ଆନନ୍ଦପୁରକୁ ରେଳ ସଂଯୋଗ କରାଯିବାକୁ ଲୋକସଭାରେ ଦାବିକଲେ ସାଂସଦ ଅନନ୍ତ ନାୟକ

ନୂଆଦିଲ୍ଲୀ /କେନ୍ଦୁଝର ,ପ୍ରବାହ ନ୍ୟୁଜ୍‌ : କେନ୍ଦୁଝର ସାଂସଦ ଅନନ୍ତ ନାୟକ ଗୁରୁବାର ଦିନ ଲୋକସଭାରେ ଆନନ୍ଦପୁର ସବଡିଭିଜନରେ ରେଳ ସଂଯୋଗୀକରଣ ନ ଥିବା ପ୍ରସଙ୍ଗ ଉଠାଇ ଆନନ୍ଦପୁରକୁ ରେଳ ଲାଇନ ସହ ଯୋଡିବାକୁ ଦାବି କରିଛନ୍ତି । ସେ ନିୟମ 377 ଅନୁସାରେ ଏହି  ପ୍ରସଙ୍ଗ ଉଠାଇ ଏହି ଦାବି କରିଛନ୍ତି ।  ଆନନ୍ଦପୁରକୁ ରେଳ ସଂଯୋଗୀକରଣ କରା ଗଲେ ଏହି ଅଂଚଳରେ ଶିଳ୍ପର ବିକାଶ ହେବା ସହ ପର୍ଯ୍ୟଟନର ମଧ୍ୟ ବିକାଶ ହେବ ବୋଲି ଶ୍ରୀ ନାୟକ କହିଛନ୍ତି ।

ଶ୍ରୀ ନାୟକ କହିଛନ୍ତି ଯେ,ଜନଜାତିବର୍ଗର ଜନସଂଖ୍ୟା ବହୁଳ ଓ ଖଣିଜ ସମ୍ପଦରେ ପରିପୂର୍ଣ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସବଡିଭିଜନ ଅଂଚଳରେ ଆଜି ଯାଏ ରେଳ ସଂଯୋଗୀକରଣ ହୋଇ ପାରି ନାହିଁ । ଏହି ଅଂଚଳକୁ ରେଳ ସଂଯୋଗୀକରଣ କରିବାକୁ ସ୍ଥାନୀୟ ସ୍ତରରେ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ରେଳ ସଂଯୋଗୀକରଣ ନ ଥିବା କାରଣରୁ ଆନନ୍ଦପୁର ଅଂଚଳରେ ଶିଳ୍ପ ସଂସ୍ଥା ସ୍ଥାପିତ ହୋଇ ପାରୁ ନାହିଁ । ଏହି କାରଣରୁ ସ୍ଥାନୀୟ ଅଂଚଳରେ ବେକାରୀ ସମସ୍ୟାରେ ବୃଦ୍ଧି ହେବାରେ ଲାଗିଛି ।

କେନ୍ଦୁଝର ଜିଲ୍ଲାରେ ଲୌହ, ମାଙ୍ଗାନିଜ  ଓ କ୍ରୋମାଇଟ ଖଣିଜ ସମ୍ପଦ ଥିବା ରାଜ୍ୟ ଓ ଦେଶର ଅର୍ଥନୀତିରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରୁଥିହବା ସତ୍ୱେ ଆନନ୍ଦପୁର ଅଂଚଳରେ ଶିଳ୍ପ ସ୍ଥାପିତ ହୋଇ ପାରୁ ନାହିଁ  । ଶ୍ରୀ ନାୟକ ହରିଚନ୍ଦନପୁରରୁ ଧାମରା ଯାଏ ରେଳବାଇ ଟ୍ରାକ ର ନିର୍ମାଣ କରାଯିବାକୁ ପ୍ରସ୍ତାବ ଦେଇଛନ୍ତି । ଏହା ଦ୍ୱାରା ଖଣିଜ ପରିବହନ ସୁବିଧାରେ ହୋଇ ପାରିବ।   ସେ କହିଛନ୍ତି ଯେ ଏପରି କରାଗଲେ  ଏହି ଅଂଚଳରେ ଶିଳ୍ପ ଓ ପର୍ଯ୍ୟଟନର ବିକାଶ ହୋଇ ପାରିବ । ପ୍ରସ୍ତାବିତ ରେଳ ଲାଇନ କେବଳ ଯେ ଏହି ଅଂଚଳରେ ଶିଳ୍ପକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ସ୍ଥାନୀୟ ଲୋକ ମାନଙ୍କୁ ରୋଜଗାରର ସୁଯୋଗ ମଧ୍ୟ ପ୍ରଦାନ କରିବ ବୋଲି ସେ କହିଛନ୍ତି ।

ଶ୍ରୀ ନାୟକ କହିଛନ୍ତି ଯେ ଏହି ଅଂଚଳରେ ପର୍ଯ୍ୟଟନର ପ୍ରବଳ ସମ୍ଭବନା ରହିଛି । ଘଟଗାଁ ମା ତାରିଣୀ ମନ୍ଦିର, ଗୁଣ୍ଡିଚାଘାଘି ଜଳ ପ୍ରପାତ, ଦରଗୁଡିଶିଳା ପିକନିକ ସ୍ଥଳ, ହଦଗଡ ଇକୋ ଟୁରିଜମ କେନ୍ଦ୍ର, ଚକ୍ରତୀର୍ଥ ଗୁମ୍ଫା ଓ ଗଡଚଣ୍ଡୀ ମନ୍ଦିର ଭଳି ପ୍ରମୁଖ ଆକର୍ଷଣର କେନ୍ଦ୍ର ରହିଛି । ହେଲେ ପର୍ଯ୍ୟାପ୍ତ ପରିବହନ ବ୍ୟବସ୍ଥା ଅଭାବରେ ପର୍ଯଟକ ମାନେ ଏହି ସ୍ଥାନ ଗୁଡିକୁ ପହଂଚି ପାରୁ ନାହାନ୍ତି । ତେଣୁ ରେଳବାଇ ସଂଯୋଗୀକରଣ ହେଲେ ପରିବହନ ସୁବିଧା ହେବା ସହ ଏହି ପର୍ଯଟନ ସ୍ଥଳ ଗୁଡିକର ବିକାଶ ହେବ ଓ ଅଧିକରୁ ଅଧିକ ପର୍ଯ୍ୟଟକ ମାନେ ଆସି ପାରିବେ ଓ ଏହି ଅଂଚଳର ଆର୍ଥିକ ବିକାଶ ହେବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *