ପ୍ରି-ଇନଷ୍ଟଲଡ୍ ଆପ୍ ହଟାଇବା ସଂପର୍କରେ କୌଣସି ନିଷ୍ପତ୍ତି ହୋଇନି : ସରକାର
ନୂଆଦିଲ୍ଲୀ : ସୁରକ୍ଷା ଦୃଷ୍ଟିକୋଣରୁ ପ୍ରି-ଇନଷ୍ଟଲଡ୍ ଆପଗୁଡ଼ିକ ବିପଦ ସୃଷ୍ଟି କରୁଥିବାରୁ ସରକାର ଏ ନେଇ ଏକ ନୂଆ ସୁରକ୍ଷା ଆଇନ ଆଣିପାରନ୍ତି ବୋଲି ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ଆଜି କେନ୍ଦ୍ର ସରକାର ଏହି ଖବରକୁ ଖଣ୍ଡନ କରିଛନ୍ତି । ଏପରି କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ଓ ଏପରି ରିପୋର୍ଟ ଭ୍ରମାତ୍ମକ ବୋଲି ପିଆଇବି ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଟେକନଲୋଜୀ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ ଏକ ଟୁଇଟ କରି ଏହି ଖବର ସଂପୂର୍ଣ୍ଣ ଭୁଲ ଓ କପୋଳକଳ୍ପିତ ବୋଲି କହିଛନ୍ତି । ମୋବାଇଲ ସୁରକ୍ଷା ନିୟମାବଳୀ ସଂପର୍କରେ ନିକଟରେ ସରକାର ଓ ମୋବାଇଲ କମ୍ପାନିଙ୍କ ମଧ୍ୟରେ ଚାଲିଥିବା ଆଲୋଚନାକୁ ଭିତ୍ତି କରି ଏପରି ରିପୋର୍ଟ ପ୍ରକାଶ କରାଯାଇଛି । କିନ୍ତୁ ସ୍ଥିତି ସଂପର୍କରେ କୌଣସି ଧାରଣା ନଥାଇ ସଂପୂର୍ଣ୍ଣ ମନଗଢା କାହାଣୀକୁ ନେଇ ଏପରି ରିପୋର୍ଟ ଲେଖାଯାଇଛି ବୋଲି ସେ ଲେଖିଛନ୍ତି ।
ଗତ କାଲି ଖବର ପ୍ରକାଶ ପାଇଥିଲା ଯେ, ସାଇବର ସୁରକ୍ଷା ଓ ଗୋପନୀୟତାକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ସୁରକ୍ଷା ନିୟମ ଅନୁଯାୟୀ, କେନ୍ଦ୍ର ସରକାର ସ୍ମାର୍ଟଫୋନ୍ ନିର୍ମାତାମାନଙ୍କୁ ପ୍ରି-ଇନଷ୍ଟଲ୍ ହୋଇଥିବା ଆପ୍ଗୁଡ଼ିକୁ ହଟାଇବା ଏବଂ ଆଗାମୀ ଦିନରେ ପ୍ରମୁଖ ଅପରେଟିଂ ସିଷ୍ଟମ୍ ଅପଡେଟ୍ ଗୁଡ଼ିକର ବାଧ୍ୟତାମୂଳକ ଯାଞ୍ଚ ପାଇଁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇପାରନ୍ତି।