ବିଧାନସଭାର ଓଡ଼ିଶା ନ୍ୟାୟିକ ସେବାର ଶିକ୍ଷାନବିସମାନଙ୍କ ପାଇଁ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ

ଭୁବନେଶ୍ୱର, ତା.୨୭/୦୬/୨୦୨୩ ଓଡ଼ିଶା ବିଧାନସଭା ପକ୍ଷରୁ ଆଜି ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ନ୍ୟାୟିକ ସେବାର ଶିକ୍ଷାନବିସମାନଙ୍କ ପାଇଁ ଏକ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ନ୍ୟାୟିକ ସେବାର ୫୧ ଜଣ ଶିକ୍ଷାନବିସ ଯୋଗ ଦେଇଛନ୍ତି ।


ପୂର୍ବାହ୍ନରେ ବିଧାନସଭା ସମ୍ମିଳନୀ କକ୍ଷରେ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂହ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଉଦ୍‌ଘାଟନ କରିବା ସହ ଶିକ୍ଷାନବିସମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଶିକ୍ଷାନବିସମାନଙ୍କୁ ଓଡ଼ିଶା ବିଧାନସଭାର ଇତିହାସ ଓ ବିଭିନ୍ନ କାର୍ଯ୍ୟାବଳୀ ସମ୍ବନ୍ଧରେ ସେ ବିଶଦ ସୂଚନା ଦେଇଥିଲେ । ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ଜ୍ଞାନ ଆହରଣ ଏକ ନିରନ୍ତର ପ୍ରକ୍ରିୟା । ନିଜର ଜ୍ଞାନରେ ସନ୍ତୁଷ୍ଟ ନହୋଇ ଅଧିକ ଜାଣିବାର ଆଗ୍ରହ ସବୁବେଳେ ବଳବତ୍ତର ରହିବା ଆବଶ୍ୟକ ।

ଗଣତନ୍ତ୍ରର ତିନୋଟି ସ୍ତମ୍ଭ କାର୍ଯ୍ୟପାଳିକା, ବ୍ୟବସ୍ଥାପକ ଏବଂ ନ୍ୟାୟପାଳିକାର ବିଭିନ୍ନ ବିଶେଷତ୍ୱ ସମ୍ବନ୍ଧରେ ବର୍ଣ୍ଣନା କରିବା ସହ ସେ ବିଧାୟକମାନଙ୍କ ଭୂମିକା ଏବଂ ଆହ୍ୱାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଧନେଶ୍ୱର ମଲ୍ଲିକ କହିଲେ ଯେ ବିଧାନସଭାର ବିଭିନ୍ନ କାର୍ଯ୍ୟକ୍ରମ କିପରି ସମାପନ ହୁଏ ସେ ସମ୍ବନ୍ଧରେ ଜାଣିବା ପାଇଁ ଆପଣମାନଙ୍କୁ ଏକ ସୁଯୋଗ ମିଳିଛି ଏବଂ ଏଥିରୁ ଆପଣମାନେ ବହୁତ କିଛି ଶିଖି ପାରିବେ । ସେ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ କାର୍ଯ୍ୟପାଳିକା, ବ୍ୟବସ୍ଥାପକ ଏବଂ ନ୍ୟାୟପାଳିକାର ବିଭିନ୍ନ ଦିଗ ଏବଂ ଏହାର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ସୂଚନା ଦେଇଥିଲେ ।
ବିଧାନସଭାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସାଧନ ବକ୍ତା ଭାବେ ବିଧାନସଭାରେ ବିଭିନ୍ନ ବିଲ୍‌ କିପରି ପ୍ରସ୍ତୁତ ଓ ପାରିତ ହୋଇଥାଏ ସେ ସଂପର୍କରେ ଶିକ୍ଷାନବିସମାନଙ୍କୁ ସୂଚନା ଦେଇଥିଲେ । ଅନ୍ୟତମ ସାଧନ ବକ୍ତା ଭାବରେ ଯୋଗଦେଇ ବିଧାନସଭାର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଶ୍ରୀ ବିଜୟ କୁମାର ସାହୁ ବିଧାନସଭାର ଗଠନ ଏବଂ ବିଧାନସଭା ଗୃହ ମଧ୍ୟସ୍ଥ ଅନ୍ୟାନ୍ୟ କାର୍ଯ୍ୟର ପରିଚାଳନା ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।


ଏହି କାର୍ଯ୍ୟକ୍ରମରେ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ବିଧାନସଭା ସଂପର୍କିତ ଶିକ୍ଷାନବିସମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଆଇନ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ସମେତ ବିଧାନସଭାର ଅନ୍ୟ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଏବଂ ଗବେଷଣା ଅଧିକାରୀ ପ୍ରଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *