲ୍ଲୀ-ଏନସିଆରରେ ନମୋ ଭାରତ ଟ୍ରେନର ଉଦଘାଟନ ବିଷୟରେ ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମ ଏହି କଥାର ଆଉ ଏକ ପ୍ରମାଣ ଯେ ସମଗ୍ର ଦେଶ ପର୍ଯ୍ୟାୟକ୍ରମେ ଏକାଠି ଆଗକୁ ବଢ଼ୁଛି, କାରଣ ଜାମ୍ମୁ-କାଶ୍ମୀର, ଓଡ଼ିଶା ଏବଂ ତେଲଙ୍ଗାନାରେ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ଦେଶର ଉତ୍ତର, ପୂର୍ବ ଏବଂ ଦକ୍ଷିଣ ଅଞ୍ଚଳ ପାଇଁ ଆଧୁନିକ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପ୍ରଗତି ଦର୍ଶାଉଛି। ସେ ଦୋହରାଇଥିଲେ ଯେ ‘ସବକା ସାଥ୍, ସବକା ବିକାଶ’ ମନ୍ତ୍ର ବିକଶିତ ଭାରତର ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ସହାୟକ ହେଉଛି। ଏହି ବିକାଶ ପାଇଁ ସେ ଏହି ରାଜ୍ୟଗୁଡ଼ିକର ଜନସାଧାରଣ ଏବଂ ଭାରତର ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଦେଶରେ ସମର୍ପିତ ମାଲ କରିଡର ଭଳି ଆଧୁନିକ ରେଳ ନେଟୱର୍କର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ସେ କହିଥିଲେ ଯେ ଏହି ସ୍ୱତନ୍ତ୍ର କରିଡରଗୁଡ଼ିକ ନିୟମିତ ରେଳପଥ ଉପରେ ଚାପ ହ୍ରାସ କରିବ ଏବଂ ଦ୍ରୁତଗାମୀ ଟ୍ରେନ୍ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ‘ମେଡ୍ ଇନ୍ ଇଣ୍ଡିଆ’ର ପ୍ରୋତ୍ସାହନ ସହିତ ରେଳବାଇରେ ଏକ ପରିବର୍ତ୍ତନ ଘଟୁଛି। ସେ କହିଥିଲେ ଯେ ମେଟ୍ରୋ ଏବଂ ରେଳପଥ ପାଇଁ ଆଧୁନିକ କୋଚ ବିକଶିତ କରାଯାଉଛି। ଷ୍ଟେସନଗୁଡ଼ିକର ମଧ୍ୟ ପୁନଃ ବିକାଶ କରାଯାଉଛି, ଷ୍ଟେସନଗୁଡ଼ିକରେ ସୌର ପ୍ୟାନେଲ ସ୍ଥାପନ କରାଯାଉଛି ଏବଂ ରେଳ ଷ୍ଟେସନଗୁଡ଼ିକରେ ‘ୱାନ ଷ୍ଟେସନ, ୱାନ ପ୍ରଡକ୍ଟ’ ଷ୍ଟଲମାନ ସ୍ଥାପନ କରାଯାଉଛି। ଏହି ସମସ୍ତ ପଦକ୍ଷେପ ରେଳ କ୍ଷେତ୍ରରେ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। ଗତ ଦଶନ୍ଧି ମଧ୍ୟରେ ଲକ୍ଷ ଲକ୍ଷ ଯୁବକ ରେଳବାଇରେ ସ୍ଥାୟୀ ସରକାରୀ ଚାକିରି ପାଇଛନ୍ତି । ନୂତନ ଟ୍ରେନ୍ କୋଚ୍ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକରେ କଞ୍ଚାମାଲର ଚାହିଦା ଅନ୍ୟ କ୍ଷେତ୍ରରେ ମଧ୍ୟ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ ବୋଲି ଶ୍ରୀ ମୋଦୀ କହିଥିଲେ । ‘‘ଗତ ଦଶନ୍ଧି ମଧ୍ୟରେ ଲକ୍ଷ ଲକ୍ଷ ଯୁବକ ରେଳବାଇରେ ସ୍ଥାୟୀ ସରକାରୀ ଚାକିରି ପାଇଛନ୍ତି। ନୂତନ ଟ୍ରେନ୍ କୋଚ୍ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକରେ କଞ୍ଚାମାଲର ଚାହିଦା ଅନ୍ୟ କ୍ଷେତ୍ରରେ ମଧ୍ୟ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ’’, ବୋଲି ଶ୍ରୀ ମୋଦୀ କହିଥିଲେ ।