‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବିଭାଗରେ ‘ଓସ୍କାର୍‌’ ପାଇଲା ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ

ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଛି। ଏଥିସହ ଏହି ବର୍ଗରେ ଓସ୍କାର ଲାଭ କରିବାରେ ପ୍ରଥମ ଭାରତୀୟ ଫିଚର ଫିଲ୍ମ ଭାବେ ‘ଆର୍‌ଆର୍‌ଆର୍‌’ ଇତିହାସ ସୃଷ୍ଟି କରିଛି।

ଏହି ବର୍ଗରେ ‌ଅନ୍ୟାନ୍ୟ ନୋମିନି ଥିଲେ, ‘ଟେଲ୍‌ ଇଟ୍‌ ଲାଇକ୍‌ ଏ ଉମାନ୍‌’ର ‘ଆପ୍ଲାଉଜ୍‌’, ‘ଟପ୍‌ ଗନ୍: ମାଭେରିକ୍‌’ର ‘ହୋଲ୍‌ଡ୍‌ ମାଇଁ ହ୍ୟାଣ୍ଡ୍‌’, ‘ବ୍ଲାକ୍‌ ପାନ୍ଥର୍‌: ୱାକାଣ୍ଡା ଫର୍‌ଏଭର୍‌’ର ‘ଲିଫ୍ଟ୍‌ ମି ଅପ୍‌’ ଓ ‘ଏଭ୍ରିଥିଙ୍ଗ୍‌ ଏଭ୍ରିହ୍ବେର୍‌ ଅଲ୍‌ ଆଟ୍‌ ୱାନ୍‌ସ୍‌’ର ‘ଦିସ୍‌ ଇଜ୍‌ ଏ ଲାଇଫ୍‌’। ମାତ୍ର ‘ନାଟୁ ନାଟୁ’ ଗୀତ ପ୍ରତିନ୍ଦ୍ବନ୍ଦ୍ବୀମାନଙ୍କୁ ପଛରେ ପକାଇ ପୁରସ୍କାର ହାସଲ କରିଛି।

ମୂଳତଃ ତେଲୁଗୁରେ ନିର୍ମିତ ଛବି ଆରଆରଆର (ରୁଧିରମ୍‌ ରଣମ୍‌ ରୌଦ୍ରମ୍‌) ଫିଲ୍ମର ଏହି ଗୀତର ସ୍ବରସଂଯୋଜକ ଏମ୍‌. ଏମ୍‌. କୀରାୱାଣି ଏବଂ ଗୀତିକାର ଚନ୍ଦ୍ରବୋଷ ମଞ୍ଚ ଉପରକୁ ଯାଇ ପୁରସ୍କାର ଗ୍ରହଣ କରିଛନ୍ତି। ଏମ୍‌. ଏମ୍‌. କୀରାୱାଣି କହିଛନ୍ତି, ଏକାଡେମିକୁ ଧନ୍ୟବାଦ। ମୁଁ ବିଶ୍ବକର୍ମାମାନଙ୍କ ଗୀତ ଶୁଣି ଶୁଣି ବଡ଼ ହୋଇ ଆଜି ‘ଓସ୍କାର୍‌’ ବିଜେତାମାନଙ୍କ ଗହଣରେ ପହଞ୍ଚି ପାରିଛି, ଏହା ମୋ ପାଇଁ ଅତ୍ୟନ୍ତ ଆନନ୍ଦର ମୁହୂର୍ତ୍ତ। ଏହା ପରେ ସେ ଗୀତଟି ମଞ୍ଚରେ ଗାଇଥିଲେ।

ପୁରସ୍କ‌ାର ଘେଷଣା ପୂର୍ବରୁ ରାହୁଳ ସିପ୍ଲିଗୁଞ୍ଜ୍‌ ଏବଂ କାଳ ଭୈରବ ମଧ୍ୟ ଏହି ଗୀତକୁ କିଛି ସମୟ ପୂର୍ବରୁ ‘ଓସ୍କାର୍‌’ ମଞ୍ଚରେ ପ୍ରଦର୍ଶନ କରିଥିଲେ। କିନ୍ତୁ, ରାମ ଚରଣ ଏବଂ ଜୁନିୟର୍‌ ଏନ୍‌ଟିଆର୍‌ ମଞ୍ଚ ପ୍ରଦର୍ଶନରେ ଭାଗ ନେଇ ନ ଥିଲେ। ଏହି ପ୍ରଦର୍ଶନକୁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଉଦ୍‌ଘୋଷଣା କରିଥିଲେ।

ପ୍ରେମ୍‌ ରକ୍ଷିତଙ୍କ ନୃତ୍ୟ ନିର୍ଦେଶିତ ଏହି ଗୀତର ଦୃଶ୍ୟ ସମଗ୍ର ବିଶ୍ବରେ ଆଲୋଡ଼ନ ସୃଷ୍ଟି କରିଛି। ପୂର୍ବରୁ ନୃତ୍ୟ ନିର୍ଦେଶକ ଗଣମାଧ୍ୟମକୁ କହିଥିଲେ କି, ଏହି ଗୀତ ପାଇଁ ସେ ୧୧୮ରୁ ଅଧିକ ଷ୍ଟେପ୍‌ ସଂଯୋଜନା କରିଛନ୍ତି।

ନିର୍ଦେଶକ ଏସ୍‌. ଏସ୍‌. ରାଜମୌଲିଙ୍କୁ ଶ୍ରେୟ ଦେଇ ସେ କହିଛନ୍ତି, ‘‘ମୁଁ ୧୦୦୦ରୁ ଅଧିକ ଗୀତ କରିଛି କିନ୍ତୁ, ସେ ସବୁ ‘ଓସ୍କାର୍‌’କୁ ଯାଇ ନ ଥିଲା। କିନ୍ତୁ, ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ର କାରଣରୁ ଏହି ଗୀତ ‘ଓସ୍କାର୍‌’କୁ ଯାଇପାରିଲା। ତା’ ନ ହୋଇ ଥିଲେ ସେଠାକୁ ଯିବା ଥିଲା କଳ୍ପନାତୀତ।’’ ଏହି ଅବସରରେ ‘ଆର୍‌ଆର୍‌ଆର୍‌’ ଟିମ୍ ପକ୍ଷରୁ ଟୁଇଟ୍ କରି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ଏହା ପୂର୍ବରୁ ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତକୁ ଜାନୁଆରି ମାସରେ ଗେଲଡେନ୍ ଗ୍ଲୋବ୍ ପୁରସ୍କାର ମିଳିଥିଲା। ସେହିପରି ଓସ୍କାର ମଞ୍ଚରେ ତୃତୀୟ ଭାରତୀୟ ତାରକା ଭାବେ ଦୀପିକା ପାଦୁକୋନ୍ ଉପସ୍ଥାପିକା ହେବାର ସୁଯୋଗ ପାଇଛନ୍ତି। ତାଙ୍କ ଆଗରୁ ପରିସିସ୍ ଖାମ୍ବଟା ଓ ପ୍ରିୟଙ୍କା ଚୋପ୍ରା ଏହି ସୁଯୋଗ ପାଇ ସାରିଛନ୍ତି।

Leave a Reply

Your email address will not be published. Required fields are marked *

You may have missed