ନେଭାର ପ୍ରୟୋଗ ନିମନ୍ତେ ଓଡ଼ିଶା ବିଧାନସଭାରେ ପଦାଧିକାରୀ ଓ ସଦସ୍ୟମାନଙ୍କୁ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ନେଭା ସେବାକେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର, ତା.୦୯/୦୬/୨୦୨୩ ଓଡ଼ିଶା ବିଧାନସଭା ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ନେଭା (ନ୍ୟାସନାଲ୍‌ ଇ-ବିଧାନ) ଜରିଆରେ ପେପରଲେସ୍‌ ପ୍ରଣାଳୀକୁ ଅଧିକ କ୍ରିୟାଶୀଳ କରି ଆଗାମୀ ଦିନରେ ଓଡ଼ିଶା ବିଧାନସଭାର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ ଏବଂ ଡିଜିଟାଲ ମାଧ୍ୟମରେ କରାଯିବ । ଏଥି ପାଇଁ ପର୍ଯ୍ୟାୟ କ୍ରମେ ଓଡ଼ିଶା ବିଧାନସଭାର ସମସ୍ତ ପଦାଧିକାରୀ ଏବଂ ମାନ୍ୟବର ସଦସ୍ୟମାନଙ୍କୁ ଏନ୍‌ଆଇସି ଏବଂ ଓକାକ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯିବ ।
ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ଦ୍ୱାରା ଓଡ଼ିଶା ବିଧାନସଭା ପରିସରରେ ନେଭା ସେବା କେନ୍ଦ୍ର ଉଦ୍‌ଘାଟିତ ହେବା ସହ ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଆଜି ପ୍ରଥମ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାରେ କାର୍ଯ୍ୟରତ ସମସ୍ତ ସହକାରୀ ଉପବିଭାଗ ଅଧିକାରୀ ଏ ସମ୍ବନ୍ଧରେ ତାଲିମ ଗ୍ରହଣ କରିଛନ୍ତି ।


ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂହ କହିଲେ ଯେ ନେଭାକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ବିଧାନସଭା ଦେଶରେ ଅଗ୍ରଣୀ । ଓଡ଼ିଶା ବିଧାନସଭାର ସମସ୍ତ କର୍ମଚାରୀ ଓସ୍ୱାସ୍‌ରେ କାର୍ଯ୍ୟ କରିବାରେ ଅଭ୍ୟସ୍ତ ଥିବାରୁ ଧାର୍ଯ୍ୟ ଜୁଲାଇ ମାସ ମଧ୍ୟରେ ତାଲିମ ସମାପ୍ତ କରି ନେଭା ଆପ୍ଲିକେସନ୍‌ ପ୍ରୟୋଗରେ ସଫଳ ହେବେ ବୋଲି ଶ୍ରୀ ସିଂହ ଆଶାପ୍ରକାଶ କରିଥିଲେ ।


ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ବିଧାନସଭା ପ୍ରଶ୍ନଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍‌ରେ ଇ-ବିଧାନ ମାଧ୍ୟମରେ ସଂପନ୍ନ କରିବା ପାଇଁ ବିଧାନସଭାର କର୍ମଚାରୀ ଓ ଅଧିକାରୀମାନଙ୍କୁ ଏହି ତାଲିମ କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ ।
ପ୍ରକାଶଯୋଗ୍ୟ ଯେ ୨୦୧୮ ମସିହାରେ ଦେଶରେ ‘ୱାନ୍‌ ନେସନ୍‌, ୱାନ୍‌ ଆପ୍ଲିକେସନ୍‌’ ପଦ୍ଧତି ଆରମ୍ଭ କରିବା ପାଇଁ ନ୍ୟାସନାଲ୍‌ ଇ-ବିଧାନ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିଲା । ସମଗ୍ର ଦେଶରେ ବିଧାନସଭାର କାର୍ଯ୍ୟାବଳୀକୁ ଡିଜିଟାଲ୍‌ ପ୍ରଣାଳୀରେ ସଂପନ୍ନ କରିବା ଇ-ବିଧାନର ଉଦ୍ଦେଶ୍ୟ । ଏହି ଆପ୍ଲିକେସନ୍‌ ଦ୍ୱାରା ବିଧାନସଭା କାର୍ଯ୍ୟକ୍ରମ ସଂପର୍କିତ ସମସ୍ତ ତଥ୍ୟ ଗୋଟିଏ ମଞ୍ଚରେ ଉପଲବ୍ଧ ହେବ ।

Leave a Reply

Your email address will not be published. Required fields are marked *