ରାଜନୈତିକ ସଙ୍କଟ ମଧ୍ୟରେ ଉଦ୍ଧବଙ୍କ ବଡ଼ ନିଷ୍ପତ୍ତି: ବଦଳିଲା ଔରାଙ୍ଗାବାଦ ଓ ଓସମାନାବାଦର ନାଁ
ମୁମ୍ବାଇ: ରାଜନୈତିକ ସଙ୍କଟ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବଡ଼ ନିଷ୍ପତ୍ତି। ଫ୍ଲୋର ଟେଷ୍ଟ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ରାଜ୍ୟର ୨ଟି ସହରର ନାମ ପରିବର୍ତ୍ତନ କରିବା ପାଇଁ ଉଦ୍ଧବ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ ବୈଠକରେ ଔରାଙ୍ଗାବାଦର ନାମ ବଦଳାଇ ସମ୍ଭାଜି ନଗର ଏବଂ ଓସମାନାବାଦକୁ ଧାରାଶିବ ନଗର ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉଦ୍ଧବ ସରକାର। ଏଥି ସହିତ ନଭି ମୁମ୍ବାଇ ବିମାନବନ୍ଦରର ନାମ ମଧ୍ୟ ଡିବି ପାଟିଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି। ରାଜନୈତିକ ସଙ୍କଟ ସମୟରେ ଉଦ୍ଧବ ସରକାର ଏହି ନିଷ୍ପତ୍ତି ନେଇ ହିନ୍ଦୁତ୍ୱ କାର୍ଡ ଖେଳିଥିବା କୁହାଯାଉଛି।
ଔରାଙ୍ଗାବାଦକୁ ସମ୍ଭାଜି ନଗର ନାମରେ ନାମିତ କରିବାକୁ ଶିବସେନା ଦୀର୍ଘ ଦିନ ଧରି ଦାବି କରିଆସୁଥିଲା। ଶିବସେନା ଏବଂ ଉଦ୍ଧବ ଠାକରେ ଅନେକ ସମୟରେ ଔରାଙ୍ଗାବାଦକୁ ସମ୍ଭାଜି ନଗର ବୋଲି କହି ସମ୍ବୋଧନ କରିଆସୁଥିଲେ। ଏଥିସହିତ ଓସମାନାବାଦକୁ ଧାରାଶିବ ନଗର ନାମରେ ନାମିତ କରିବାକୁ ମଧ୍ୟ ଶିବସେନା ଦାବି କରିଥିଲା। ବିଦ୍ରୋହୀଙ୍କୁ ନିଜ ସହ ସାମିଲ କରିବା ପାଇଁ ଉଦ୍ଧବ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।
ଅନ୍ୟ ପକ୍ଷରେ କ୍ୟାବିନେଟ ବୈଠକରେ ଉଦ୍ଧବ ଠାକରେ କହିଛନ୍ତି ଯେ, ଯଦି ଅନାସ୍ଥା ଭୋଟ୍ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆମ ବିରୋଧରେ ଯାଏ ତେବେ ମୁଁ ଇସ୍ତଫା ଦେବି। ତାଙ୍କର ଏଭଳି ଘୋଷଣା ପରେ ଆଗକୁ ମହାରାଷ୍ଟ୍ରର ରାଜନୈତିକ ବାତାବରଣ ଆହୁରି ରୋମାଞ୍ଚକର ହେବ ବୋଲି ଚର୍ଚ୍ଚା ହେଉଛି।