ଭାରତରେ ପୁଣି ଫେରିପାରେ ମାସ୍କ ନିୟମ

ନୂଆଦିଲ୍ଲୀ : ଚୀନରେ କରୋନା ସଂକ୍ରମଣରେ ଦ୍ରୁତ ବୃଦ୍ଧି ପରେ ତତ୍ପର ହୋଇଉଠିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ କିଛି ସମୟ ପରେ ଏକ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତିର ସମୀକ୍ଷା କରିବାର ସମ୍ଭାବନା ରହିଛି । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିଅ, ସ୍ବାସ୍ଥ୍ୟ ସଚିବ ରାଜେସ ଭୂଷଣ, ନିତି ଆୟୋଗ ସଦସ୍ୟ ଡ.ଭି.କେ.ପଲ ସମେତ କେତେକ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀ ଯୋଗ ଦେଇଥିଲେ ।
ମିଳିଥିବା ସୂଚନା ଅନୁସାରେ ବୈଠକ ପରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏକ ନୂଆ କରୋନା ଗାଇଡଲାଇନ ଜାରି କରିବାର ସମ୍ଭାବନା ରହିଛି । ଏଥିରେ ପୁଣି ମାସ୍କ ପିନ୍ଧିବାକୁ ଲୋକମାନଙ୍କୁ କୁହାଯିବ । ଏହା ସହିତ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ନମୁନା ପରୀକ୍ଷଣ କରାଯିବ ।
ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକର ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭିଅ ରାଜ୍ୟସଭାରେ ଏକ ବୟାନ ରଖି କହିଛନ୍ତି ଯେ ଦେଶରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଦେଶରେ ଯଥେଷ୍ଟ ପରିମାଣରେ ଔଷଧ ମହଜୁଦ ରହିଛି । ପ୍ରତି ବଡ଼ ହସପିଟାଲ ନିକଟରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ତେବେ କେନ୍ଦ୍ର ସରକାର କୋଭିଡ୍କୁ ନେଇ କୌଣସି ରାଜନୀତି କରୁନାହାନ୍ତି ବୋଲି ସେ କହିଛନ୍ତି ।
ବୁଧବାରଦିନ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଜାରି ପରାମର୍ଶରେ ନୂଆ କୋଭିଡ୍ ଭାରିଆଣ୍ଟଗୁଡ଼ିକ ଉପରେ ନଜର ରଖିବା ସହ ଜିନୋମ ସିକ୍ବେନସିଂ ପାଇଁ କୁହାଯାଇଥିଲା ।