କିଟରେ ପେଡିକ୍ରିଟିକନ୍‍ -୨୦୨୨ ଉଦ୍‍ଯାପିତସମସ୍ତ ହସ୍ପିଟାଲ୍‍ ଓ ମେଡିକାଲ୍‍ କଲେଜରେ ଶିଶୁରୋଗ ଆଇସିୟୁ ଖୋଲିବାକୁ ଆହ୍ୱାନ

ଭୁବନେଶ୍ୱର, ୧୯ ।୧୨: କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଇଣ୍ଡିଆନ୍‍ ଏକାଡେମୀ ଅଫ୍‍ ପେଡିଆଟ୍ରିକ୍‍ସ (ଆଇଏଏପି) ଇଣ୍ଟେନ୍‍ସିଭ୍‍ର ୨୪ତମ ଜାତୀୟ ସମ୍ମିଳନୀ ପେଡିକ୍ରିଟିକନ୍‍-୨୦୨୨ ରବିବାର ଉଦ୍‍ଯାପିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିବା ଦେଶ ଓ ବିଦେଶର ଶିଶୁରୋଗ ବିଶେଷଜ୍ଞମାନେ ସମସ୍ତ ସରକାରୀ, ଘରୋଇ ଓ ମେଡିକାଲ୍‍ କଲେଜଗୁଡ଼ିକରେ ଶିଶୁରୋଗ ଆଇସିୟୁ ଖୋଲିବାକୁ ଆହ୍ୱାନ ଦେଇଥିଲେ। ଆଇଏଏପି ଓ କିମ୍‍ସ ସହଯୋଗରେ ଆୟୋଜିତ ଆଇଏଏପି-ଇଣ୍ଟେନ୍‍ସିଭ୍‍ କେୟାର ଓଡ଼ିଶା ଚାପ୍ଟର ଦ୍ୱାରା ପ୍ରଥମ ଥର ପାଇଁ ପୂର୍ବ ଭାରତ ତଥା ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା।

ଏହି ସମ୍ମିଳନୀରେ ଓଡ଼ିଶାର ଶିଶୁରୋଗ ବିଶେଷଜ୍ଞମାନେ ଭାରତ ଓ ବିଭିନ୍ନ ଦେଶରୁ ଯୋଗ ଦେଇଥିବା ବିଶିଷ୍ଟ ଓ ଅଭିଜ୍ଞ ଶିଶୁରୋଗ ବିଶେଷଜ୍ଞଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇଥିଲେ। ଏଥି ସହ ସେମାନେ ଶିଶୁରୋଗ ଚିକିତ୍ସା କ୍ଷେତ୍ରରେ ହୋଇଥିବା ବୈଜ୍ଞାନିକ ବିକାଶ ସମ୍ପର୍କରେ ଜାଣିବାକୁ ପାଇଥିଲେ, ଯାହାକି ସେମାନଙ୍କୁ ଓଡ଼ିଶାରେ ଶିଶୁରୋଗ ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନ କୌଶଳର ବିନିଯୋଗ କରିବାରେ ସହାୟକ ହେବ। ଦେଶର ସମସ୍ତ ସରକାରୀ, ଘରୋଇ ହସ୍ପିଟାଲ୍‍ ସମେତ ସମସ୍ତ ମେଡିକାଲ୍‍ କଲେଜରେ ଶିଶୁରୋଗ ଆଇସିୟୁ ଖୋଲିବା ନିମନ୍ତେ ଉଭୟ ସରକାରୀ ଓ ଘରୋଇସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଆଇଏଏପିର ନବ ନବନିର୍ବାଚିତ ସଭାପତି ଡା. ଜି ଭି ବାସବରାଜ କହିଥିଲେ।

ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡାକ୍ତରଙ୍କୁ ଭଗବାନ ଭାବେ ଅବିହିତ କରିଥିଲେ। ଏହି ଅବସରରେ ସେ କହିଥିଲେ, ଶିଶୁରୋଗ ବିଶେଷଜ୍ଞମାନେ ଭବିଷ୍ୟତ ପୀଢ଼ିର ଚିକିତ୍ସା କରୁଥିବା ବେଳେ ଆମେ କିସରେ  ଜନଜାତି ଓ ସମାଜର ଅବହେଳିତ ଶିଶୁମାନଙ୍କର ଯତ୍ନ ନେବା ସହ ସେମାନଙ୍କୁ ଶିକ୍ଷା ମାଧ୍ୟମରେ ସଶକ୍ତ କରାଇ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଉଛୁ। କିଟ୍‍ର ରୌପ୍ୟ ଜୟନ୍ତୀ ପରିପେକ୍ଷୀରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିବାରୁ ଶ୍ରୀ ସାମନ୍ତ ସମ୍ମିଳନୀରେ ଯୋଗ ଦେଇଥିବା ସମସ୍ତ ଶିଶୁରୋଗ ବିଶେଜ୍ଞଙ୍କୁ ଧନ୍ୟବାଦ ଜଣାଇଥିଲେ। ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ସମସ୍ତଙ୍କ ପାଇଁ ପହଞ୍ଚ ଓ ସୁଲଭ ରଖାଯାଇଥିଲା। ସମ୍ମିଳନୀ ସମ୍ପର୍କରେ ସୂଚନା ପ୍ରଦାନ କରି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡା. ଶିବବ୍ରତ ପଟ୍ଟନାୟକ କହିଥିଲେ, ଶିଶୁରୋଗର ଅଧିକ ଉନ୍ନତ ମାନର ଚିକିତ୍ସା ନିମନ୍ତେ ଶିଶୁରୋଗ ବିଶେଷଜ୍ଞଙ୍କୁ  ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ପରିଚିତ କରାଇବା ଏବଂ ଶିଶୁରୋଗୀଙ୍କ ତ୍ୱରିତ ଓ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲାସ୍ତରରେ ଶିଶୁରୋଗ ଆଇସିୟୁର ଗୁରୁତ୍ୱ ଦେଇ ସରକାରୀ ଓ ଘରୋଇ ହସ୍ପିଟାଲ ଓ ମେଡିକାଲ୍‍ କଲେଜ କର୍ତ୍ତୃପକ୍ଷଙ୍କୁ ସଚେତନ କରାଇବା ହେଉଛି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏହା ଛଡ଼ା ସମାଜର ସବୁବର୍ଗର ଲୋକଙ୍କୁ ସୁହାଇଲା ଭଳି କିଭଳି ସୁଲଭ ମୂଲ୍ୟରେ ଚିକିତ୍ସା ପ୍ରଦାନ କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା ବୋଲି ସେ କହିଛନ୍ତି। ସମ୍ମିଳନୀରେ ହାଭାର୍ଡ ବିଶ୍ୱବିଦ୍ୟାଳୟ, ଲଣ୍ଡନର କିଙ୍ଗସ୍‍ କଲେଜ, ଫିଲାଡେଲଫିଆର ଶିଶୁ ଡାକ୍ତରଖାନା ସମେତ ନେଦରଲ୍ୟାଣ୍ଡ, ମଧ୍ୟପ୍ରାଚ୍ୟ, ଇଣ୍ଡୋନେସିଆ, ନେପାଳ, ନିଉଜିଲାଣ୍ଡ କାନାଡା ଆଦି ଦେଶରୁ ୩୦ରୁ ଊର୍ଦ୍ଧ୍ୱ ଫାକଲ୍‍ଟି ଓ ଶିଶୁ ରୋଗ ବିଶେଷଜ୍ଞ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *