ଗଣେଶ ମନ୍ଦିରର ପାର୍ଶ୍ବ ଦ୍ଵାରା ନିର୍ମାଣ ଦାବି ଓ ବିଭ୍ରାନ୍ତକାରୀ ବ୍ୟକ୍ତିଙ୍କ ବିରୋଧରେ ଆପତ୍ତି ଅଭିଯୋଗ
ବ୍ରହ୍ମପୁର, ପ୍ରବାହ ନ୍ୟୁଜ୍ : କନିଷି ତହସିଲ ଅନ୍ତର୍ଭୁକ୍ତ ପଞ୍ଚମା ଶ୍ରୀ ସିଦ୍ଧ ବିନାୟକ ଗଣେଶ ମନ୍ଦିରର ବିଜେ ପ୍ରତିମା ଠାକୁରଙ୍କ ଭିତର ମନ୍ଦିରର ଉତ୍ତରପାର୍ଶ୍ବ – ଦକ୍ଷିଣପାର୍ଶ୍ବ ଏବଂ ସମୁଖ ଦ୍ବାର ଗୁଡିକର କବାଟ ଗୁଡିକ ଜରାଜିଣ୍ଣ ହୋଇ ଭଗ୍ନ ଅବସ୍ଥାରେ ଲାଗି ରହିଛି । ଏହାର ପୁନରୁଦ୍ଧାର କରି ଯଥା ଶୀଘ୍ର ନିର୍ମାଣ କରାଯିବା ପାଇଁ ବାରମ୍ବାର ଅବଗତ କରା ଯାଉଥିଲେ ମଧ୍ୟ ଆଜି ସୁଧା ନୂତନ କବାଟ ତିଆରି ହୋଇପାରି ନଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ ୨୦୦୫ ଜରିଆରେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା “୫୪୭ ତା-୧୫/୦୧/୨୦୧୯” ରେ ୭/୦୧/୨୦୧୯ ତାରିଖ ଠାରୁ ବ୍ରହ୍ମପୁର ଉପ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ସଦର ଏସଡିପିଓ ଦୁହେଁ ପଞ୍ଚମା ଶ୍ରୀ ଗଣେଶ ମନ୍ଦିରର ପରିଚାଳନା ଦାଇତ୍ବ ଦେବୋତ୍ତର ବିଭାଗ ଆୟୋଗଙ୍କ ନିର୍ଦ୍ଦେଶ ପ୍ରକାରେ ଗ୍ରହଣ କରିଥିଲେ । ତେବେ ପଞ୍ଚମା ଶ୍ରୀ ଗଣେଶ ମନ୍ଦିର ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତୀର୍ଥ ସ୍ତଳୀ ହୋଇଥିବାରୁ ପ୍ରତି ବର୍ଷ ଭାଦ୍ରବ ଶୁକ୍ଳପକ୍ଷ ଶ୍ରୀ ଗଣେଶ ଚତୁର୍ଥୀ ପୂଜା ପ୍ରଶାସନଙ୍କ ତତ୍ତ୍ବାବଧାନରେ ଶାନ୍ତି ଶୃଙ୍ଖଳା ସହ ବଡ ଆଡମ୍ବର ସହକାରେ ହଜାର ହଜାର ଭକ୍ତଙ୍କ ସମାଗମରେ ପାଳିତ ହୋଇ ଆସୁଛି । ପଞ୍ଚମା ଶ୍ରୀ ଗଣେଶ ମନ୍ଦିରର ବାର୍ଷିକ ଲକ୍ଷାଧିକ ଟଙ୍କା ଆଦାୟ ହୋଇ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ବଳକା ଲକ୍ଷାଧିକ ଟଙ୍କା ନିକଟସ୍ଥ ବ୍ୟାଙ୍କରେ ଜମା କରାଯାଇଛି। ଏହାସହ ଚଳିତ ବର୍ଷ ପଞ୍ଚମା ଶ୍ରୀ ଗଣେଶ ମନ୍ଦିରର ଉନ୍ନତି ସକାଶେ ପ୍ରଶାସନିକ ତରଫରୁ ପ୍ରାୟ ଏକ କୋଟି ଦଶ ଲକ୍ଷ୍ୟ ଟଙ୍କା ମଞ୍ଜୁର ହୋଇ କାମ ଚାଲିଛି।
ଏହାସହ ବ୍ରହ୍ମପୁର ଦେବୋତ୍ତର ବିଭାଗ ଆୟୋଗଙ୍କ ମେମୋ ନଂ ୧୧୭୪ / 25G (M) ୦୩/୦୯/୨୦୧୮ ତାରିଖରେ ପଞ୍ଚମା ଗ୍ରାମର କେତେକ ବିଭ୍ରାନ୍ତକାରୀ ବ୍ୟକ୍ତି ମାନଙ୍କୁ ପଞ୍ଚମା ଶ୍ରୀ ଗଣେଶ ଚତୁର୍ଥୀ ପୂଜାରେ ସତର୍କତା ଅବଲମ୍ବନ କରିବା ପାଇଁ ମେମୋ ନଂ. ୧୧୭୫ ୩/୦୯/୨୦୧୮ ତାରିଖରେ ବ୍ରହ୍ମପୁର ଆରକ୍ଷୀ ଅଧ୍ୟକ୍ଷକ ଏବଂ ସ୍ଥାନୀୟ ଗୋଳନ୍ଥରା ଥାନା ଅଧିକାରୀଙ୍କୁ ପତ୍ର ପ୍ରେରଣ କରିଥିଲେ। ମନ୍ଦିର ପରିଚାଳନା କାର୍ଯ୍ୟରେ ଏବଂ ଶ୍ରୀ ଗଣେଶ ଚତୁର୍ଥୀ ପୂଜାରେ ବିଭ୍ରାନ୍ତକାରୀ ବ୍ୟକ୍ତି ମାନଙ୍କୁ ଅଧିକାର ଦିଆନଯାଉ ବୋଲି ଅଭିଯୋଗ ହୋଇଛି । ଏହାସହ ପଞ୍ଚମା ଶ୍ରୀ ଗଣେଶ ଚତୁର୍ଥୀ ପୂଜା ପାଖେଇ ଆସିଲାଣି ତେଣୁ ଶ୍ରୀ ଗଣେଶ ମହାପ୍ରଭୁଙ୍କର ଦ୍ଵାର ଗୁଡିକର କବାଟ ଗୁଡିକ ନୂତନ ଭାବେ ଯଥାଶୀଘ୍ର ନିର୍ମାଣ କରାଯାଉ ବୋଲି ପ୍ରଶାସନ ଓ ଗୋଳନ୍ଥରା ଥାନା ଅଧିକାରୀଙ୍କ ନିକଟରେ ଭଗବାନ ମଲ୍ଲିକ ଆପତି ଅଭିଯୋଗ କରିଛନ୍ତି ।