ମେକ୍ ଇନ୍ ଓଡିଶା କନକ୍ଲେଭ୍-୨୦୨୨

ଗଣମାଧ୍ୟମ ସଂପାଦକମାନଙ୍କ “ଉଦ୍ୟୋଗରୁ ଉନ୍ନତି” ଶୀର୍ଷକ ଆଲୋଚନାଚକ୍ର
ରାଜ୍ୟରେ ଶିଳ୍ପାନୁକୂଳ ବାତାବରଣ ସୃଷ୍ଟିରେ ଗଣମାଧ୍ୟମର ଭୂମିକା ପ୍ରଶଂସନୀୟ -ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ
ଆଜି ମେକ୍ ଇନ୍ ଓଡିଶା କନକ୍ଲେଭ୍ ରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆୟୋଜିତ “ଉଦ୍ୟୋଗରୁ ଉନ୍ନତି” ପ୍ରସଙ୍ଗ ଉପରେ ବିଭିନ୍ନ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମର ସଂପାଦକ ଓ ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ଆଲୋଚନା ଚକ୍ର ( ଏଡିଟର୍ସ ରାଉଣ୍ଡ ଟେବୁଲ) ଅନୁଷ୍ଠିତ ହୋଇଥିଲା । ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏହି ଆଲୋଚନା ଚକ୍ରକୁ ପରିଚାଳନା କରି ‘ଉଦ୍ୟୋଗରୁ ଉନ୍ନତି’ ସଂପର୍କରେ ଉପସ୍ଥିତ ବିଭିନ୍ନ ଗଣମାଧ୍ୟମର ସଂପାଦକ ତଥା ଅତିଥି ବକ୍ତାମାନଙ୍କ ଠାରୁ ମତାମତ ଲୋଡିଥିଲେ । ପ୍ରାରମ୍ଭିକ ଅଭିଭାଷଣରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଉଦ୍ୟୋଗରୁ ଉନ୍ନତି ତଥା ଶିଳ୍ପାୟନରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସଂପର୍କରେ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ, ଶିଳ୍ପାୟନ ପାଇଁ ଉପଯୁକ୍ତ ଜମି, ଶ୍ରମିକ, ପୁଞ୍ଜି, ଦକ୍ଷ ମାନବ ସଂବଳ, ବୈଷୟିକ ଜ୍ଞାନକୌଶଳ ଯେପରି ଆବଶ୍ୟକତା ରହିଛି, ସେହିପରି ବଳିଷ୍ଠ ଶିଳ୍ପନୀତି ଓ ଶିଳ୍ପାନୁକୂଳ ବାତାବରଣର ଆବଶ୍ୟକତା ରହିଛି, ଯାହାକୁ ଗୁରୁତ୍ୱ ଦିଆଯାଇ ଆମ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ବ୍ୟାପକ ଭାବେ ଆରମ୍ଭ ହୋଇଛି । ଆମର ୧ ଲକ୍ଷ ଏକର ଜମି ‘ଲ୍ୟାଣ୍ଡ ବ୍ୟାଙ୍କ’ରେ ରହିଛି, ଯାହାର ସୁବିଧା ଔଦ୍ୟୋଗିକ ବିକାଶ ପାଇଁ ନିଆଯିବା ଆବଶ୍ୟକ ।


ଆମର ଶିଳ୍ପ ବା ଉଦ୍ୟୋଗ ପ୍ରତିଷ୍ଠା ପ୍ରତି ମନୋଭାବ ପ୍ରତିପୋଷଣ ଏବଂ ଏହାକୁ ସମସ୍ତେ ଭଲଭାବେ ବୁଝିବା ଆବଶ୍ୟକ । ଶ୍ରୀ ସିଂ ଆହୁରି ମଧ୍ୟ କହିଥିଲେ ଯେ, ଆମ ରାଜ୍ୟର ଶିଳ୍ପ ଅଭିବୃଦ୍ଧି ନିମନ୍ତେ ଆମେ ଦେଶ ବିଦେଶର ପୁଂଜି ନିବେଶକଙ୍କ ବିଶ୍ୱାସ ଜିତିବାର ଅଛି । ବିଗତ ୧୦ବର୍ଷ ମଧ୍ୟରେ ଶିଳ୍ପାୟନ ଏବଂ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଗଣମାଧ୍ୟମ ସକରାତ୍ମକ ଓ ଗଠନମୂଳକ ସମ୍ବାଦ ପରିବେଷଣ କରି ଓଡିଶାରେ ଶିଳ୍ପାୟନ କ୍ଷେତ୍ରରେ ଧାରଣା ବଦଳିବାରେ ଗୁରୁତ୍ୱପୂର୍ଣ୍ଣ ତଥା ପ୍ରଶଂସନୀୟ ଭୂମିକା ନିର୍ବାହ କରିଆସିଛି ବୋଲ ଶ୍ରୀ ସିଂ ପ୍ରକାଶ କରିଥିଲେ । ଆଗାମୀ ଦିନରେ ରାଜ୍ୟର ଅଭିବୃଦ୍ଧି ଓ ଜନସାଧାରଣଙ୍କ ଅର୍ଥନୈତିକ ବିକାଶ ଦୃଷ୍ଟିରୁ ଗଣମାଧ୍ୟମ ସହଯୋଗ ବଜାୟ ରଖିବାକୁ ଆଶାପୋଷଣ କରିଥିଲେ ।
କାର୍ଯ୍ୟକ୍ରମରେ ନ୍ୟୁଜ-୧୮ବୈଦ୍ୟୁତିକ ଗଣମାଧ୍ୟମର ସଂପାଦକ ଶ୍ରୀ ନରେନ୍ଦ୍ର ଜେନା ଯୋଗଦେଇ କହିଲେ ଯେ, ଓଡିଶାର ଇତିହାସ, ରାଜ୍ୟର ବାଣିଜ୍ୟିକ ଐତିହ୍ୟ ଏବଂ ଉଦ୍ୟୋଗ ସହିତ ଶହ ଶହ ବର୍ଷ ବର୍ଷ ଧରି ଯୋଡି ହୋଇରହିଛି । ପ୍ରାଚୀନ ଓଡିଶାର ସାଧବପୁଅମାନଙ୍କର ଇଣ୍ଡୋନେସିଆର ବାଲିଦ୍ୱୀପକୁ ଯାତ୍ରା ଏବଂ ନୌବାଣିଜ୍ୟିକ ପରଂପରା ଠାରୁ ଆରମ୍ଭ କରି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ଉତ୍କଳ ଟାନେରୀ ସ୍ଥାପନ ପର୍ଯ୍ୟନ୍ତ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ଦିଗରେ ସ୍ୱର୍ଣ୍ଣିମ ଇତିହାସ ରହିଛି ବୋଲ ଶ୍ରୀ ଜେନା ପ୍ରକାଶ କରିବା ସହିତ ଆଧୁନିକ ଓଡିଶାରେ ଅନେକ ଓଡିଆ ଯୁବକ ଯୁବତୀ ଉଦ୍ୟୋଗ ପ୍ରତିଷ୍ଠା କରି ଓଡିଶାର ରୂପାନ୍ତରଣରେ ଉଲ୍ଲେଖନୀୟ ପରିବର୍ତ୍ତନର ଆଣିପାରିଛନ୍ତି ବୋଲି କହିଥିଲେ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଔଦ୍ୟୋଗିକତା ବିଷୟକୁ ପାଠ୍ୟ ଖସଡାରେ ସାମିଲ କରିବାକୁ ଶ୍ରୀ ଜେନା ପ୍ରସ୍ତାବ ରଖିଥିଲେ ।


ସକାଳ ଦୈନିକ ଖବରକାଗଜର ସଂପାଦକ ଶ୍ରୀ ଉମାକାନ୍ତ ମିଶ୍ର ଯୋଗଦେଇ ମେକ୍ ଇନ୍ ଓଡିଶା-୩.୦ ଆୟୋଜନକୁ ପ୍ରଶଂସା କରି କହିଲେ ଯେ, ରାଜ୍ୟ ସରକାର ଶିଳ୍ପାୟନ ଓ ଔଦ୍ୟୋଗିକ ବିକାଶ ପାଇଁ ବଡ ଧରଣର ରଣନୀତି ଆରମ୍ଭ କରିଛନ୍ତି । ଗତକାଲି ସୁଦ୍ଧା ଗୋଟିଏ ଦିନରେ ୭.୨୬ ଲକ୍ଷ କୋଟିର ନିବେଶ ପ୍ରସ୍ତାବନା ଅତ୍ୟନ୍ତ ଉତ୍ସାହଜନକ । ଦୃଢ ନେତୃତ୍ୱ, ସଂକଳ୍ପବଦ୍ଧ ପ୍ରଶାସନ ଯୋଗୁଁ ରାଜ୍ୟ ପ୍ରଗତି କ୍ଷେତ୍ରରେ ଆଗକୁ ବଢୁଛି । ମିଶନ ଶକ୍ତିର ସଫଳତା ଠାରୁ ଆରମ୍ଭ କରି ମିଲେଟ୍ ମିଶନ୍, ବୟନ ଶିଳ୍ପ ଆଦିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ପ୍ରଶଂସନୀୟ ବୋଲି ଶ୍ରୀ ମିଶ୍ର କହିବା ସହିତ ଔଦ୍ୟୋଗିକ ଉନ୍ନତିରୁ ଯେପରି ସାମାଜିକ ଉନ୍ନତି ସମ୍ଭବ ହୋଇପାରିବ ସେ ଦିଗରେ ଦୃଷ୍ଟି ଆକର୍ଷଣ କରିଥିଲେ । ଗଣମାଧ୍ୟମର ଶକ୍ତିକୁ ଔଦ୍ୟୋଗିକ ବିକାଶରେ ପ୍ରମୁଖ ଅଂଶୀଦାର ଭାବେ ଗ୍ରହଣ କରିବାକୁ ଶ୍ରୀ ମିଶ୍ର ମତ ରଖିଥିଲେ ।
କନକ ନ୍ୟୁଜ୍ ବୈଦ୍ୟୁତିକ ଗଣମାଧ୍ୟମର ସଂପାଦକ ଶ୍ରୀ ମନୋରଂଜନ ମିଶ୍ର ଯୋଗଦେଇ କହିଲେ ଯେ, ଆମର ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସମସ୍ତଙ୍କର ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଲୋଡା । ଉଦ୍ୟୋଗୀ ମନୋଭାବକୁ ସବୁସ୍ତରରେ ସମର୍ଥନ କରାଯିବା ଆବଶ୍ୟକ । ଆମର ଔଦ୍ୟୋଗିକ ସଂସ୍କୃତି ପ୍ରସ୍ତୁତି ହେବାର ଜରୁରୀ ଆବଶ୍ୟକତା ରହିଛି । ଉପାନ୍ତ ଅଂଚଳରେ ଶିଳ୍ପାୟନକୁ ଗୁରୁତ୍ୱ, ପଞ୍ଚାୟତକୁ ଶିଳ୍ପାୟନର ଏକକ ୟୁନିଟ୍ ଭାବେ ନେବା ସହିତ ଗାଁ ଗହଳିର ପିଲାମାନଙ୍କୁ ଶିଳ୍ପାୟନ ସହିତ ଯୋଡିବା ସଂପର୍କରେ ଶ୍ରୀ ମିଶ୍ର ମତ ରଖିଥିଲେ । କଳିଙ୍ଗ ଟିଭିର ମୁଖ୍ୟ ସଂପାଦକ ଶ୍ରୀ ସୌମ୍ୟଜିତ ପଟ୍ଟନାୟକ ଯୋଗଦେଇ କହିଲେ ଯେ, ଶିଳ୍ପାୟନ ରାଜ୍ୟ ତଥା ଦେଶର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ କରିଥାଏ, ଯାହାକି ପ୍ରକାରାନ୍ତରେ ସାମାଜିକ ବିକାଶ, ଆଂଚଳିକ ବୈଷମ୍ୟ ଦୂର କରି ସମତୁଲ ବିକାଶରେ ସହାୟକ ହୋଇଥାଏ ।


ଓଡିଶା ଭାସ୍କର ଦୈନିକ ଖବର କାଗଜର ସଂପାଦକ ଶ୍ରୀ ପ୍ରଦୋଷ ପଟ୍ଟନାୟକ ଯୋଗଦେଇ କହିଲେ ଯେ, ରତ୍ନଗର୍ଭା ଆମ ଓଡିଶା, ପ୍ରାକୃତିକ ସମ୍ପଦରେ ଭରପୁର । ଶିଳ୍ପାୟନ କ୍ଷେତ୍ରରେ ବିଜୁବାବୁଙ୍କର ଉଦାହରଣ ସହ ଦେଶ ବିଦେଶର କେତେକ ସଫଳ ଶିଳ୍ପପତିମାନଙ୍କର ଔଦ୍ୟୋଗିକ ଜୀବନ ସଂପର୍କରେ ଉଦାହରଣ ଦେଇ ଦୃଢ ଇଚ୍ଛା ଶକ୍ତି ଓ ସଂକଳ୍ପବଦ୍ଧ ପ୍ରୟାସ ଦ୍ୱାରା କିପରି ଔଦ୍ୟୋଗିକ ସଫଳତା ମିଳିପାରିବ ,ସେ ସଂପର୍କରେ ପ୍ରକାଶ କରିଥିଲେ ।

ପ୍ରମେୟ-ଦୈନିକ ଖବର କାଗଜର ସଂପାଦକ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର ଯୋଗଦେଇ କହିଲେ ଯେ, ମେକ୍ ଇନ୍ ଓଡିଶା କନକ୍ଲେଭ ଆୟୋଜନ, ଓଡିଶାରେ ଶିଳ୍ପାୟନ ଓ ଔଦ୍ୟୋଗିକ ବିକାଶ ପାଇଁ ନିଆରା ସୁଯୋଗ ଦେଇଛି । ଦୃତ ଅଭିବୃଦ୍ଧିଶୀଳ ରାଜ୍ୟ ଭାବେ ଓଡିଶା ଏବେ ଆଗକୁ ବଢୁଛି । ପ୍ରଗତିଶୀଳ ଶିଳ୍ପନୀତି, କୁଶଳୀ ମାନବ ସଂବଳ, ଶିଳ୍ପାନୁକୂଳ ବାତାବରଣ ଏବଂ ଶିଳ୍ପୋଦ୍ୟୋଗ ପ୍ରତିଷ୍ଠା ଦିଗରେ ସରକାରୀ ତତ୍ପରତା ଏ ଦିଗରେ ସହାୟକ ହୋଇପାରିଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିବା ସହିତ, ବିଭିନ୍ନ ଜିଲ୍ଲାରେ ଗ୍ରାମୀଣ ଶିଳ୍ପର ବିକାଶ ଦିଗରେ ଅଧିକ ପ୍ରଚେଷ୍ଠା ରହିବା ଉପରେ ମତ ରଖିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଧନ୍ୟବାଦ ଅଭିଭାଷଣରେ ସମ୍ବଳ,ଶିକ୍ଷା, ଓ ପ୍ରାକୃତିକ ସଂପଦର ବିନିଯୋଗ କରି ଔଦ୍ୟୋଗିକ ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ପ୍ରକାଶ କରିବା ସହିତ ଏ ଦିଗରେ ଗଣମାଧ୍ୟମର ସହଯୋଗ କାମନା କରିଥିଲେ । ପ୍ରାରମ୍ଭରେ ଓଡିଶାରେ ଶିଳ୍ପ ପାଇଁ ଉପଲବ୍ଧ ଭିତ୍ତିଭୂମି, କୁଶଳୀ ମାନବସଂବଳ ଏବଂ ଔଦ୍ୟୋଗିକ ବିକାଶର ସମ୍ଭାବନା ସଂପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ଆଲୋଚନା ଚକ୍ର ପରିଶେଷରେ ଅତିଥିବକ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭାଗର ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।