ମହାରାଣୀ ସାଗର ପୁନଃଉଦ୍ଧାର କାର୍ଯ୍ୟ…

୭୭ ଏକରରୁ ୩୪ ଏକରରେ ଜବରଦଖଲରେ..
ବଡବଡିଆଙ୍କ ଜବରଦଖଲରେ ମହାରାଣୀ ସାଗର ଜମି

ବଲାଙ୍ଗିର,ପ୍ରବାହ ନ୍ୟୁଜ୍‌ – ବଲାଙ୍ଗିର ସହରର ମହାରାଣୀ ସାଗରର ପୁନଃଉଦ୍ଧାର କାମ ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଅନୁମୋଦନ ପରେ ତତ୍‌କାଳିନ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୬୯୧୧ ତା.୧୯.୪.୨୦୨୨ରେ ମହାରାଣୀ ସାଗରର ଉନ୍ନତି କରଣ ପାଇଁ ୮କୋଟି ୩୩ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ତେବେ ପୂର୍ବରୁ ସର୍ବମୋଟ ୭୭ ଏକର ଜମିରୁ ୩୪ ଏକର ଲୋକଙ୍କ ଜବରଦଖଲରେ ରହିଛି । ଏବେ ମହାରାଣୀ ସାଗରର ୪୩ ଏକର ଜମିରେ କେବଳ ପୁନଃର ଉଦ୍ଧାର କାମ ଚାଲିଛି । ଅନ୍ୟ ୩୪ ଏକାର ଜମିକୁ ୧୦୫ ଜଣ ଲୋକ ଜବରଦଖଲ କରି ଘର କରି ରହୁଥିବା ଏବଂ ଏଥିରେ ବହୁ ବଡବଡିଆ ଲୋକ, ସରକାରୀ ଚାକିରିଆ, ପୋଲିସ ବିଭାଗରେ ଚାକିରୀ କରୁଥିବା ଲୋକ ମଧ୍ୟ ଘର କରି ରହୁଥିବା ଜଣାଯିବା ପରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏହି ୧୦୫ ଜଣଙ୍କ ମଧ୍ୟରୁ କ୍ୱଚିତ୍ ଲୋକଙ୍କ ମାଟି ଘର ଥିବା ବେଳେ ଅଧିକାଂଶ ପକ୍କାଘର କରି ରହୁଛନ୍ତି । ଗତ ୧.୬.୨୦୨୪ ରେ ପୌର ପରିଷଦ ଦେଇଥିବା ଜନ ସୂଚନା ଅନୁସାରେ ଜବର ଦଖଲ କରିଥିବା ୧୦୫ଟି ଘରକୁ ଉଚ୍ଛେଦ କରି ଅନ୍ୟତ୍ର ବସତି କରିବା ପାଇଁ ସରକାର ବର୍ତମାନ କୌଣସି ନିତି ନିୟମ କରି ନାହାନ୍ତି ବୋଲି ଜଣାଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପକ୍ଷରୁ ଗତ ୬.୭.୨୦୨୪ ପତ୍ର ସଂଖ୍ୟା ୨୧୮୫୫ରେ ସମସ୍ତ ଜିଲ୍ଲାପାଳମାନଙ୍କୁ ସହରାଂଚଳ ଓ ଗ୍ରାମାଂଚଳରେ ସରକାରୀ ଜମିକୁ ଜବର ଦଖଲ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ମହାରାଣୀ ସାଗର ଜାଗାକୁ ଜବର ଦଖଲ କରି ରଖିଥିବା ଲୋକଙ୍କ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଅନ୍ୟପଟେ ଗତ ୨୯.୫.୨୦୨୪ ତାରିଖ ସୁଦ୍ଧା ମହାରାଣୀ ସାଗରର ଦଳ ସଫା, ଲଟାସଫା କାମ ସରିଥିବା ବେଳେ ଏନେଇ ରାଜୀବ ନଗରର ପଡା(ୱାଡ ନଂ-୧୮) ର ଜୟ ମାଁ ପାଟଣେଶ୍ୱରୀ ଏସଏଚଜିକୁ ୮ଲକ୍ଷ ୧ହଜାର ୨୮୬ଟଙ୍କା, ଅପରୁପା ଏସଏଚଜିକୁ ୮ଲକ୍ଷ ୬ହଜାର ୯୯୫ଟଙ୍କା, ସୁଲଗ୍ନା ଏସଏଚଜିକୁ ୭ଲକ୍ଷ ୮୭ହଜାର ୬୧୬ଟଙ୍କା, ନାରୀଶକ୍ତି ଏସଏଚଜିକୁ ୮ଲକ୍ଷ ୩ହଜାର ୭୯୪ଟଙ୍କା (ସମୁଦାୟ ୪ଟି ଏସଏଚଜି) ଏବଂ ବଲାଙ୍ଗିର ପୌର ପରିଷଦକୁ ୩୦ହଜାର ୪୩ଟଙ୍କା ହିସାବରେ ସମୁଦାୟ ୩୨ଲକ୍ଷ ୨୯ହଜାର ୭୩୪ଟଙ୍କା ପ୍ରଦାନ କରାଯାଇଥିବା ଆରଟିଆଇ ସୂଚାନରେ ପୌର ପରିଷଦ ପ୍ରଦାନ କରିଛି । ବର୍ଷା ଯୋଗୁଁ ମାଟି ଉଠା କାମ ହେଉନ ଥିବା ବେଳେ ସାଗର ଭିତର ଚାରିପଟରେ ଏକ ରାସ୍ତା, ସାଗର ମଝିରେ୨ଟି ଟାପୁ ଓ ସାଗର ହିଡ ଏବଂ ନୂତନ ଭାବରେ ତିଆରି ହେଉଥିବା ରାସ୍ତା ମଝିର ଚାରିପାଖରେ ଏକ ନାଳ ତିଆରି କରି ପୌର ପରିଷଦ ମହାରାଣୀ ସାଗରର ଜଳ କ୍ଷମାତାକୁ କମାଇବା ସହ ସାଗରକୁ ଆହୁରି ସଂକଚୋନ କରିଦେଇଛି । ବର୍ଷା ଜଳ ସାଗର ମଧ୍ୟକୁ ପ୍ରବେଶ କରିବା ପଥକୁ ବନ୍ଦ କରି ଦେଇଥିବା ବେଳେ ଅତ୍ୟଧିକ ଜଳ ନିଷ୍କାସନ ପାଇଁ ସାଗର ପଡା ପଟେଥିବା ଜଳ ନିଷ୍କାସନ ରାସ୍ତାକୁ ନୂତନ ଆଡି ଦେଇ ବନ୍ଦ କରିଦେଇଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ବର୍ଷା ପାଇଁ ବର୍ତମାନ କାମ ବନ୍ଦ ଥିବା ଦେଖିବାକୁ ମିଳିଛି । ଗାଇଡଲାଇନ ଅନୁସାରେ କାମ ହେଉ ନଥିବା ନେଇ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୌର ପରିଷଦ କର୍ଣ୍ଣପାତ କରୁ ନଥିବା ଏବଂ ନିଜ ଇଚ୍ଛାରେ ଯାହା ଚାହିଁଲା ପୌର ପରିଷଦ କାମ କରୁଥିବା ଦେଖାଯାଉଛି । ମହାରାଣୀ ସାଗରର କାମ କେବେ ଶେଷ ହେବ ସେନେଇ ମଧ୍ୟ କୌଣସି ସୂଚନା ନଥିବା ପୌର ପରିଷଦ ଜନ ସୂଚନା ଅଧିକାରୀ କହିଛନ୍ତି । ମହାରାଣୀ ସାଗରର ପୁନଃଉଦ୍ଧାର କାମ କିପରି ଠିକରେ ହେବ,

ଜବରଦଖଲ ହୋଇଥିବା ଜାଗକୁ ସାଗର ଖାତାକୁ ଫେରାଇ ଆଣିବା ଦିଗରେ ଜିଲ୍ଲାପାଳ ଧ୍ୟାନ ଦେବେ ବୋଲି ସାଧାରଣରେ ଦାବି ହେଉଛି । ପ୍ରକାଶ ଯେ, ବଲାଙ୍ଗିର ପୌର ପରିଷଦର ୧୮ନମ୍ବର ୱାଡର ୫୭ଟି , ୧୯ର ୧୫ଟି ଓ ୨୦ ନମ୍ବର ୱାଡର ୨୯ଟି ଏହିପରି ସମୁଦାୟ ୧୦୧ଟି ସ୍ୱଂୟ ସହାୟକ ଦଳ ମହାରଣୀ ସାଗର ପୁଃନର ଉଦ୍ଧାର କାମ କରୁଛନ୍ତି । ଏହି କାମ ପାଇଁ ପୌର ପରିଷଦ ଏକ ମାପଦଣ୍ଡ ତିଆରି କରିଛନ୍ତି । ଯାହାକି ଏହି ଏସଏଚଜି ଗୁଡିକ ବଲାଙ୍ଗିର ପୌର ପରିଷଦରେ ପଂଜିକୃତ ହୋଇଥିବେ, (ନିୟମିତ ସଂଚୟ, ଗୋଷ୍ଠି ମଧ୍ୟରେ ଋଣ କାରବାର, ନିୟମିତ ପରିଶୋଧ, ନିୟମିତ ହିସାବ ରଖିବା), ଏସଏଚଜି ସଂଗଠନର ପାନ କାର୍ଡ ଥିବ, ସକ୍ରିୟ ଜମାଖାତା ଥିବ, କୌଣସି ଅନିୟମିତତା କିମ୍ବା ବ୍ୟାଙ୍କ ଖିଲାପି ନଥିବେ, ଗୋଟିଏ ବର୍ଷରେ ୪୦ଲକ୍ଷରୁ ଅଧିକ କାର୍ଯ୍ୟ କରି ନଥିବେ, ଆର୍ଥିକ ବର୍ଷରେ ୨.୫ଲକ୍ଷ ରୁ ଅଧିକ ତଦାରଖ ରାଶି ଯଦି ପାଇଥିବେ ସେ ସରକାରଙ୍କ ଆୟକର ଦେୟ କରିଥିବେ, ପଂଜିକରଣ ଅଭିବ୍ୟକ୍ତ ପ୍ରକାଶନର ତାରିଖ ପୁର୍ବରୁ ଏକ ବର୍ଷ ହୋଇଥିବ ଏହିପରି ୮ଟି ପଏଂଟ ରଖି ଏହି ୧୦୧ଟି ସ୍ୱଂୟ ସହାୟକ ଦଳକୁ ମହାରାଣୀ ସାଗରର ପୁନଃର ଉଦ୍ଧାର କାମ ପ୍ରଦାନ କରିଥିବା ନେଇ ଜନ ସୂଚନା ଆଇନ ମାଧ୍ୟମରେ ପ୍ରଦାନ କରାଯାଇଥିବା ତଥ୍ୟରୁ ଜଣାଯାଇଛି । ପ୍ରକୃତରେ ଏହିସବୁ ଏସଏଚଜି ଗୁଡିକର ମାପଦଣ୍ଡ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦାରଖ କଲେ ଜଣାପଡିବ ଯେ, ଏମାନଙ୍କ କାଗଜପତ୍ର କେତେ ଠିକ ଅଛି । କିନ୍ତୁ ପ୍ରକୃତରେ ଏହା ପଛରେ ଜଣେ ବେନାମୀ ଠିକାଦାର ସମସ୍ତ କାମ କରୁଥିବା ଜଣାଯାଇଛି । ଏହି କାମ ମୁକ୍ତା ଓ ଆମ ପୋଖରୀ ଯୋଜନାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୨କୋଟି ୧୮ଲକ୍ଷ ଟଙ୍କା ମଂଜୁର କରାଯାଇଥିବା ବେଳେ ୮କୋଟି ୩୩ଲକ୍ଷ ଟଙ୍କା ବଲାଙ୍ଗିର ପୌର ପରିଷଦକୁ ଆସିଛି ବୋଲି ଜଣାଯାଇଛି ।

Leave a Reply

Your email address will not be published. Required fields are marked *