୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ କମ୍ପାନିରେ ପରିଣତ ହେବାକୁ ଏନ୍‌ଏମ୍‌ଡିସିର ଯୋଜନା

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଦେଶର ସର୍ବବୃ୍‌ହତ ଲୁହାପଥର ଉତ୍ପାଦନକାରୀ ଏନ୍‌ଏମ୍‌ଡିସିର ୬୬ତମ ବାର୍ଷିକ ସାଧାରଣ ବୈଠକ ଏହାର ହାଇଦ୍ରାବାଦ ସ୍ଥିତ କର୍ପୋରେଟ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କମ୍ପାନିର ସିଏମ୍‌ଡି ଅମିତାଭ ମୁଖାର୍ଜୀ (ଅତିରିକ୍ତ ଦାୟିତ୍ୱ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେ ଅଂଶୀଦାରମାନଙ୍କୁ ସମ୍ବୋଧିତ କରି କମ୍ପାନିର ରେକର୍ଡ ପ୍ରଦର୍ଶନ ଓ ଭବିଷ୍ୟତ ରୋଡମ୍ୟାପ୍ ବିଷୟରେ ଅବଗତ କରିଥିଲେ ।
ଶ୍ରୀ ମୁଖାର୍ଜୀ କହିଛନ୍ତି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଏନ୍‌ଏମ୍‌ଡିସି ୪୫ ନିୟୁତ ଟନ୍‌ର ଉତ୍ପାଦନ ମାଇଲଖୁଂଟ ହାସଲ କରିଛି । ଏଭଳି ଲକ୍ଷ୍ୟ ହାସଲ କରିବାରେ ଏହା ହେଉଛି ପ୍ରଥମ ଲୁହାପଥର କମ୍ପାନି ଏବଂ କମ୍ପାନିର ବିକ୍ରି ୪୪.୪୮ ନିୟୁତ ଟନ୍‌ରେ ପହଂଚିଛି । କମ୍ପାନିର ରାଜସ୍ୱ ୨୧% ବୃଦ୍ଧି ପାଇ ୨୧୨୯୪ କୋଟି ଟଙ୍କା ହୋଇଥିବା ବେଳେ ବିକ୍ରି ପରବର୍ତୀ ଲାଭ ୨% ବୃ୍‌ଦ୍ଧି ପାଇ ୫୬୩୨ କୋଟି ଟଙ୍କା ହୋଇଛି । କମ୍ପାନିର ଇବିଆଇଟିଡିଏରେ ୨୮% ବୃଦ୍ଧି ଘଟିଛି ।
ଏନ୍‌ଏମ୍‌ଡିସିର ପରିଚାଳନା ଉତ୍କର୍ଷତା, ଆର୍ଥିକ ଦୃଢ଼ତା ଓ ରଣନୀତି ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୁଖାର୍ଜୀ କହିଛନ୍ତି ଯେ ୨୦୩୦ ସୁଦ୍ଧା ଏକ ୧୦୦ ନିୟୁତ ଟନ୍ କମ୍ପାନିରେ ପରିଣତ ହେବାକୁ ଏନ୍‌ଏମ୍‌ଡିସି ଏକ ମହତ୍ୱକାଂକ୍ଷୀ ଲକ୍ଷ୍ୟ ରଖିଛି । ସେ କହିଛନ୍ତି ଯେ ବିଶ୍ୱରେ ଅସ୍ଥିରତା ସତ୍ୱେ ଉତ୍ପାଦନ ହାର ସ୍ଥିର ରହିଛି ଏବଂ ଭାରତରେ ଲୁହାପଥର ଉତ୍ପାଦନରେ ବୃଦ୍ଧି ହୋଇଥିବା ବେଳେ ଶିଳ୍ପକୁ ଏନଏମଡିସିର ଅବଦାନ ବୃ୍‌ଦ୍ଧି ପାଇ ୨୦୨୩-୨୪ରେ ଏହାର ବଜାର ଅଂଶ ୧୬ ପ୍ରତିଶତରେ ପହଂଚିଛି ।
କମ୍ପାନିର ଛତିଶଗଡ଼ ଓ କର୍ଣ୍ଣାଟକରେ ଥିବା ଖଣିରେ ରେକର୍ଡ ବାର୍ଷିକ ଉତ୍ପାଦନ ହୋଇଛି । କମ୍ପାନି ୧୦ ଏମଟିପିଏର ରାପିଡ୍ ୱାଗନ୍ ଲୋଡିଂ ସିଷ୍ଟମ୍ କାର୍ଯ୍ୟକାରୀ କରିଛି । ପଶ୍ଚିମ ଅଷ୍ଟ୍ରେଲିଆରେ ସହାୟକ ସଂସ୍ଥା ଲିଗାସି ଆଇରନ୍ ଲିମିଟେଡ୍ ଜରିଆରେ ମାଉଂଟ୍ ସେଲିଆ ସୁନା ଖଣିର ଶୁଭାରମ୍ଭ କରିଛି । ମଧ୍ୟପ୍ରଦେଶରେ ପନ୍ନା ହୀରା ଖଣିକୁ ମଧ୍ୟ କମ୍ପାନି ଆରମ୍ଭ କରିଛି ।
ଶ୍ରୀ ମୁଖାର୍ଜୀ କମ୍ପାନିର ୧୫ ଏମଟିପିଏ ସ୍ଲରି ପାଇପ୍‌ଲାଇନ୍ ଯୋଜନା, କିରାଣ୍ଡୁଲ-କୋଥାଭାଲାସା ରେଳ ଲାଇନ୍‌ର ଦୋହରୀକରଣ କରି ୨୮ ଏମଟିପିଏରୁ ୪୦ ଏମଟିପିଏରେ ପହଂଚାଇବାକୁ ଯୋଜନା ରଖିଛି । ଏଥି ସହିତ କମ୍ପାନି ସୌର ଓ ପବନ ଶକ୍ତି ପ୍ରକଳ୍ପରେ ନିବେଶ କରିବାକୁ ମଧ୍ୟ ଯୋଜନା ରଖିଛି । ଲିଥିୟମ୍ ଓ କୋବାଲଟ ଭଳି ବିରଳ ଖଣିଜକୁ କମ୍ପାନି ସନ୍ଧାନ କରୁଛି । କମ୍ପାନି ସିଏସ୍‌ଆର୍ କ୍ଷେତ୍ରରେ ଶିକ୍ଷା ସହଯୋଗ ଯୋଜନା ଓ ବାଳିକା ଶିକ୍ଷା ଯୋଜନା କାର୍ଯ୍ୟକାରୀ କରି ସକାରାତ୍ମକ ପ୍ରଭାବ ସୃଷ୍ଟି କରିପାରିଛି ।

Leave a Reply

Your email address will not be published. Required fields are marked *