କିଟରେ ୩୬ତମ ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର,୨୭ା୧୨: କିଟରେ ୩୬ତମ ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ‘କ୍ରିତି ଉତ୍ସବ’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଗତ ୫ଦିନ ଧରି ଚାଲିଥିବା କ୍ରିତି ଉତ୍ସବର ଉଦଘାଟନୀ ଉତ୍ସବରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ି ନିଜକୁ କେବଳ ପାଠପଢ଼ାରେ ସୀମିତ ନରଖି ନିଜର ଲୁକ୍କାୟିତ ପ୍ରତିଭାକୁ ପରଖିବା ଦରକାର ବୋଲି କହିଥିଲେ।

ପାଠ ପଢ଼ା ସହିତ ନାଚ ଗୀତ ଖେଳକୁଦ ଆଦି କ୍ଷେତ୍ରରେ ପାରଙ୍ଗମ ହେବା ଉଚିତ। ଏହା ସହିତ ନିଜକୁ ଜଣେ ଭଲ ମଣିଷ କରି ଗଢ଼ି ତୋଳିଲେ ସମଗ୍ର ବିଶ୍ୱ ଭଲ ଲାଗିବ ବୋଲି ଶ୍ରୀ ସାମନ୍ତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।

ଉଦଯାପନୀ ଉତ୍ସବରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଶୈଖିକ, ସାଂସ୍କୃତିକ ଏବଂ କ୍ରୀଡ଼ା ପାଇଁ ଉପକୂଳ ବାତାବରଣ ପ୍ରଦାନ କରିଆସୁଛି ବୋଲି କହିଥିଲେ। ଆସୋସିଏସନ୍ ଅଫ ଇଣ୍ଡିଆନ୍ ୟୁନିଭରସିଟି (ଏଆଇୟୁ) କିଟ୍ ବିଶ୍ୱବିଦ୍ୟାଳୟରେ ଯୁବ ଉତ୍ସବ ଆୟୋଜନ ପାଇଁ ଇଚ୍ଛା ପ୍ରକାଶ କରିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଯୁବ ଗୋଷ୍ଠୀ ପରସ୍ପରର ସଂସ୍କୃତି ଏବଂ ପରମ୍ପରା ବିଷୟରେ ଜାଣିବାର ସୁଯୋଗ ପ୍ରଦାନ କରିଥିଲା।

ଏଭଳି କାର୍ଯ୍ୟକ୍ରମ ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠା କରିବାରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ସମ୍ମାନିତ ଅତିଥି ଭାବେ ଆଇଆଇଟି, ଭୁବନେଶ୍ୱରର ପ୍ରଫେସର (ଡ.) ଏସ୍‌.କେ ଶର୍ମା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିନା ପରିଶ୍ରମରେ ସଫଳତା ଅସମ୍ଭବ ଓ ଅକ୍ଳାନ୍ତ ପରିଶ୍ରମ ସହିତ ନିରନ୍ତର ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। କ୍ରିତି ଉତ୍ସବର ଆୟୋଜନ କମିଟି ସମ୍ପାଦକ ଡ. ଶ୍ୟାମ ସୁନ୍ଦର ବେଉରା ସ୍ୱାଗତ ଭାଷଣ ଦେଇଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଯୁବ ଉତ୍ସବରେ ପୂର୍ବ ଭାରତର ୧୩ ଟି  ବିଶ୍ୱବିଦ୍ୟାଳୟରୁ ୪୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରଥିଲେ।

ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *