ଏସସିଓ ସମ୍ମିଳନୀ ପାଇଁ ପାକିସ୍ତାନକୁ ନିମନ୍ତ୍ରଣ ପଠାଇଲା ଭାରତ

ନୂଆଦିଲ୍ଲୀ: ଆସନ୍ତା ମାସରେ ଦିଲ୍ଲୀରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ) ବୈଠକରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଙ୍କୁ ଭାରତ ନିମନ୍ତ୍ରଣ କରିଛି। ଏସସିଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଛି। ଏସସିଓରେ ଭାରତ, ପାକିସ୍ତାନ, ଚୀନ, କାଜାଖସ୍ତାନ, କିର୍ଗିଜସ୍ତାନ, ରୁଷିଆ, ତାଜିକିସ୍ତାନ ଓ ଉଜବେକିସ୍ତାନ ରହିଛନ୍ତି । ଏହି ବୈଠକ ପାଇଁ ଭାରତର ମନ୍ତ୍ରୀମାନେ ନିଜ ନିଜର ପ୍ରତିପକ୍ଷମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହା ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ମଧ୍ୟ ତାଙ୍କ ପ୍ରତିପକ୍ଷଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି କ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନ୍ୟ ସଦସ୍ୟ ଦେଶର ବୈଦେଶିକମନ୍ତ୍ରୀଙ୍କ  ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କୁ ବି ନିମନ୍ତ୍ରଣ କରାଯାଇଛି ।

ଏସସିଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ ଏପ୍ରିଲରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଏବଂ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ମେ ମାସରେ ଗୋଆରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ପାକିସ୍ତାନ ସରକାର କହିଛନ୍ତି ଯେ ଭାରତରେ ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଯୋଗ ଦେବେ କି ନାହିଁ ସେ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏହି ବୈଠକରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ତଥା ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କୁ ମଧ୍ୟ ଭାରତ ନିମନ୍ତ୍ରଣ କରିଛି।

ସାଂଘାଇ ସହଯୋଗ ସଂଗଠନ (ଏସସିଓ) ୧୯୯୬ ମସିହା ଏପ୍ରିଲ ୨୬ ତାରିଖରେ ସ୍ଥାପିତ ହୋଇଥିଲା । ଏସସିଓରେ ଭାରତ, ପାକିସ୍ତାନ, ଚୀନ, କାଜାଖସ୍ତାନ, କିର୍ଗିଜସ୍ତାନ, ରୁଷିଆ, ତାଜିକିସ୍ତାନ ଓ ଉଜବେକିସ୍ତାନ ରହିଛନ୍ତି । ପ୍ରତିବର୍ଷ ଏହାର ବୈଠକ ଅନୁଷ୍ଠିତ ହୋଇଥାଏ ଏବଂ ଚଳିତ ବର୍ଷ ଏସସିଓର ଅଧ୍ୟକ୍ଷତା ଭାରତ କରୁଛି ।

Leave a Reply

Your email address will not be published. Required fields are marked *