ନେଚର କେଆର ଇନିସେଟିଭ ନ୍ୟାସନାଲ ସମ୍ମିଟ-୨୦୨୨

  • ଓଡ଼ିଶାରେ ସ୍ଥାପନ ହେବ ୧୦ ହଜାର ଟେଲିଫୋନ ଟାୱାର: ଅଶ୍ୱିନୀ ବୈଷ୍ଣବ
  • ୨୦୨୬ ସୁଦ୍ଧା ସମସ୍ତ ମୁଖ୍ୟ ରେଳପଥର ବିଦ୍ୟୁତକରଣ କାର୍ଯ୍ୟ ସଂପୂର୍ଣ୍ଣ ଲକ୍ଷ୍ୟ

ଭୁବନେଶ୍ୱର, ୧୬ା୧୦: ଓଡ଼ିଶାରେ ସଂଚାର ବ୍ୟବସ୍ଥାର ଉନ୍ନତିକରଣ ପାଇଁ କେନ୍ଦ୍ରର ମୋଦୀ ସରକାର ୧୦ ହଜାର ଟେଲିଫୋନ ଟାୱାର ନିର୍ମାଣ ପ୍ରସ୍ତାବ ମଞ୍ଜୁର କରିଛନ୍ତି ଯାହାକି ଦେଶରେ ସର୍ବାଧିକ । ଅନ୍ୟ କୌଣିସି ରାଜ୍ୟରେ ଏତେ ସଂଖ୍ୟକ ଟେଲିଫୋନ ଟାୱାର ହେଉନାହିଁ ବୋଲି କେନ୍ଦ୍ର ରେଳ, ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ନେଚର କେଆର ଇନିସେଟିଭ ତରଫରୁ ଭୂବେନେଶ୍ୱର ମେଫେୟାର ହୋଟେଲ ଠାରେ ଆୟୋଜିତ ଜଳବାୟୁ ପରିବର୍ତ୍ତନ ନ୍ୟାସନାଲ ସମ୍ମିଟ ୨୦୨୨ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବୈଷ୍ଣବ କହିଥିଲେ ଯେ ଆସନ୍ତା ନଭେମ୍ବରରୁ ନୂତନ ଟାୱାରରୁ ସିଗନାଲ ମିଳିବା ଆରମ୍ଭ ହୋଇଯିବ । ସେହିପରି ଇଲେକ୍‌ଟ୍ରୋନିକ୍ସ ଯୁଗରେ ଓଡ଼ିଆ ଛାତ୍ରଛାତ୍ରୀ ନୂତନ ଜ୍ଞାନକୌଶଳ ଶିଖିବା ଲାଗି ଆଇଆଇଟି ଭୂବନେଶ୍ୱର ଓ ଏନଆଇଟି ରାଉରକେଲାରେ ଦୁଇଟି ସେମିକଣ୍ଟକ୍ଟର ଲାବ ପ୍ରତିଷ୍ଠା ପ୍ରସ୍ତାବ ମଞ୍ଜୁର ହୋଇଛି ।

ଆଇଆଇଟି ଭୂବନେଶ୍ୱର ଏବଂ ସୋଆ ବିଶ୍ୱବିଦ୍ୟାଳୟରେ ୫ଜି ଲାବ୍ରୋଟୋରୀ ଆରମ୍ଭ ହୋଇଛି । ପଶ୍ଚିମ ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟରେ ନୂତନ ୫ଜି ଲାବ୍ରୋଟୋରୀ ସ୍ଥାପନ ମିଳିଲେ ପ୍ରସ୍ତାବ ବିଚାର କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଥିଲେ । ଏଥିଲାଗି ରାଜ୍ୟ ସରକାର ପ୍ରସ୍ତାବ ଦେବାକୁ ଶ୍ରୀ ବୈଷ୍ଣବ ଉପସ୍ଥିତ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଅନୁରୋଧ କରିଥିଲେ ।


ଓଡ଼ିଶାର ରେଳ ଓ ସଞ୍ଚାର ବ୍ୟବସ୍ଥାର ଉନ୍ନତି ଲାଗି ବିଶେଷ ଧ୍ୟାନ ଦେବାକୁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କହିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଥିଲେ । ୟୁପିଏ ଏବଂ ଏନଡିଏ ସରକାର ଅମଳରେ ଓଡ଼ିଶାକୁ ମିଳୁଥିବା ରେଳ ଅନୁଦାନ ବିଷୟରେ ଉଲ୍ଲେଖ କରି କହିଛନ୍ତି ୨୦୧୪ ପୂର୍ବରୁ ରାଜ୍ୟକୁ ମାତ୍ର ବାର୍ଷିକ ୮ଶହ କୋଟି ଅନୁଦାନ ମିଳୁଥିଲା ଏବେ ଅନୁଦାନ ରାଶି ୧୦ ହଜାର କୋଟି ଟଙ୍କାରେ ପହଞ୍ଚିଛି । ରାଜ୍ୟର ପ୍ରତ୍ୟେକ ରେଳପ୍ରକଳ୍ପ ନିର୍ମାଣର ନିୟମିତ ସମୀକ୍ଷା ହେଉଛି । ରାଜ୍ୟର ବିକାଶ ଲାଗି ସମସ୍ତେ ଅଣ୍ଟାଭିଡ଼ି କାମ କରିବାକୁ ସେ ଆହ୍ୱାନ କରିଥିଲେ ।

ରାଜ୍ୟର କୌଣସି କାମ ଅଟକିବ ନାହିଁ ଭାବନାରେ ଆମକୁ କାମ କରିବାକୁ ପଡ଼ିବ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ପଞ୍ଚାମୃତ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ୨୦୩୦ ସୁଦ୍ଧା ଆବଶ୍ୟକ ବିଜୁଳି ଶକ୍ତିର ୫୦ ପ୍ରତିଶତ ନବୀନକରଣ ଉର୍ଜାୁ ମିଳିବା ଲକ୍ଷ୍ୟ ରହିଛି । ୨୦୨୬ ସୁଦ୍ଧା ଦେଶରେ ସମସ୍ତ ମୁଖ୍ୟ ରେଳପଥର ବିଦ୍ୟୁତୀକରଣ କାର୍ଯ୍ୟ ସଂପୂର୍ଣ୍ଣ କରାଯିବ । ଓଡ଼ିଆ ଭାଷା ବିଷୟରେ ମନ୍ତ୍ରୀ ବୈଷ୍ଣବ କହିଥିଲେ କି ଯେ ଅନ୍ୟ ସମସ୍ତ ଭାଷା ମଣିଷ ଦ୍ୱାରା ତିଆରି ହୋଇଥିବା ବେଳେ ଏହା ମହାପ୍ରଭୁଙ୍କ ପ୍ରସାଦ । ଓଡ଼ିଆ ମାନେ ଦୈନନ୍ଦିନ ଜୀବନରେ ପ୍ରକୃତିକୁ ପ୍ରାଧାନ୍ୟ ଦିଅନ୍ତି ।


ନେଚର କେଆର ଇନିସେଟିଭର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀକାନ୍ତ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଆଡ଼ଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା ଯୋଗ ଦେଇ ପାଣିପାଗରେ କିପରି ପରିବର୍ତନ ଘଟୁଛି ଏବଂ ବିଭିନ୍ନ ଦେଶରେ କିପରି ଶହ ଶହ ଲୋକଙ୍କ ଜଳବାୟୁ ପରିବର୍ତନ ଯୋଗୁଁ ମୃତ୍ୟୁ ଘଟୁଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର ଓଡ଼ିଶା ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାକୁ ପ୍ରଶଂସା କରିବା ସହ ପାଣିପାଗ ସମ୍ପର୍କରେ ଜନସଚେତନା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଏଥି ସକାଶେ ସେ ମହିଳାମାନଙ୍କୁ ଯୋଦ୍ଧା ସାଜିବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ପଦୀପ ଅମାତ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପାଣିପାଗ ପରିବର୍ତନ ଜନିତ ଦେଖାଦେଉଥିବା ସଂକଟ ସମ୍ପର୍କରେ ଆଲୋଚନା କରିଥିଲେ । ଜଙ୍ଗଲ କ୍ଷୟ, ଜଳ ପ୍ରଦୂଷଣ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ବିଷୟରେ ସୂଚନା ପ୍ରଦାନ କରିଥିଲେ ।
ଦ୍ୱିତୀୟ ଅଧିବେଶନରେ ପାଣିପାଗ ସ୍ଥିରତାରେ କର୍ପୋରେଟ୍‌ମାନଙ୍କ ଭୂମିକା ଶୀର୍ଷକ ଅଲୋଚନା ହୋଇଥିଲା ।

ଏଥିରେ ଶ୍ରୀ ପଙ୍କଜ କୁମାର ସତୀଜା, ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ଓ ସାଂସଦ ସୁଜିତ କୁମାର ଆଲୋଚକ ଭାବରେ ଏହାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହାକୁ ପରିଚାଳନା ଓ ସମୀକ୍ଷା କରିଥିଲେ ଡ. ସୁତପା ପତି । ତୃତୀୟ ଅଧିବେଶନରେ ତୃଣମୂଳରେ ଜଳବାୟୁ ପରିବର୍ତନ ଏବଂ ଆମର ଭୂମିକା ଶୀର୍ଷକ ଆଲୋଚନା ହୋଇଥିଲା । ଏଥିରେ ଆଲୋଚକ ଭାବରେ ଶ୍ରୀ କ୍ଷୀରୋଦ ଚନ୍ଦ୍ର ମହାପାତ୍ର, ôଶୀମତୀ ପଦ୍ମା ମହାନ୍ତି ଏବଂ ଡ. ଚନ୍ଦ୍ର ଶେଖର କୁମାର ଏହାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ପରିଚାଳନା କରିଥିଲେ ଜ୍ୟୋତିରାଜ ପାତ୍ର । ଚତୁôର୍ ଅଧିବେଶନରେ ଜଳବାୟୁ ପରିବର୍ତନର ଗବେଷଣା,ଦୁର୍ବଳତା ଏବଂ ଅନୁକୁଳ ଶୀର୍ଷକରେ ଆଲୋଚନା ହୋଇଥିଲା । ଏଥିରେ ଡ. ସୁତପା ପତି, ଶ୍ରୀମତୀ ଆଭା ମିଶ୍ର, ଡ. ସ୍ୱାଗତ ମହାପାତ୍ର, ଡ. ଗୋପାଳ ପ୍ରସାଦ ରାୟ, ପ୍ରଫେସର ଏଲ୍‌.ଏମ୍‌. ଗଡ଼ନାୟକ ପ୍ରମୁଖ ଆଲୋଚନା କରିଥିଲେ । ଏହାକୁ ପରିଚାଳନା କରିଥିଲେ ଡ. ସନ୍ଦୀପ ପଟ୍ଟନାୟକ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଚାରପତି ଏ ଏସ ନାଇଡ଼ୁ ଏବଂ ରାଜ୍ୟ ଜଙ୍ଗଲ ବିଭାଗର ଅତିରିକ୍ତ ସଚିବ ମଧୁସୂଦନ ଦାସ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ସଚିବ ନିଶ୍ଚଳ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

You may have missed