ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟିଲେ ଗାଁସାଥୀ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ସାରା ଓଡ଼ିଶାର ସମସ୍ତ ନ୍ୟାୟଆଶାୟୀ ଗାଁସାଥୀ (ମେଟ୍‌)ଙ୍କୁ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ, ରାଜ୍ୟରେ ଫାଙ୍କାଥିବା ସମସ୍ତ ୭ ହଜାରରୁ ଊର୍ଦ୍ଧ୍ୱ ଜି.ଆର.ଏସ୍‌. ପୋଷ୍ଟରେ ଯୋଗ୍ୟ ଗାଁସାଥୀ (ମେଟ୍‌)ଙ୍କୁ ନିଯୁକ୍ତି ସମେତ ୪ ଦଫା ଦାବିର ତୁରନ୍ତ ସମାଧାନ ପାଇଁ ଆଜି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ଗାଁସାଥୀ (ମେଟ୍‌) ମାନେ । ରାଜ୍ୟରେ ଥିବା ଗାଁସାଥୀ (ମେଟ୍‌) ଙ୍କର ଏକମାତ୍ର ପଞ୍ଜିକୃତ ସଂଗଠନ “ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି”, ଓଡ଼ିଶା ପ୍ରଦେଶର ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଏକ ୬ଜଣିଆ ପ୍ରତିନିଧି ଦଳ ଯାଇ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ଓଡ଼ିଶାର ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ଯେ, ଏହି ସମସ୍ତ ୪ଟି ପ୍ରସଙ୍ଗ ଗତ ସପ୍ତାହରେ ସାରା ରାଜ୍ୟରୁ ଆସିଥିବା ୫୦୦ (ପାଞ୍ଚଶହ) ରୁ ଅଧିକ ଗାଁସାଥୀ (ମେଟ୍‌) ସଂଗଠକମାନେ ମିଳିତ ଭାବରେ ଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ଆସି ଓଡ଼ିଶାର ଆଇନ୍‌ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସମସ୍ତ ୪ ଦଫା ଦାବିର ଆଶୁ ସମାଧାନ ପାଇଁ ଦାବି ଜଣାଇଥିଲେ । ଆଜି ବିଭାଗୀୟ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ମହୋଦୟ ସଂଘର ସମସ୍ତ ଦାବି ବାବଦରେ ଧୈର୍ଯ୍ୟର ସହିତ ଶୁଣିଲେ, ଦାବିପତ୍ର ନେଲେ ଏବଂ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ଲିଖିତ ନିର୍ଦ୍ଦେଶ ମଧ୍ୟ ଦେଲେ । ଏଥିସହିତ ଚଳିତ ଅଗଷ୍ଟ ମାସ ଶେଷ ସୁଦ୍ଧା ପଞ୍ଚାୟତିରାଜ, ଆଇନ୍ ଓ ଅର୍ଥ ବିଭାଗର ମନ୍ତ୍ରୀ ଓ ପଦାଧିକାରୀମାନଙ୍କ ସହିତ ସଂଘର ଏକ ପ୍ରତିିନିଧି ଦଳଙ୍କର ମିଳିତ ବୈଠକ କରାଯାଇ ଗାଁସାଥୀ (ମେଟ୍‌)ଙ୍କର ସମସ୍ତ ଯଥାର୍ଥ ଦାବିର ସମାଧାନ ପାଇଁ ଆନ୍ତରିକତାର ସହିତ ପ୍ରଶାସନିକ ଉଦ୍ୟମ କରାଯିବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ନାୟକ ମହୋଦୟ ଦୃଢ ପ୍ରତିଶ୍ରୁତି ଦେଲେ ବୋଲି ଉକ୍ତ ସଂଘର ସଭାପତି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ଶ୍ରୀ ବିଶ୍ୱାଳଙ୍କ ସହିତ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିବେକାନନ୍ଦ ଠାକୁର, ଉପସଭାନେତ୍ରୀ ନୟନା ନାୟକ, ଗାଁସାଥୀ (ମେଟ୍‌) ସଂଗଠକ ଶ୍ରୀ ପ୍ରତାପ ଦଳାଇ, ବିମଳ ନାୟକ, ସବିତା ଭୋଇ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *