କଠିନ ଇନ୍ଧନଭରା ନୂଆ ଦୂରଗାମୀ ‌‌କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ୍‌ (ଦକ୍ଷିଣ କୋରିଆ): ‘ହ୍ବାସୋଙ୍ଗ୍‌-୧୮’ ନାମରେ ଗୋଟାଏ କଠିନ ଇନ୍ଧନଭରା ନୂତନ ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ର (ଆଇସିବିଏମ୍‌) ବ୍ୟବହାରିକ ପରୀକ୍ଷା କରିଥିବା କଥା ଆଜି ଉତ୍ତର କୋରିଆ କହିଛି ବୋଲି ତା’ର ରାଷ୍ଟ୍ରାୟତ ଗଣମାଧ୍ୟମ ଆଜି ରିପୋର୍ଟ କରିଛି।

ଦେଶର ଆଣବିକ ପ୍ରତିଆକ୍ରମଣ ସାମର୍ଥ୍ୟର ଚରମ ଅଭିବୃଦ୍ଧି ନିମନ୍ତେ ନିର୍ମିତ ଏହି ଦୂରଗାମୀ କ୍ଷେପଣାସ୍ତ୍ର ଶତ୍ରୁମାନଙ୍କ ଲାଗି ଅତି ଉଦ୍‌ବେଗ ଓ ଆତଙ୍କର କାରଣ ହେବ ବୋଲି ମଧ୍ୟ ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଉତ୍ତର କୋରିଆର ରାଷ୍ଟ୍ରାୟତ ଗଣମାଧ୍ୟମ ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ‌ଏଜେନ୍‌ସି’ କହିଛି, ଦେଶର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ଏହି କ୍ଷେପଣାସ୍ତ୍ର ପରୀକ୍ଷାର ତତ୍ତ୍ବାବଧାନ କରିଥିଲେ। ଶତ୍ରୁମାନଙ୍କ ମଧ୍ୟରେ ଉଦ୍‌ବେଗ ଓ ଆତଙ୍କ ସୃଷ୍ଟି କରିବା ଲାଗି ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାର ଆହୁରି ବିସ୍ତାର କରିବାକୁ ସେ ଶପଥ ନେଇଛନ୍ତି।

ଏହି ନୂତନ ପ୍ରକାରର ‘ଆଇସିବିଏମ୍‌’ରେ ଉତ୍ତର କୋରିଆ ପ୍ରଥମ ଥର ପାଇଁ କଠିନ ଇନ୍ଧନ ବ୍ୟବହାର କରିଥିବା କଥା ସମୀକ୍ଷକମାନେ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ କହିଛନ୍ତି। କଠିନ ଇନ୍ଧନ ଭରା ‘ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’କୁ ନେବା ଆଣିବା କରିବା ଓ ଲୁଚାଇ ରଖିବା ସହଜ। ଏହାକୁ ମଧ୍ୟ ଅପେକ୍ଷାକୃତ ଶୀଘ୍ର ନିକ୍ଷେପ କରାଯାଇ ପାରିବ। ଫଳତଃ ଏହାକୁ ଠାବ କରି ପ୍ରତିଆକ୍ରମଣ କରିବା ଲାଗି ଶତ୍ରୁ  ସମୟ ଓ ସୁଯୋଗ ପାଇବ ନାହିଁ।

ସୂଚନାଯୋଗ୍ୟ, ୨୦୨୨ ମସିହା ପ୍ରାରମ୍ଭରୁ ଏଯାବତ୍‌ ଉତ୍ତର କୋରିଆ ସମୁଦ୍ର ମଧ୍ୟକୁ ଶତାଧିକ ‌‌କ୍ଷେପଣାସ୍ତ୍ର ନିକ୍ଷେପ କରି ସାରିଲାଣି।

Leave a Reply

Your email address will not be published. Required fields are marked *