ଉଦ୍ୟାନ ଫସଲର ବିହନ ଶୃଙ୍ଖଳା ଜାତୀୟ ସମ୍ମିଳନୀ
ଭୁବନେଶ୍ୱର:ପ୍ରବାହ ନ୍ୟୁଜ୍ : ଫଳପ୍ରଦ ବୀଜ ଶୃଙ୍ଖଳା ପରିଚାଳନା ପାଇଁ ଏକ ସ୍ପଷ୍ଟ ଚଲାପଥ ପ୍ରସ୍ତୁତ କରିବା, ଉପଯୁକ୍ତ ନୀତି ପ୍ରସ୍ତୁତ କରିବା, ବିଭିନ୍ନ କୌଶଳ ଉପରେ ବିଚାର ବିମର୍ଶ କରିବା ଏବଂ ଆଗକୁ ବଢ଼ିବାପାଇଁ ଆଇ. ସି. ଏ. ଆର-ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହର୍ଟିକଲ୍ଚର ରିସର୍ଚ୍ଚ, ବେଙ୍ଗାଲୁରୁ, ସୋସାଇଟି ଫର ପ୍ରମୋସନ ଅଫ୍ ହର୍ଟିକଲ୍ଚର, ବେଙ୍ଗାଲୁରୁ ଏବଂ ଆଇସିଏଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସିଡ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମାଉ, ଉତ୍ତରପ୍ରଦେଶର ସହଯୋଗରେ ପୂର୍ବ ଏବଂ ଉତ୍ତର-ପୂର୍ବ ପାର୍ବତ୍ୟ ଅଞ୍ଚଳରେ ବୀଜ ଶୃଙ୍ଖଳା ପରିଚାଳନା ଉପରେ ଆଇସିଏଆର-ଆଇଆଇଏଚଆର-କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର, ଭୁବନେଶ୍ୱର ଠାରେ ଜାନୁଆରୀ 21 – 22, 2025ରେ ଏକ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି।
ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଏହି ଜାତୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଥିଲା। ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ବିଭାଗର ପୂର୍ବତନ ସଚିବ ତଥା ବର୍ତ୍ତମାନର ପଶ୍ଚିମବଙ୍ଗର ରାଜ୍ୟପାଳଙ୍କ କର୍ମଚାରୀଙ୍କ ମୁଖ୍ୟ ଡଃ. ଶୋଭନା କୁମାର ପଟ୍ଟାନାଯ଼କ, ଓଡ଼ିଶା କୃଷି ବିଶ୍ୱ ବିଦ୍ୟାଳୟ (ଓଯ଼ୁଏଟି) ଭୁବନେଶ୍ୱରର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଲ, ଆଇସିଏଆର ନୂଆଦିଲ୍ଲୀର ଉପ-ମହାନିର୍ଦ୍ଦେଶକ ଡଃ. ସଞ୍ଜୟ କୁମାର ସିଂହ, ଆଇସିଏଆର ନୂଆଦିଲ୍ଲୀର ସହକାରୀ ମହାନିର୍ଦ୍ଦେଶକ (ଫୁଲ, ପନିପରିବା, ମସଲା ଓ ଔଷଧୀୟ ବୃକ୍ଷ) ଡଃ. ସୁଧାକର ପାଣ୍ଡେ, ସହକାରୀ ମହାନିର୍ଦ୍ଦେଶକ (ବିହନ) ଡଃ. ଡି. କେ. ଯାଦବ ଏବଂ ଆଇସିଏଆର-ଆଇଆଇଏଚଆର ବେଙ୍ଗାଲୁରୁର ନିର୍ଦ୍ଦେଶକ ପ୍ରଫେସର ତୁଷାରକାନ୍ତି ବେହରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ନୂଆଦିଲ୍ଲୀର ମହାନିର୍ଦ୍ଦେଶକ ଡଃ. ହିମାଂଶୁ ପାଠକ ଅନଲାଇନ ଯୋଗେ ଉପସ୍ଥିତ ରହିଥିଲେ । ଏହି ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତାଲିମ କେନ୍ଦ୍ର ଏବଂ କୃଷକ ଛାତ୍ରାବାସକୁ ମଧ୍ୟ ଉଦଘାଟନ କରିଛନ୍ତି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆରକେଭିୱାଇ) ପାଣ୍ଠି ଯୋଗାଣ ଅଧୀନରେ ଏହି ସୁବିଧା 5.70 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଜାତୀୟ ସ୍ତରର ଆଇସିଏଆର ଅନୁଷ୍ଠାନର ୧୧ ଜଣ ନିର୍ଦ୍ଦେଶକ ଯୋଗଦେଇଛନ୍ତି।
ମନ୍ତ୍ରୀ ଶ୍ରୀ ସିଂହଦେଓ ଜୈବିକ ପଦ୍ଧତିରେ ଚାଷ ଉପରେ ଗୁରୁତ୍ଵାରୋପ କରିବା ସହ ଡ୍ରାଗନ ଫୃଟ ଭଳି ଲୋକପ୍ରିୟ ଫଳ ଉତ୍ପାଦନ ଓ ଏହାର ଔଷଧୀୟ ଗୁଣ, ବାହାର ଦେଶରେ ଏହାର ଚାହିଦା ସମ୍ପର୍କରେ ବିଶେଷ ଭାବେ ଜଣାଇଥିଲେ ଏବଂ ଏହା ସହ କୃଷକ ମାନଙ୍କୁ ଉଦ୍ୟାନ ଭିତ୍ତିକ ଚାଷ ମାଧ୍ୟମରେ ସ୍ଵାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡଃ. ହିମାଂଶୁ ପାଠକ ଯୋଡିହୋଇ ଆଇ. ସି. ଏ. ଆର-ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହର୍ଟିକଲ୍ଚର ରିସର୍ଚ୍ଚ, ବେଙ୍ଗାଲୁରୁର ଅଦ୍ୟାବଧି ନୂତନ କିସମ ଚାଷ କୌଶଳ ଆପଣେଇବା ଦ୍ଵାରା କିପରି ସ୍ୱଳ୍ପ ସ୍ଥାନରେ ଅଧିକ ଅମଳ ହୋଇପାରିବ ସେ ସମ୍ବନ୍ଧରେ ପରାମର୍ଶ ଦେଇଥିଲେ। ଓଯ଼ୁଏଟି ଭୁବନେଶ୍ୱରର କୁଳପତି ପ୍ରଫେସର ରାଉଲ ବୀଜ ସଂରକ୍ଷଣ, ବିଭିନ୍ନ ପରିବାର ଉତ୍ପାଦନ, ଶୀତଳିକରଣ ବିକ୍ରୀବଟା ଉପରେ ସରକାରଙ୍କୁ ଧ୍ୟାନ ଦେବାକୁ ଅନୁରୋଧ କରିବା ସହ ଚାଷୀମାନକୁ ସଂଗଠିତ ଭାବେ ଅଧିକ ଉତ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଡଃ. ସଞ୍ଜୟ କୁମାର ସିଂହ, ଡଃ. ସୁଧାକର ପାଣ୍ଡେ ପ୍ରମୁଖ ଭାବେ ଉତ୍ତମ ମାନର ବୀଜ ସଂରକ୍ଷଣ, ସଠିକ ସମୟରେ ରୋପଣ ଓ ଏହାର ଯତ୍ନ ଉପରେ ଗୁରୁତ୍ଵାରୋପ କରିଥିଲେ। ଡଃ. ଡି. କେ. ଯାଦବ ଓଡିଶା ଓ କର୍ଣ୍ଣାଟକ ମଧ୍ୟରେ ଥିବା ଉଦ୍ୟାନ କୃଷିର ସାମ୍ୟତା ଉପରେ ଯଥେଷ୍ଟ ଧ୍ୟାନ ଦେଇ ମିଳିତ ଭାବେ ଭାରତରେ ଏ ଦିଗରେ ସ୍ଵତନ୍ତ୍ର ପରିଚୟ କଥା ସଭିଙ୍କୁ ଜଣାଇଥିଲେ। ଏହି ସମ୍ମିଳନୀରେ କେନ୍ଦ୍ରର ମୁଖ୍ୟ ଡ଼. ଜି. ସି. ଆଚାର୍ଯ୍ୟ ସମସ୍ତ ଆମନ୍ତ୍ରିତ ଅତିଥି, ଉପସ୍ଥିତ ବୈଜ୍ଞାନିକ, ଛାତ୍ର-ଛାତ୍ରୀ ଓ କୃଷକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସମ୍ମିଳନୀର ଦ୍ଵିତୀୟ ଦିନରେ ରାଜସ୍ୱ ଓ ବିପର୍ଜୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଯୋଗଦେଇ ଉଦ୍ୟାନ କୃଷି କ୍ଷେତ୍ରରେ ଓଡିଶାର ଚାଷୀଙ୍କ ଭୂମିକା ଓ ଅତ୍ୟାବଶ୍ୟକ ଉଦ୍ୟାନ ଭିତ୍ତିକ ଉତ୍ପାଦନ ଉପରେ ବିଶେଷ ଗୁରୁତ୍ଵାରୋପ କରିଥିଲେ।
କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର, ଭୁବନେଶ୍ୱରର ସଫଳତା ଓ ଉପଲବ୍ଧି ସମ୍ବନ୍ଧୀୟ ପୁସ୍ତିକା, ଅନୁଷ୍ଠିତ ସମ୍ମିଳନୀର ସ୍ମାରକ ପୁସ୍ତିକା ଓ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ପିଜୁଳିର ଶାଖା ବକ୍ରକରଣ ପୁସ୍ତିକା ମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚନ କରଯାଇଥିଲା ।
ନର୍ସରୀ ମାଧ୍ୟମରେ ଉନ୍ନତମାନର ଚାରା ପ୍ରସ୍ତୁତ କରି ନିଜ ଗାଁ ସହ ପଡୋଶୀ ଗାଁ, ବ୍ଲକ ତଥା ଜିଲ୍ଲାକୁ ଯୋଗାଇ ନାମ କମାଇଥିବା ପ୍ରଗତିଶୀଳ ଚାଷୀ ନବରଙ୍ଗପୁର କୋଷଗୁମୁଡା ବ୍ଲକର ଶ୍ରୀମତୀ ଶୋଭାବତୀ ଭତ୍ରା, କେନ୍ଦ୍ରାପଡାର ଶ୍ରୀଯୁକ୍ତ ମୁକେଶ ଧଳ ଅର୍କାର ବିଭିନ୍ନ କିସମ ଫସଲର ମଞ୍ଜି ଉତ୍ପାଦନ ତଥା ଅର୍କା ନୀଳାଚଳ ଗୌରବ କାଙ୍କଡର ଚାରା ଉତ୍ପାଦନ, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାର ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଅର୍କାର ବିଭିନ୍ନ କିସମ ଫସଲର ମଞ୍ଜି ଉତ୍ପାଦନ, ବଲାଙ୍ଗିର ଜିଲ୍ଲା ପାଟଣାଗଡର ଶ୍ରୀ ପ୍ରଦୀପ୍ତ କୁମାର ପୁରୋହିତ ଅର୍କାର ବିଭିନ୍ନ କିସମ ଫସଲର ମଞ୍ଜି ଉତ୍ପାଦନ ଓ ଜୈବିକ ପଦ୍ଧତିରେ ଆମ୍ବ ଚାଷ ପାଇଁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍ୟାନ କୃଷି କ୍ଷେତ୍ରରେ ଉତ୍କର୍ଷତା ପାଇଁ ଉପଢୌକନ ପ୍ରଦାନ କରିବା ସହ ସମ୍ମାନିତ କରିଥିଲେ ।