କିଟ୍‍ ଓ କିଟ୍‍ ଓ କିସ୍‍ ପକ୍ଷରୁ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ପାଳିତ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : କିଟ୍‍ ଓ କିସ୍‍ ପକ୍ଷରୁ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ଗୁରୁବାର ପାଳିତ ହୋଇଯାଇଛି। ଭାରତୀୟ ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଆଜିର ଦିନର ମହତ୍ତ୍ୱ ସମ୍ପର୍କରେ କହିବାକୁ ଯାଇ ସେ କହିଲେ, ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ଅବସରରେ ପ୍ରତ୍ୟେକ ଖେଳ ଓ ଖେଳାଳିଙ୍କୁ ସମ୍ମାନ ଦିଆଯାଇଥାଏ। କିଟ୍‍ ଓ କିସ୍‍ ଦୀର୍ଘ ୩ ଦଶନ୍ଧୀ ଧରି କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କ ବିକାଶ ଦିଗରେ କାର୍ଯ୍ୟ କରିଆସୁଛି। ୨୦୨୮ ଅଲିମ୍ପିକ୍‍ସରେ କିଟ୍‍ ଓ କିସ୍‍ରୁ ଅଧିକ ଖେଳାଳି ଯେଭଳି ବାହାରି ପାରିବେ ସେ ନେଇ ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହା ସହିତ ଭଲ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଅନ୍ତର୍ଜାତୀୟ ମାନର ସୁବିଧା ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କିଟ୍‍ ଓ କିସ୍‍ କ୍ରୀଡ଼ା ଉପଦେଷ୍ଟା ଉପେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ରାଷ୍ଟ୍ରୀୟ କ୍ରୀଡ଼ା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। କିଟ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ସ୍ୱାଗତ ଭାଷଣ ଦେଇ କିଟ୍‍ ଓ କିସ୍‍ ଜରିଆରେ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଯେଉଁ ସୁଯୋଗ ସୃଷ୍ଟି କରିଛନ୍ତି ତାର ସଫଳ ରୂପାୟନ ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଆହୁରି ଅଧିକ ପରିଶ୍ରମ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଏହି ଅବସରରେ କିଟ୍‍ ଓ କିସ୍‍ ପକ୍ଷରୁ ଓଡ଼ିଶାର ବିଶିଷ୍ଟ ପର୍ବତାରୋହୀ ବିଭାରାଣୀ ପାତ୍ରଙ୍କୁ ସମ୍ବର୍ଦ୍ଧନା ସହ ୫୦ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଶେଷରେ କିଟ୍‍ କ୍ରୀଡ଼ା ମୁଖପତ୍ର ଉନ୍ମୋଚିତ ହୋଇଥିଲା। ସେହିପରି କିସରେ ମଧ୍ୟ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାଟାଲିଟିକ୍‍ ଇନୋଭେଟର୍‍ସ ଗ୍ରୁପ୍‍ର ମୁଖ୍ୟ ତଥା ପ୍ରତିଷ୍ଠାତା ଡ. ଅଖତାର ବାଦଶାହ କ୍ରୀଡ଼ା କ୍ଷେତ୍ରରେ କିସ୍‍ର ଯୋଗଦାନର ଭୂୟସୀ ପ୍ରଶଂସା କରିଥିଲେ। କିଟ୍‍ ଓ କିସ୍‍ ପରିଦର୍ଶନ କରି ସେ ବେଶ ବିମୋହିତ ହୋଇପଡ଼ିଥିବା ପ୍ରକାଶ କରିଥିଲେ। ଶ୍ରୀ ସାମନ୍ତଙ୍କ ଦ୍ୱାରା ଏଭଳି ପ୍ରୟାସ ବିରଳ ବୋଲି ସେ ମତ ଦେଇଥିଲେ। ଦୀର୍ଘ ୩୦ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍‍ କରାଇପାରିଥିବାରୁ ଶ୍ରୀ ସାମନ୍ତଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ଡ. ଅଖତାରଙ୍କ ସହ ଡ. ଅଳକା ଗୁପ୍ତା ବାଦଶାହ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *