ଓଏମସି ସମ୍ପ୍ରସାରଣ ଜନଶୁଣାଣୀ ସଫଳ
ଯୋଡା, ୯/୫: କେନ୍ଦୁଝର ଜିଲ୍ଲା ଯୋଡା ଖଣି କ୍ଷେତ୍ର ତଥା ବଡବିଲ ତହସିଲ ଅନ୍ତର୍ଗତ ମେସର୍ସ ଓଡିଶା ମାଇନିଂ କର୍ପୋରେସନ ଲିମିଟେଡର ସର୍ବସାଧାରଣ ଶୁଣାଣୀ ସଫଳ ହୋଇଥିବା ଖବର ହସ୍ତଗତ ହୋଇଛି । କେନ୍ଦୁଝର ଜିଲ୍ଲା ଜଲହରୀ ଠାରେ ଅନୁଷ୍ଠିତ ଏହି ଜନଶୁଣାଣୀରେ ନିକଟସ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ସେମାନଙ୍କ ପରିବେଶୀୟ ମତାମତ ଉପସ୍ଥାପନା କରିଥିବା ବେଳେ କେତେକ ଗ୍ରାମବାସୀ ଲିଖିତ ଆକାରରେ ଜଣାଇଥିବା ଖବର ମିଳିଛି ।
ଜଲହରୀ,ଜୁରୁଡି,ବାଂଶପାଣି,ଖୁଣ୍ଟପାଣି,ଭୋଳବେଡା,ଜଜାଙ୍ଗ ଏବଂ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ସ୍ଥିତ ଜିଲିଂ ଲଙ୍ଗାଲୋଟା ଲୌହଖଣି (୪୫୬.୦୩୭ ହେକ୍ଟର (ଡିଜିପିଏସ ଅନୁଯାୟୀ) /୪୬୫.୧୦୦ ହେକ୍ଟର (ଆର ଓ ଆର ଅନୁଯାୟୀ) ସମୁଦାୟ ଉତ୍ତୋଳନ ସହ ବର୍ତ୍ତମାନର ପ୍ରସ୍ତାବରେ ଖଣିର ଉତ୍ପାଦନ କ୍ଷମତା ବାର୍ଷିକ ୬.୨୮ମିଲିୟନ ଟନରୁ ୧୦ ମିଲିୟନ ଟନକୁ ବୃଦ୍ଧି ହେବା ସହିତ ବିଦ୍ୟମାନ କ୍ରସିଂ ଏବଂ ସ୍କ୍ରିନିଂ ୟୁନିଟର କ୍ଷମତା ବୃଦ୍ଧି ସହିତ ସ୍ଥାନ ପରିବର୍ତ୍ତନର ପ୍ରସ୍ତାବ ନେଇ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା । ୧୯୫୪ ପର ଠାରୁ ଜିଲିଂ ଲଙ୍ଗାଲୋଟା ଖଣି କାର୍ଯ୍ୟକ୍ଷମ ରହିଛି ।
ଏହି ଖଣି ପୂର୍ବରୁ ଏସେଲ ମାଇନିଙ୍ଗ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ ଦ୍ୱାରା ପରିଚାଳିତ ହେଉଥିଲା। ଜାନୁଆରୀ ୨୦୨୧ରେ ଓଡ଼ିଶା ଖଣି ନିଗମ ଖଣି ଦାୟିତ୍ଵ ଗ୍ରହଣ କରିଥିଲା । ବାର୍ଷିକ ୬.୨୮ ନିୟୁତ ଟନରୁ ୧୦ ନିୟୁତ ଟନକୁ ବୃଦ୍ଧି ସହିତ ବର୍ଜ୍ୟ ୭.୪୩୮୫ ନିୟୁତ ଟିପିଏ ଟପ ସଏଲ, ଷ୍ଟେସନାରୀ କ୍ରସିଂ ୟୁନିଟ, ୧୫୦ ଟିପିଏଚ ମୋବାଇଲ ସ୍କ୍ରିନିଙ୍ଗ ୟୁନିଟ,କ୍ରସିଂ ୟୁନିଟ, ପୋର୍ଟବୋଲ ସ୍କ୍ରିନିଙ୍ଗ ୟୁନିଟ ସ୍ଥାପନା କରିବା ନିମନ୍ତେ ଭାରତ ସରକାରଙ୍କ ପରିବେଶ,ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପରିବେଶ ମଞ୍ଜୁରୀ ନିମନ୍ତେ ଏହି ସର୍ବସାଧାରଣ ଶୁଣାଣୀ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଭାବିତ ବାସିନ୍ଦାମାନେ କର୍ମ ନିଯୁକ୍ତିରେ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ, ଯୁବତୀମାନଙ୍କୁ ଅଗ୍ରାଧିକାର, ପାରିପାର୍ଶ୍ବିକ ଉନ୍ନୟନ ଏବଂ ସାମାଜିକ ବନୀକରଣ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ । ଯାହାକୁ ଓଏମସି କର୍ତ୍ତୁପକ୍ଷ ମାନିନେଇଥିବା ବେଳେ ସର୍ବସମ୍ମତିକ୍ରମେ ଓଡିଶା ଖଣି ନିଗମ (ଓଏମସି) ସପକ୍ଷରେ ଯାଇଥିଲା ଜନଶୁଣାଣୀ ।
ଏହି ଜନଶୁଣାଣୀରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ କେନ୍ଦୁଝର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ପ୍ରଶାନ୍ତ କର ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗୁଡିକୁ ଶୁଣିଥିଲେ । ଓଡ଼ିଶା ଖଣି ନିଗମ ଖଣି ନିକଟବର୍ତ୍ତୀ ଗ୍ରାମ ମାନଙ୍କରେ ସିଏସଆର ଜରିଆରେ ଏହି ଅଞ୍ଚଳର ଉନ୍ନୟନ ପାଇଁ ଗୁରୁତ୍ଵ ଦେଇଥିବା ବେଳେ ଖଣି ନିକଟବର୍ତ୍ତୀ ଜନସାଧାରଣଙ୍କର ଜୀବିକା, ଗୋଷ୍ଟି ଉନ୍ନୟନ, ସ୍ଵାସ୍ଥ୍ୟ, ଭିତ୍ତିଭୂମି ବିକାଶ, ଶିକ୍ଷା, ଦକ୍ଷତା ବିକାଶ, କ୍ରୀଡା ଓ ସଂସ୍କୃତିକ କ୍ଷେତ୍ରରେ ଗତ ଦୁଇ ବର୍ଷ (୨୦୨୧ ରୁ ୨୦୨୩) ମଧ୍ୟରେ ସର୍ବମୋଟ ୬.୫୮ କୋଟି ଟଙ୍କା ଜିଲିଂ ଲୋଙ୍ଗଲୋଟା ଖଣିର ଗୋଷ୍ଟି ସାମାଜିକ ଦାୟିତ୍ଵ ନିମନ୍ତେ ଖର୍ଚ୍ଚ କରାଯିବ ବୋଲି ଓଏମସି ଅଧିକାରୀ ପ୍ରକାଶ କରିଥିଲେ। ଖଣିରେ ପ୍ରସ୍ତାବିତ ସମ୍ପ୍ରସାରଣ ଦ୍ୱାରା ପ୍ରତ୍ୟେକ୍ଷ ଓ ପରୋକ୍ଷରେ ନିଯୁକ୍ତି ପାଇବେ ।
ଖଣିର ପ୍ରସ୍ତାବିତ ସମ୍ପ୍ରସାରଣ ଦ୍ଵାରା ୪୮୮ ବ୍ୟକ୍ତି ପ୍ରତ୍ୟେକ୍ଷ ନିଯୁକ୍ତି ପାଇବେ ଏବଂ ବହୁବ୍ୟକ୍ତି ପରୋକ୍ଷ ନିଯୁକ୍ତି ପାଇବା ସହ ସ୍ଥାନୀୟ ଲୋକଙ୍କ ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି,ଶିଳ୍ପ କ୍ଷେତ୍ରରେ ଅର୍ଥନୈତିକ ଉନ୍ନତି ହେବ ବୋଲି ଏହି ଅବସରରେ ଓଡିଶା ଖଣି ନିଗମର ବଡବିଲ ରିଜିଓନାଲ ମ୍ୟାନେଜର ଅବନୀକାନ୍ତ ପ୍ରଧାନ ପ୍ରକାଶ କରିଥିଲେ । ଯିଏ ଯେଉଁ ପୋଷ୍ଟରେ ପୂର୍ବରୁ କାମ କରୁଥିଲେ ସେହି ଅନୁସାରେ କାମ ଦିଆଯାଉ । ଧୂଳର ପ୍ରତିକାରି ଓ ସ୍ୱାସ୍ଥ୍ୟସେବା ନିମନ୍ତେ ସ୍ଥାନୀୟ ଅଧିବାସୀ ବାସନ୍ତି ପାତ୍ର ଦାବି କରିଥିଲେ । ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ମାନେ କାମଧନ୍ଦା ନପାଇ ଚୋରି କରୁଛନ୍ତି । ପୂର୍ବରୁ ଖଣିରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଯୁବତୀ ମାନେ କାମଧନ୍ଦା ନପାଇବାରୁ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହି ଆବଶ୍ୟକ ସ୍ଥଳେ ମା’ବାପାଙ୍କୁ ଧମକାଇ ଟଙ୍କା ନେଉଛନ୍ତି ବୋଲି କାନ୍ଦି କାନ୍ଦି ସବିତା ତିରିଆ ଜନଶୁଣାଣୀରେ ଉପସ୍ଥିତ ଅଧିକାରୀଙ୍କୁ ଜଣାଇଥିଲେ ।
ସମସ୍ତ ୩୯ ଜଣଙ୍କର ଦାବିକୁ ଆମେ ଗୁରୁତ୍ୱର ସହ ଗ୍ରହଣ କରିଛୁ । ଧୂଳି ଉଡିବା,ଶିକ୍ଷାଦାନ,ସ୍ୱାସ୍ଥ୍ୟସେବା,ନିଯୁକ୍ତି ଏବଂ ଗଛ ଲଗାଇବା କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ । ଓଏମସି ବାହାର କମ୍ପାନୀ ନୁହେଁ,ଆପଣମାନଙ୍କ କମ୍ପାନୀ ଓ ସରକାରଙ୍କ ଏକ ଅଂଶ । ତେଣୁ ସ୍ଥାନୀୟ ଅଞ୍ଚଳର ବିକାଶ ହିଁ ଆମର ଏକମାତ୍ର ଲକ୍ଷ୍ୟ ବୋଲି ଓଏମସି ଜେନେରାଲ ମ୍ୟାନେଜର ଅଶୋକ କୁମାର ବେହେରା ପ୍ରକାଶ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ।