ଲସର୍ଦ୍ଦା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ମୃତ,ରହସ୍ୟ ଘେରରେ ଅଭିଯୁକ୍ତର ମୃତ୍ୟୁ ଘଟଣା

ବଡ଼ବିଲ(ଧରଣୀଧର ମହାନ୍ତ): କେନ୍ଦୁଝର ପୋଲିସ୍ ହେପାଜତରେ ଅଭିଯୁକ୍ତର ମୃତ୍ୟୁ । ମୃତକ ସୁନ୍ଦରଗଡ଼ ଜିଲ୍ଲା, କେ ବଲାଙ୍ଗ ଥାନା ଚୋରଧରା ଗ୍ରାମର ମିଲୁ ବାରିକ । ଗତ ନଭେମ୍ବର ୨୮ ତାରିଖ ରାତିରେ ବଲାଣୀ ଥାନା ଲସର୍ଦ୍ଦାରେ ଦମ୍ପତି ଲକ୍ଷ୍ମୀଧର ଆପଟ ଓ ମଞ୍ଜୁଲତା ଆପଟଙ୍କୁ ଗୁଳି କରି ହତ୍ୟା ଘଟଣାର ଜଣେ ଅଭିଯୁକ୍ତ ଥିଲା ମିଲୁ ବାରିକ । ଘଟଣା ପରେ ସେ ଫେରାର ଥିବାବେଳେ ପୋଲିସ ତାକୁ ଖୋଜୁଥିଲା । ଏହି ଡବଲ ମର୍ଡର ଘଟଣାର ସହକାରୀ ତଦନ୍ତ ଅଧିକାରୀ ତଥା ବଡ଼ବିଲ ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ଗତ କାଲି ସନ୍ଧ୍ୟା ପ୍ରାୟ ୮ ଟାରେ ରୁଗୁଡ଼ି ଥାନା ଅଞ୍ଚଳରୁ ଅଭିଯୁକ୍ତ ମିଲୁ ବାରିକକୁ ଗୋଡ଼ାଇ ଗୋଡ଼ାଇ ଧରିବାକୁ ଉଦ୍ୟମ କରୁଥିବାବେଳେ ମିଲୁ ତଳେ ପଡି ଆହତ କୋଇଥିଲା ଓ ପୋଲିସ ତାକୁ କାବୁ କରିବାରେ ସଫଳ ହୋଇଥିଲା । ଆହତ ମିଲୁକୁ ରୁଗୁଡି ଥାନାକୁ ନିଆଯାଇଥିଲା। ମାତ୍ର ବିଳମ୍ବିତ ରାତିରେ ଅଭିଯୁକ୍ତ ମିଲୁର ମୃତ୍ୟୁ ଘଟିଥିଲା । ତେବେ ଏନେଇ ମିଲୁର ପରିବାର ପୋଲିସ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ପୋଲିସ ପ୍ରବଳ ମାଡ଼ ମାରିବା ସହିତ ଗୁଳି କରିବା ଫଳରେ ମିଲୁର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତକର ବାପା ଲିନୁ ବାରିକ ।

ମୃତକର ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଓ କ୍ଷତ ଚିହ୍ନ ରହିଥିବା ବେଳେ, ତାଙ୍କୁ ଗୁଳି କରାଯାଉଥିବା ନେଇ ପରିବାର ଲୋକେ ସନ୍ଦେହ ବ୍ୟକ୍ତ କରିଛନ୍ତି । ନ୍ୟାୟ ପାଇଁ ସେମାନେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି କେନ୍ଦୁଝର ପୋଲିସ୍ । ଅଭିଯୁକ୍ତ ମିଲୁକୁ ରୁଗୁଡ଼ି ଥାନାରେ ପଚରା ଉଚୁରା ବେଳେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲା । ତେଣୁ ତାଙ୍କୁ ଚିକିତ୍ସା ପାଇଁ ରାତି ୧୧ଟା ସମୟରେ ଯୋଡ଼ା ସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଚମ୍ପୁଆ ଏସ ଡି ପି ଓ ରାମରାୟ ମୁର୍ମୁ କହିଛନ୍ତି । ଅଭିଯୁକ୍ତକୁ ମାଡ଼ ମରାଯିବା ଏବଂ ଗୁଳି କରାଯାଇଥିବା ଅଭିଯୋଗକୁ ସେ ଅସ୍ବୀକାର କରିଥିଲେ । ଏନେଇ ଯୋଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯିବା ସହିତ ମୃତ ଦେହର ବ୍ୟବଚ୍ଛେଦ କରାଇଛି ପୋଲିସ ।

Leave a Reply

Your email address will not be published. Required fields are marked *