ଡିଜେ ବକ୍ସ ବଜାଇବାକୁ ନେଇଖୁଦୁରୁକୁଣୀ ପୂଜାରେ ଅଭାବନୀୟ ଘଟଣା
ଖୋର୍ଦ୍ଧା : ୨୦/୦୯(ପ୍ରବାହ ନିଉଜ୍) ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ନିଜିଗଡ଼ ତାପଙ୍ଗ ଟାଙ୍ଗୀ ସାହିରେ ରବିବାର ରାତିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଖୁଦୁରୁକୁଣୀରେ ଡିଜେ ବକ୍ସ ବଜାଇବାକୁ ନେଇ ବୈକୁଣ୍ଠ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ସଦର ଥାନା ପୋଲିସ ତାପଙ୍ଗ ଟାଙ୍ଗୀ ସାହିର ପ୍ରଫୁଲ୍ଲ ଭୋଇ, ପ୍ରକାଶ ଭୋଇ ଓ ପ୍ରଶାନ୍ତ ଭୋଇଙ୍କୁ ଗିରଫ କରିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ବ୍ରହ୍ମପୁର ବାଳସୁଧାର ଗୃହକୁ ପଠା ଯାଇଛି। ଘଟଣା ସ୍ଥଳରୁ ରକ୍ତଭିଜା ମାଟି, ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ପାଇପ ଓ କଟୁରି ପୋଲିସ ଜବତ କରିଛି ।
ମୃତ ବୈକୁଣ୍ଠଙ୍କ ପୁଅ ଅଶୋକ କୁମାର ବେହେରାଙ୍କ ଅଭିଯୋଗ ଅନୁସାରେ ନିଜିଗଡ଼ ତାପଙ୍ଗ ଗ୍ରାମ ଟାଙ୍ଗୀ ସାହିର ବୈକୁଣ୍ଠ ବେହେରା ଓ ପ୍ରଶାନ୍ତ ଭୋଇ ଙ୍କ ପରିବାରର ପିଲାମାନେ ପୃଥକ ଭାବେ ଖୁଦୁରୁକୁଣୀ ପୂଜା କରୁଥିଲେ। ଉଭୟ ପରିବାର ପିଲାମାନେ ଭଡ଼ାରେ ଡିଜେ ବକ୍ସ ଆଣି ବଜାଉଥିବା ବେଳେ ରାତି ପ୍ରାୟ ୯ଟା ୩୦ରେ କୌଣସି କାରଣରୁ ଡିଜେ ବକ୍ସ ବଜାଇବାକୁ ନେଇ ଭୋଇ ପରିବାରର ପିଲାମାନେ ଗାଳିଗୁଲଜ କରିଥିଲେ। ବେହେରା ପରିବାରର ଲକ୍ଷ୍ମୀଧର ନାୟକ, ମୁନା ବେହେରା, ଗର୍ବକୁଣ୍ଠ ବେହେରା ଓ ଅନ୍ୟମାନେ ଏହାର ପ୍ରତିବାଦ କରିଥିଲେ।
ଏଥିରେ ଉତ୍କ୍ଷିପ୍ତ ହୋଇ ଭୋଇ ପରିବାରର ପ୍ରଶାନ୍ତ, ବିକାଶ, ପ୍ରକାଶ, ପ୍ରଫୁଲ୍ଲ, ପବିତ୍ର ଏବଂ ଜଣେ ନାବାଳକ ହଠାତ୍ ଘରୁ ଟାଙ୍ଗିଆ, କଟୁରୀ, ଲୁହାପାଇପ ଧରି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣରେ ବେହେରା ପରିବାରର ବୈକୁଣ୍ଠ, ମୁନା, ପବିତ୍ର ଓ ସୁରେନ୍ଦ୍ର ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ଏମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମେଡ଼ିକାଲ ଆସୁଥିବା ବେଳେ ବୈକୁଣ୍ଠଙ୍କ ମୃତ୍ୟୁ ହୋଇଥିଲା ।
ଖବରପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ମୃତକଙ୍କ ପରିବାର ଅଭିଯୋଗକ୍ରମେ ପୋଲିସ ଦଫା ୧୪୭, ୧୪୮, ୨୯୪, ୩୨୩, ୩୨୪, ୩୦୨ ୩୪ ଆଇପିସିରେ ମାମଲା (ନଂ. ୧୪୨/୨୧) ରୁଜ୍ଜୁ କରିଥିବା ବେଳେ କରି ଜଣେ ନାବାଳକଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଅଟକ ରଖି
ତଦନ୍ତ ଆରମ୍ଭ କରିଛି ।