ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଲେଡି ମେଟ୍ରୋନ ମହାସଂଘ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌: ତା ୨୩ା୨ : ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ମହିଳାମାନଙ୍କର ଉନ୍ନତି ନିମନ୍ତେ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଉନ୍ନୟନମୂଳକ କାମର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ସଂଗେ ସଂଗେ ଅନେକ ଗୁଡ଼ିଏ ଯୋଜନା କରି ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିପାରିଛନ୍ତି । ବିଶେଷକରି ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ୫୦ ଲକ୍ଷରୁ ଅଧିକ ମହିଳା ଓ ଛାତ୍ରଛାତ୍ରୀମାନଙ୍କର ପୁଷ୍ଟିହୀନତା ଦୂର କରିବା, ମାଗଣାରେ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ୍‌ରେ ରଖିବା ଓ ପୁଷ୍ଟିପୁରକ ଖାଦ୍ୟ ଦେବା ସଂଗେ ସଂଗେ ସମସ୍ତଙ୍କୁ ମାଗଣରେ ପଢାଇବା ବ୍ୟବସ୍ଥା କରୁଛନ୍ତି । ଯେଉଁ ଛାତ୍ରୀମାନଙ୍କୁ ଛାତ୍ରୀ ନିବାସରେ ରଖାଯାଇଛି, ସେମାନଙ୍କର ଯତ୍ନନେବା ଓ ଦେଖାଶୁଣା କରିବା ପାଇଁ ପ୍ରତ୍ୟେକ ହଷ୍ଟେଲ୍‌ରେ ଜଣେ ଲେଖାଏଁ ମହିଳା ମେଟ୍ରୋନ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ଦାବି ପ୍ରତି ସହାନୁଭୂତିର ସହିତ ବିଚାର କରି ମାସିକ ବେତନ ୧୫ ହଜାର ଟଙ୍କାକୁ ବୃଦ୍ଧି କରିବା, ଅବସରକାଳୀନ ସୁବିଧା ୧ ଲକ୍ଷ ଟଙ୍କା ପ୍ରଦାନ କରିବା ଓ କାର୍ଯ୍ୟରତ ମେଟ୍ରୋନ୍ ମୃତ୍ୟୁବରଣ କଲେ ତାଙ୍କ ପରିବାରକୁ ୧ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ସରକାର ଘୋଷଣା କରିଛନ୍ତି । ସେଥିପାଇଁ ସାରା ରାଜ୍ୟ ଓଡ଼ିଶା ଲେଡି ମେଟ୍ରୋନ୍ ମହାସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସଭାପତି ଝରଣା ମହନ୍ତ, ସମ୍ପାଦକ ଗୀତାରାଣୀ ସାହୁ, ନାଗିଆ ଓରାମ୍‌, ପୁଷ୍ପଲତା ମହନ୍ତ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ କୃତଜ୍ଞତା ଜ୍ଞାପନ କରିବା ସଂଗେସଂଗେ ଧନ୍ୟବାଦ ଅର୍ପଣ କରିଛନ୍ତ । ଏତଦ୍‌ବ୍ୟତୀତ ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସଭାପତି ପ୍ରଶାନ୍ତ କୁମାର ମହାନ୍ତି ଓ ସାଧାରଣ ସମ୍ପାଦକ ସୁଜିତ୍ କୁମାର ନାୟକ ତା ୨୩.୬.୨୦୨୨, ତା ୯.୪.୨୦୨୩ ଓ ୨୮.୪.୨୦୨୩ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସେମାନଙ୍କର ଦାବି ସମ୍ପର୍କରେ ଚିଠିଦ୍ୱାରା ଜଣାଇବା ଓ ମନ୍ତ୍ରୀସ୍ତରୀୟ କମିଟିରେ ଆଲୋଚନା କରିଥିଲେ । ଏଥିପାଇଁ ସମନ୍ୱୟ ସମିତିର ସଭାପତି, ସାଧାରଣ ସମ୍ପାଦକଙ୍କ ସମେତ ପୂର୍ବତନ ସମ୍ପାଦକ କ୍ଷେତ୍ରମୋହନ ଦାସ, ପୂର୍ବତନ ସଭାପତି ପ୍ରତାପ ଚନ୍ଦ୍ର ମିଶ୍ର, କାହ୍ନୁଚରଣ ମଲ୍ଲିକ, ଅଶ୍ଳିଳ କୁମାର ବ୍ରହ୍ମ, ଅଶୋକ କୁମାର ମୁଦୁଲି ଆଦି ନେତୃବର୍ଗଙ୍କୁ ଏହି ଆନ୍ଦୋଳନରେ ସହଯୋଗ କରିଥିବାରୁ ଓଡ଼ିଶା ଲେଡି ମେଟ୍ରୋନ୍ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଅଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଓଡ଼ିଶା ଲେଡି ମେଟ୍ରୋନ୍ ମହାସଂଘ ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ସଂଘରେ ଅନୁବନ୍ଧିତ ଅଟେ । ଏତଦ୍‌ବ୍ୟତୀତ ରାଜ୍ୟ ସରକାରଙ୍କ ପାଖରେ ଲେଡି ମେଟ୍ରୋନ୍ ମହାସଂଘ ପକ୍ଷରୁ ଆଉ କିଛି ଦାବି ପୂରଣ ପାଇଁ ଅନୁରୋଧ କରାଯାଇଅଛି, ସେଗୁଡ଼ିକ ହେଲା- (୧) ୨୪ ଘଣ୍ଟା ପରିବର୍ତ୍ତେ ୮ ଘଣ୍ଟା କାର୍ଯ୍ୟ କରିବା (୨) ହଷ୍ଟେଲ୍ ପରିଚାଳନ ମେଟ୍ରୋନ୍ ମାନଙ୍କୁ ଦେବା (୩) ବିନା ଭଡାରେ ହଷ୍ଟେଲ୍ ପରିସରରେ ବାସଗୃହ ଯୋଗାଇଦେବା (୪) ସମସ୍ତଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରିବା (୫) ପ୍ରତିମାସରେ ଇପିଏଫ୍ କାଟିବା, ସଂଘ ନିମନ୍ତେ ପ୍ରତି ଜିଲ୍ଲାରେ ଗୋଟିଏ ଗୃହ ଯୋଗାଇଦେବା ଓ ମହିଳା ମେଟ୍ରୋନ୍ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *