ମୋ ବିଭାଗରେ ଅଛନ୍ତି ଅନେକ ଚୋର, ମୁଁ ସେମାନଙ୍କର ସର୍ଦାର: ବିହାର କୃଷିମନ୍ତ୍ରୀ

ପାଟନା: ମୋ ବିଭାଗରେ ବହୁତ ଚୋର ଅଛନ୍ତି ଏବଂ ମୁଁ ସେମାନଙ୍କର ସର୍ଦାର ବୋଲି କୃଷି ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଉଦ୍ଦେଶ୍ୟ କରି ରବିବାର ଦିନ କୈମୁର୍ ଜିଲ୍ଲାରେ ସମବେତ କୃଷକମାନଙ୍କୁ ଉଦ୍ବୋଧନ ଦେବା ବେଳେ ବିହାରର କୃଷିମନ୍ତ୍ରୀ ସୁଧାକର ସିଂହ କହିଛନ୍ତି।
କୃଷକମାନଙ୍କ ସଭାରେ କୃଷିମନ୍ତ୍ରୀ ସିଂହ କହିଲେ, ମୋ ବିଭାଗରେ ବହୁତ ଗୁଡ଼ାଏ ଚୋର ଅଛନ୍ତି ଆଉ ସେମାନେ ଟଙ୍କା ଚୋରି କରୁଛନ୍ତି। ମୁଁ ଉକ୍ତ ବିଭାଗର ଦାୟିତ୍ବ ବହନ କରିଥିବା ହେତୁ ସେମାନଙ୍କର ମୁଖ୍ୟ ବା ସର୍ଦାର ହୋଇଯାଇଛି। ମୋ ଉପରେ ମଧ୍ୟ ଆହୁରି ଅନେକ ମୁଖ୍ୟ ଅଛନ୍ତି। ଏ ସରକାର ପୁରୁଣାକାଳିଆ ହୋଇଥିବାରୁ ତା’ର କାର୍ଯ୍ୟଧାରା ମଧ୍ୟ ପୁରୁଣାକାଳିଆ। ସରକାରଙ୍କୁ ସଚେତନ କରାଇବା ସର୍ବସାଧାରଣଙ୍କ କର୍ତ୍ତବ୍ୟ।
ସେ ଆହୁରି ମଧ୍ୟ କହିଛନ୍ତି, ଆପଣମାନେ ଯଦି କୁଶପୁତ୍ତଳିକା ଦହନ କରିବେ, କୌଣସି ବିଭ୍ରାଟ ଘଟିଛି ବୋଲି ମୁଁ ହୃଦୟଙ୍ଗମ କରିବି। ଆପଣମାନେ ଯଦି ତାହା ନ କରନ୍ତି ମୋର ମନେହେବ ସବୁ କିଛି ସୁଚାରୁରୂପେ ଚାଲିଛି।
ସୂଚନାଯୋଗ୍ୟ, ନୀତୀଶ କୁମାରଙ୍କ ସରକାରରେ ଅନ୍ୟତମ ମୁଖ୍ୟ ପଦବୀଧାରୀ ମନ୍ତ୍ରୀ ସୁଧାକର ସିଂହ ହେଉଛନ୍ତି ‘ରାଷ୍ଟ୍ରୀୟ ଜନତା ଦଳ’ର ରାଜ୍ୟ ସଭାପତି ଜଗଦାନନ୍ଦ ସିଂହଙ୍କ ପୁତ୍ର ତଥା କୈମୁର୍ ଅନ୍ତର୍ଗତ ରାମଗଡ଼ର ବିଧାୟକ।